ବେଦବ୍ୟାସ: କଲୁଙ୍ଗା ଶିଳ୍ପାଞ୍ଚଳ ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଅଭିଶାପ ପାଲଟିଛି। ଏହା ଅଞ୍ଚଳରେ ବିଷୟବଳୟ ସୃଷ୍ଟି କରୁଛି। ଏଠାରେ ଥିବା ବିଭିନ୍ନ କଳକାରଖାନା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମର ଖୋଲା ଉଲ୍ଲଂଘନ କରୁଛନ୍ତି। ଯଦ୍ବାରା ଅଞ୍ଚଳବାସୀ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଞ୍ଚଳରେ ଥିବା ଚାଷ ଜମି ନଷ୍ଟହେବା ସହ ପରିମଳ ବ୍ୟବସ୍ଥା ବି ସୀମା ଟପିଲାଣି। ଏମିତିକି ପୂର୍ବରୁ ଥିବା ଏକାଧିକ ଜଳଉତ୍ସ, ଜଳାଶୟ ପୋତି ହୋଇଗଲାଣି। ବିଡ଼ମ୍ବନା, ଏ ଦିଗକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଇଡ୍କୋ କର୍ତ୍ତୃପକ୍ଷ ଆଖିବୁଜି ଦେଇଛନ୍ତି।
୧୯୮୧ ମସିହାରେ କଳୁଙ୍ଗା ଶିଳ୍ପାଞ୍ଚଳର ପ୍ରତିଷ୍ଠା କରାଯାଇଥିଲା। ଆଖପାଖ ଅଞ୍ଚଳରୁ ୭୦୦.୨୧୯ ଏକର ଜମି ଅଧିଗ୍ରହଣ କରି ଶିଳ୍ପାଞ୍ଚଳ ସ୍ଥାପିତ ହୋଇଥିଲା। ଉଦ୍ଦେଶ୍ୟ ଥିଲା, ଶିଳ୍ପକାରଖାନାର ପ୍ରତିଷ୍ଠା ସହ ସ୍ଥାନୀୟ ନିଯୁକ୍ତି, ରାଜସ୍ବ ବୃଦ୍ଧି ସମେତ ସ୍ଥାନୀୟ ଅଞ୍ଚଳର ସର୍ବାଙ୍ଗୀନ ବିକାଶ। ତେବେ ସ୍ଥାନୀୟ ଲୋକଙ୍କୁ ଚାକିରୀ, ସ୍ୱାସ୍ଥ୍ୟ, ଶିକ୍ଷା ଯୋଗାଇବାର ଯେଉଁ ପ୍ରଲୋଭନ ଦେଖାଯାଇଥିଲା; ତାହା ପରବର୍ତ୍ତୀ ସମୟରେ ପାଳନ କରାଗଲାନାହିଁ। ଶିଳ୍ପ କାରଖାନା ପ୍ରତିଷ୍ଠା ହେଲା କିନ୍ତୁ ସ୍ଥାନୀୟ ଜନସାଧାରଣଙ୍କ ସ୍ୱପ୍ନ କେବଳ ସ୍ୱପ୍ନରେ ରହିଯାଇଛି। କାରଖାନାରୁ ନିର୍ଗତ ଧୁଳିଧୂଆଁ, ବର୍ଜ୍ୟ ଜଳ, ବର୍ଜ୍ୟ ସାମଗ୍ରୀ ଯୋଗୁଁ ସ୍ଥାନୀୟ କଲୁଙ୍ଗା, ବଲଣ୍ଡା, ବେଦବ୍ୟାସ, ସ’ମିଲ, ଗର୍ଜନ ଆଦି ଗ୍ରାମବାସୀ ଅତିଷ୍ଠ ହେଲେଣି।
କାରଖାନାରେ ଇଲେକ୍ଟ୍ରୋଷ୍ଟାଟିକ୍ ପ୍ରେସିପିଟାଟର୍(ଇଏସ୍ପି) ଖଞ୍ଜାଯାଉନି କି ରାସ୍ତାରେ ନିୟମିତ ପାଣି ସିଞ୍ଚନ ହେଉନି। ଫଳରେ ଧୂଳିଧୂଆଁରେ ଭର୍ତ୍ତି ହୋଇରହୁଛି ପରିବେଶ। ଏଠାରେ ନିର୍ଗତ ଚାରକୋଲକୁ ଖୋଲାରେ ଡମ୍ପିଂ କରାଯାଉଛି। ଯାହାକି ଏବେ କୁତ୍ରିମ ପାହାଡ଼ରେ ପରିଣତ ହେଲାଣି। ଏମିତିକି ଜଙ୍ଗଲ ଓ ପାହାଡ଼ରୁ ଆସୁଥିବା ବହୁ ଜଳଉତ୍ସଗୁଡ଼ିକ ପୋତି ହୋଇଗଲାଣି। ହାତଗଣତି ଯେଉଁ ଜଳାଶୟ ରହିଛି, ସେଠାକାର ପାଣି ସଂପୂର୍ଣ୍ଣକ୍ତ ବିଷାକ୍ତ ହୋଇପଡ଼ିଛି। ଶିଳ୍ପାଞ୍ଚଳରୁ ନିର୍ଗତ ଅଳିଆଆବର୍ଜନା, ବର୍ଜ୍ୟପାଣି ସିଧାସଳଖ ଚାଷ ଜମିରେ ପଡ଼ୁଛି; ଯଦ୍ବାରା ଏକର ଏକର ଚାଷଜମି ନଷ୍ଟ ହେଲାଣି। ଯାବତୀୟ ଅବ୍ୟବସ୍ଥା ଯୋଗୁଁ ସ୍ଥାନୀୟ ଲୋକ ବିଭିନ୍ନ ଚର୍ମ, ଶ୍ବାସ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏମାନଙ୍କ ଦୁର୍ଦ୍ଦଶା ବଢ଼ୁଛି ସିନା କମିବାର ନାଁ ନେଉନି। ଦୁର୍ଭାଗ୍ୟ ଏହା ଯେ, ଏନେଇ ସ୍ଥାନୀୟ ଲୋକ ବହୁବାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଇଡ୍କୋ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମାତ୍ର ଶିଳ୍ପସଂସ୍ଥା ସହ ଭିତିରିଆ ସଲାସୁତୁରା ଯୋଗୁଁ ବିଭାଗୀୟ ଅଧିକାରୀ ଏ ଦିଗ ପ୍ରତି ଆଖିବନ୍ଦ କରିଦେଇଛନ୍ତି। ଯଥାଶୀଘ୍ର ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି।