ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ମଳେହିପଡ଼ା ପଞ୍ଚାୟତରେ‌ ରାଜ୍ୟ ସରକାରଙ୍କ ବିକାଶରେ ଲାଗିଲା ବ୍ରେକ୍। ପଞ୍ଚାୟତର ୪ ଗାଁର ରାସ୍ତା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ଥିବା ବେଳେ ଗମନାଗମନ ବିକାଶ କାର୍ଯ୍ୟ ଠପ୍ ହୋଇଯାଇଛି। ପଞ୍ଚାୟତର ହରିହରପୁର ମାଝିସାହିରୁ ଭାୟା ଖଣ୍ଡମୁଣ୍ଡା ଦେଇ କତ୍ରାପାଲି ଯାଇଥିବା ୩ କି.ମି. ମାଟି ରାସ୍ତାର ଆଜକୁ ୧୫ ବର୍ଷ ହେଲା ହୋଇ ନାହିଁ ଉନ୍ନତୀକରଣ କାର୍ଯ୍ୟ। ୨୦୦୭ରେ ତତ୍କାଳୀନ ସରପଞ୍ଚ ବାବୁଲାଲ ପ୍ରଧାନ ଏହି ରାସ୍ତା ନିର୍ମାଣ କରାଇଥିଲେ। ମାତ୍ର ଏହାରି ଭିତରେ ଅନେକ ପଞ୍ଚାୟତ, ବ୍ଲକ ପ୍ରତିନିଧି ଆସିଥିଲେ ହେଁ ଦୃଷ୍ଟି ଦେଇ ନାହାଁନ୍ତି। ବର୍ତ୍ତମାନ ରାସ୍ତା ସାରା ବଡ଼ ଗଭୀର ଗାତ, ଜଳରେ ଭର୍ତ୍ତି ଗାଡ଼ିଆରେ ପରିପୂର୍ଣ୍ଣ। ଆମ୍ବୁଲାନ୍ସ ସମେତ ତିନି ଚକିଆ କି ଚାରି ଚକିଆ ଯାନବାହନ ଯାତାୟତ ଦୂରର କଥା ବାଇକ୍, ସାଇକେଲଟିଏ ବହୁତ କଷ୍ଟରେ ଯାତାୟତ କରୁଛନ୍ତି। ବେଳେ‌ବେଳେ ଏହି ଗାତରେ ପଡି ମରଣ ମୁଖରେ ପଡୁଛନ୍ତି।

Advertisment

ଏଠାରେ ଗମନା ଗମନ ଉନ୍ନତି ମୂଳକ କାର୍ଯ୍ୟରେ ରାଜ୍ୟ ସରକାର ଫେଲ୍ ମାରି ଥିବା ନେଇ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ରାସ୍ତା ଉପରେ ହରିହରପୁର ହରିଜନ ସାହି, ଅଙ୍ଗନୱାଡି ସାହି, ଖଣ୍ଡମୁଣ୍ଡା, କତ୍ରାପାଲିର କିସାନସାହି ଓ ଚଷାସାହି ଆଦି‌ ଆଖପାଖର ୪ ରୁ ୫ ଟି ଗ୍ରାମ ନିର୍ଭର କରିଥାନ୍ତି। ଯାହାକି ୧୩୦ରୁ ଊର୍ଦ୍ଧ୍ବ ଘର ୬ ଶହ ୬୦ ରୁ ଊର୍ଦ୍ଧ୍ବ ଜନସାଧାରଣ ନିର୍ଭର କରିଥାନ୍ତି। ଛାତ୍ରଛାତ୍ରୀମାନେ ମଧ୍ୟ ବହୁ ସମସ୍ୟା ଦେଇ ଯାତାୟତ କରୁଛନ୍ତି। ଗାଁକୁ ଯାନବାହାନ ଆସି ପାରୁ ନ ଥିବାରୁ ଆମ୍ବୁଲାନ୍ସ ଆସି ପାରୁ ନ ଥିବାରୁ ରୋଗୀକୁ ଖଟିଆରେ ବୋହି ନିଆଯାଉଛି। ଗାଁକୁ ସ୍କୁଲ ଗାଡ଼ି ଯାଇ ପାରୁ ନ ଥିବାରୁ ରେଙ୍ଗାଳବାହାଳ ଗ୍ରାମ ପର୍ଯ୍ୟନ୍ତ ୩ କି.ମି. ଯାଏଁ ଅଭିଭାବକ ଛାତ୍ରଛାତ୍ରୀଙ୍କୁ ନେଇ ଦେଉଛନ୍ତି। ସେହିପରି ଚାଉଳ, ଭତ୍ତା ପାଇଁ ପଞ୍ଚାୟତକୁ ଯାଉଥିବା ହିତାଧିକାରୀ ମଧ୍ୟ ହନ୍ତସନ୍ତ ହେଉ ଥିବା ପ୍ରକାଶ କରିଛନ୍ତି।

publive-image

ପ୍ରକାଶ ଥାଉକି ପୂର୍ବରୁ ଉକ୍ତ ଗ୍ରାମକୁ ଆମ୍ବୁଲାନ୍ସ ଯାଇ ପାରି ନ ଥିବାରୁ ଜନନୀ ଯନ୍ତ୍ରଣା ଭୋଗୁଥିବା ପ୍ରସବ ମହିଳାଙ୍କୁ ଖଟିଆରେ ବୁହା ଅଣା ହୋଇଥିଲା।ଏମିତି ଅଭାବନୀୟ ଘଟଣା ବହୁବାର ଘଟିଥିଲେ ହେଁ ପ୍ରଶାସନ ଚେଇଁ ନ ଥିବା ଅତ୍ୟନ୍ତ ନିନ୍ଦନୀୟ।ଏନେଇ ଉକ୍ତ ଗ୍ରାମଗୁଡିକର ବାସିନ୍ଦା ଅନେକ ଥର ପଞ୍ଚାୟତ, ବ୍ଲକ, ଜିଲ୍ଲା ପ୍ରଶାସନ ଅଭିଯୋଗ କରିବା ସହ ୫ଟି ସଚିବ ଭିକେ ପାଣ୍ଡିଆନ୍ ଗସ୍ତ ବେଳେ ମଧ୍ୟ ଅଭିଯୋଗ କରିଥିଲେ ସୁଦ୍ଧା କିଛି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ‌। ଆଗାମୀ ନିର୍ବାଚନ ପୂର୍ବରୁ ଯଦି ରାସ୍ତା ସମସ୍ୟା ନ ବଦଳେ ତାହେଲେ ଆନ୍ଦୋଳନ ସହ ଭୋଟ ବର୍ଜନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏଥିପ୍ରତି ଯଥାଶୀଘ୍ର ଦୃଷ୍ଟି ଦେବାକୁ ବସନ୍ତ ରଣା, ସନ୍ତୋଷ ରଣା, ସଞ୍ଜିବ ରଣା, କିଶୋରି ନାଗ, ନାରଣ ନାଗ, ବାସନ୍ତୀ ରଣା, କୁମୁଦିନୀ ରଣା, ଶାନ୍ତି ନାୟକ, ଗୌରୀ ନାଗ, ଲାଭ ଡଙ୍ଗି, ପ୍ରଶାନ୍ତ ପ୍ରଧାନ, ସୁଶୀଲ କୁମାର ସାହୁ, ତପନ ପ୍ରଧାନ, ହୃଷକେଶ ସ୍ବାଇଁ, ରଞ୍ଜିତ ବେହେରା ସମେତ ଶତାଧିକ ଜନସାଧାରଣ ଦାବି କରିଛନ୍ତି।