ବିଧାନସଭାରେ ଶୁଭୁନି ଦିଗପହଣ୍ଡିର ସ୍ବର: ପ୍ରଭାବ ପକାଉଛି ସୂର୍ଯ୍ୟଙ୍କ ଅନୁପସ୍ଥିତି

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଟାଣୁଆ ନେତା, ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ବହୁଦିନ ଧରି ଅସୁସ୍ଥ। ଅସୁସ୍ଥତା କାରଣରୁ ସେ ବିଧାନସଭାକୁ ଯାଇପାରୁ ନାହାନ୍ତି କି ନିଜ ଅଞ୍ଚଳ ଉପରେ ଦାବି ଉପସ୍ଥାପନ କରିପାରୁ ନାହାନ୍ତି। ବାଚସ୍ପତି ପଦରୁ ଇସ୍ତଫା ଦେଲାପରେ ଗତ ତିନିଟି ବିଧାନସଭା ଅଧିବେଶନରେ ସେ ଯୋଗ ଦେଇପାରି ନାହାନ୍ତି। ଫଳରେ ଦିଗପହଣ୍ଡି ନିର୍ବାଚନମଣ୍ଡଳୀର ସ୍ବର ଶୁଭୁ ନଥିବା ନେଇ ସାଧାରଣରେ ଆଲୋଚନା ହେଉଛି।

ବିଧାୟକଙ୍କ ପାଇଁ ନିଜ ଅଞ୍ଚଳର ସମସ୍ୟାକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବାର ପ୍ରକୃଷ୍ଟ ମାଧ୍ୟମ ହେଉଛି ବିଧାନସଭା। ଏହାସହିତ ନିଜ ଅଞ୍ଚଳର ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ବିଧାୟକମାନେ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରି ତାର ସ୍ପଷ୍ଟୀକରଣ ମାଗିଥାନ୍ତି। ଏହଦ୍ବାରା ବହୁ ଉନ୍ନୟନମୂଳକ କାର୍ଯ୍ୟର ପ୍ରକୃତ ରୂପରେଖ ସର୍ବସାଧାରଣରେ ସ୍ପଷ୍ଟ ହୋଇଥାଏ। ଏଥିପାଇଁ ବିଧାନସଭା ଅଧିବେଶନକୁ ସମସ୍ତ ବିଧାୟକ ଅପେକ୍ଷା କରି ରହିଥାନ୍ତି। ଏବେ ବିଧାନସଭା ଅଧିବେଶନ ଚାଲିଥିବା ବେଳେ ରାଜ୍ୟର ପ୍ରତ୍ୟେକ ବିଧାୟକ ନିଜନିଜ ନିର୍ବାଚନମଣ୍ଡଳୀର ସମସ୍ୟା ଉପରେ ପ୍ରଶ୍ନ କରୁଥିବା ବେଳେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ଏଥିରୁ ବାଦ୍‌ ପଡ଼ି ଯାଇଛି।ରାଜ୍ୟ ରାଜନୀତିରେ ଗଞ୍ଜାମ ଜିଲ୍ଲାର ଅନ୍ୟତମ ଟାଣୁଆ ନେତା ଶ୍ରୀ ପାତ୍ରଙ୍କ ଏକ ସ୍ବତନ୍ତ୍ର ସ୍ଥାନ ରହିଛି।

ଏ ସମ୍ପର୍କରେ ବିଧାୟକଙ୍କ ପୁଅ ତଥା ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର କହନ୍ତି, ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନାହିଁ। ସପ୍ତାହକୁ ୩ଥର ଡାଏଲିସିସ୍‌ ହେଉଛି। ରକ୍ତଚାପ ମଧ୍ୟ ଅଧିକ ରହୁଛି। ଏଥିପାଇଁ ସେ ବିଧାନସଭାକୁ ଯାଇପାରୁ ନାହାନ୍ତି। ଦିଗପହଣ୍ଡି ନିର୍ବାଚନମଣ୍ଡଳୀର ଯାହା ସମସ୍ୟା ଓ ପ୍ରଶ୍ନ ରହୁଛି, ତାହା ଲିଖିତ ଆକାରରେ ବିଧାନସଭାରେ ଦାଖଲ କରାଯାଉଛି। ଅନ୍ୟ ଜଣେ ବିଧାୟକଙ୍କ ଜରିଆରେ ସେହି ପ୍ରଶ୍ନ ଦାଖଲ କରାଯାଉଛି। ତାର ଲିଖିତ ଉତ୍ତର ଆମ ପାଖକୁ ଆସୁଛି। ସେହି ଉତ୍ତର ଆମେ ଜନସାଧାରଣଙ୍କୁ ଅବଗତ କରୁଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର