ଡେରାବିଶ: ଉପାନ୍ତ ଅଞ୍ଚଳ ନୁହେଁ, ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ବାସ୍ଥ୍ୟସେବାର ଏକ ବିକଳ ଚିତ୍ର ସାମ୍‌ନାକୁ ଆସିଛି। ଚିତ୍ରଟି ହେଉଛି, ଜିଲ୍ଲା ଅନ୍ତର୍ଗତ ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ମୋବାଇଲ୍‌ ଫୋନ୍‌ ଟର୍ଚ୍ଚରେ ଚିକିତ୍ସା କରାଯାଇଛି। ସୂଚନା ଅନୁସାରେ, ଡେରାବିଶ ବ୍ଲକ୍‌ ଛତା ସେକ୍ସନ୍‌ ପକ୍ଷରୁ ଗତ ସୋମବାର ସକାଳ ୬ଟାରୁ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ କରାଯାଇଥିଲା। ମଙ୍ଗଳବାର ଭୋର୍‌ ସମୟରେ ତାହା ସ୍ବାଭାବିକ ହୋଇଥିଲା। ତେବେ, ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର ରାତିରେ ଅଭାବନୀୟ ପରିସ୍ଥିତି ଉପୁଜିଥିଲା ଏବଂ ବିଦ୍ୟୁତ୍‌ ନ ଥିବାବେଳେ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ଧାରରେ ବୁଡ଼ି ରହିଥିଲା। ଠିକ୍‌ ସେହିସମୟରେ ନିକଟସ୍ଥ ଜାତୀୟ ରାଜପଥରେ ଦୁର୍ଘଟଣାର ଶିକାର ହୋଇଥିବା ପଟ୍ଟାମୁଣ୍ତାଇ ଅଂଚଳର ପ୍ରଶାନ୍ତ ସେଠୀ ନାମକ ଜଣେ ଯୁବକ ଆମ୍ବୁଲାନ୍ସ ଯୋଗେ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଡ୍ୟୁଟିରେ ଥିବା ଡାକ୍ତର ବାଧ୍ୟ ହୋଇ ନିଜ ମୋବାଇଲ ଫୋନ୍‌ର ଟର୍ଚ୍ଚ ଜଳାଇ ତାଙ୍କର ଚିକିତ୍ସା କରିଥିଲେ। ସେହିପରି, କୁରୁଜଙ୍ଗା ଗ୍ରାମର ବୃଦ୍ଧ ଶ୍ରୀଧର ସାମଲ ଅସୁସ୍ଥ ହୋଇ ବିଳମ୍ବିତ ରାତିରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିବା ବେଳେ ସମସ୍ୟାରେ ପଡ଼ିଥିଲେ।

Advertisment

ଡାକ୍ତର ମୋବାଇଲ୍‌ ଟର୍ଚ୍ଚ ଆଲୁଅରେ ପ୍ରେସ୍‌କ୍ରିପ୍‌ସନ ଲେଖିଥିଲେ। ଏହି ସମସ୍ୟା ସମ୍ପର୍କରେ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଚିତ୍ତରଞ୍ଜନ ବେହେରାଙ୍କୁ ପଚାରିବାରୁ ଏଠାରେ ଥିବା ଡିଜି ମେସିନ୍‌ ଖରାପ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କହିଥିଲେ। ଅପରପକ୍ଷରେ, ଜିଲ୍ଲା ଅତିରିକ୍ତ ସ୍ବାସ୍ଥ୍ୟଧିକାରୀ ସଚ୍ଚିଦାନନ୍ଦ ମିଶ୍ର କହିଛନ୍ତି ଯେ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ବିଦ୍ୟୁତ୍‌ ସରବରାହଜନିତ ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ କୌଣସି ଡିଜି ମେସିନ ନାହିଁ। ଭଡ଼ାରେ ଏହି ମେସିନ୍‌ ବ୍ୟବସ୍ଥା କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦୁଇ ଅଧିକାରୀଙ୍କ କଥାରେ କୌଣସି ତାଳମେଳ ରହୁ ନ ଥିବାବେଳେ ଏଭଳି ସମ୍ବେଦନଶୀଳ ଘଟଣାର ତଦନ୍ତ ପାଇଁ ଲୋକେ ଦାବି କରିଛନ୍ତି।