ବିଜେଡି ଓ ବିଜେପି ଶାସନରେ କୌଣସି ବିକାଶ ହୋଇନାହିଁ: ନିରଞ୍ଜନ ପଟ୍ଟନାୟକ

ଝାରସୁଗୁଡ଼ା/ଲଖନପୁର: ରାଜ୍ୟରେ ବିଜେଡି ୨୨ ବର୍ଷ ଓ ଦେଶରେ ବିଜେପି ୮ ବର୍ଷ ଶାସନ କ୍ଷମତାରେ ରହିଥିଲେ ମଧ୍ୟ ଦେଶ କିମ୍ବା ରାଜ୍ୟର କୌଣସି ଆର୍ଥିକ ବିକାଶ ହୋଇନାହିଁ ବୋଲି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଏନେଇ ଜନସାଧାରଣଙ୍କ ଚିନ୍ତାଧାରା ଓ ବିଚାରଧାରା ବଦଳିଲାଣି। ରାଜ୍ୟ ଓ ଦେଶର ଯୁବକ, ବେକାରୀ, ଚାଷୀ କାହାରି ବିକାଶ ହୋଇନାର୍ହି। ଗଣତନ୍ତ୍ରକୁ ଏହି ଉଭୟ ଦଳ ବ୍ୟବସାୟିକରରଣ କରିଥିବା ସମସ୍ତେ ଉପଲବ୍ଧି କରି ସାରିଲେଣି। ବିଜେଡି କିଭଳି ଭାବରେ ନିର୍ବାଚନ ଜିଣୁଛି ସେ କଥା ଆଉ କାହାକୁ ଅଛପା ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଆଜି ବ୍ରଜରାଜନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ କିଶୋର ଚନ୍ଦ୍ର ପଟେଲଙ୍କ ପାଇଁ ଲଖନପୁର ବ୍ଲକର ପଣ୍ଡିରି ପଞ୍ଚାୟତର ପଣ୍ଡରି, ସୁନାରି ପଞ୍ଚାୟତର ଟାଙ୍ଗରପାଲି ଓ ବାଘମୁଣ୍ଡା ଠାରେ ନିର୍ବାଚନ ପ୍ରଚାର କରିଥିଲେ। ଏହି ସଭାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା, ଜଟଣୀ ବିଧାୟକ ସୁର ରାଉତରାୟ ପ୍ରମୁଖ ରାଜ୍ୟ ସରକାର ଏହି ଅଞ୍ଚଳକୁ ଯେଭଳି ଅବହେଳା କରୁଛି ତାର ଅବତାରଣା କରିବାକୁ ଯାଇ କହିଥିଲେ ଯେ, ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ଯାଉଥିବା ରାଜସ୍ୱ ପୂର୍ବ ଓଡ଼ିଶାରେ ଖର୍ଚ୍ଚ ହେଉଛି ଅଥଚ ଏହି ନିର୍ବାଚନୀ ମଣ୍ଡଳୀକୁ ପ୍ରତ୍ୟେକ କ୍ଷେତ୍ରରେ ଅବହେଳା କରାଯାଉଛି। ବିଶେଷ ଭାବେ ଲଖନପୁର ବ୍ଳକର ବିକାଶ ପାଇଁ ବିଜେଡି ସରକାର ଦୃଷ୍ଟି ଦେଉନାହିଁ। ବ୍ଳକରେ ଏକ ସରକାରୀ ମହାବିଦ୍ୟାଳୟ ନାହିଁ, ଡାକ୍ତରଖାନା ମାନଙ୍କରେ ଡାକ୍ତର ନାହାଁନ୍ତି, ପାନୀୟ ଜଳର ବ୍ୟବସ୍ଥା ନାହିଁ, ଚାଷ ଜମି ପାଇଁ ଜଳ ସେଚନର ବ୍ୟବସ୍ଥା ନାହିଁ।

ଲଖନପୁର ବ୍ଳକର ସୀମାରେ ଛତିଶଗଡ଼ କଂଗ୍ରେସ ସରକାର ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପ୍ରତି ୨୫୦୦ ଟଙ୍କା ଦେଉଥିବା ବେଳେ ବ୍ଳକର ଚାଷୀଙ୍କ ଧାନକୁ ବିଜେଡ଼ି ସରକାର ୧୮୦୦ ଟଙ୍କାରେ କିଣୁଛି। ବ୍ଳକରେ ଘନ ଘନ ବିଦ୍ୟୁତ ବିଭ୍ରାଟ ହେଉଛି। ଦୀର୍ଘ ବର୍ଷରୁ ବ୍ଳକର ଲୋକେ ଏହି ବିରାଟ ବ୍ଳକକୁ ବିଭାଜନ କରି ଏଠାରେ ଏକ ରାଜସ୍ୱ ସବ ଡିଭିଜନ ସ୍ଥାପନ ଦାବୀ କରୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉନାହିଁ। ଏପରିକି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗରେ ମଧ୍ୟ ନବୀନ ସରକାର ଏ ଅଞ୍ଚଳର ଲୋକଙ୍କୁ ଭୁଆଁ ବୁଲାଉଛି। ତେଣୁ ଲଖନପୁର ବ୍ଳକର ବିକାଶ ପାଇଁ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ବିପୁଳ ଭୋଟ୍ ଦେଇ ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ କରିବାକୁ ଜନସାଧାରଣଙ୍କୁ ଏହି ନେତା ମାନେ ନିବେଦନ କରିଥିଲେ। ଏଥିରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ବେଣୁଧର ଭୋଇ, ଭାସ୍କର ପ୍ରଧାନ, ମହେନ୍ଦ୍ର ପଧାନ ଓ ପୁରୁଷୋତ୍ତମ ଜୟସ୍ୱାଲଙ୍କ ସମେତ ଅନେକ କଂଗ୍ରେସ କର୍ମୀ ସାମିଲ ହୋଇ ପ୍ରଚାର କରିଥିଲେ।

ସମ୍ବନ୍ଧିତ ଖବର