ବୋଲଗଡ ବ୍ଲକର ମାଣିକାଗୋଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୫ ବର୍ଷ ହେଲା ଡାକ୍ତର, ୨୦ ବର୍ଷ ହେଲା ନର୍ସ ନାହାନ୍ତି

ବୋଲଗଡ : ଖୋର୍ଦ୍ଧା ଜିଲ୍ଲାର ବୋଲଗଡ ବ୍ଲକର ମାଣିକାଗୋଡା ଡାକ୍ତରଖାନାରେ ଦୀର୍ଘ ୫ବର୍ଷ ହେବ ଡାକ୍ତର ଓ ୨୦ ବର୍ଷ ହେବ ଷ୍ଟୋଫ ନର୍ସ ପଦବି ଖାଲିପଡିଛି। ଫଳରେ ଜନସାଧାରଣ ଏଠାରୁ ଚିକିତ୍ସା ସୁବିଧା ନ ପାଇ ଦୂରଦୂରାନ୍ତକୁ ଯାଇ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହେଉଛି। ପ୍ରକାଶ ଯେ ପଶ୍ଚିମ ବୋଲଗଡ ଅଞ୍ଚଳଭାବେ ପରିଚିତ କଳାଙ୍ଗ, ଫାସିଓଦା, ଦଳାଇସାହି ୩ଟି ଗ୍ରାମପଞ୍ଚାୟତର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାପାଇଁ ୧୯୮୫ ମସିହାରେ ମାଣିକାଗୋଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ କରାଯାଇଥିଲା। ବ୍ଲକର ସର୍ବବୃହତ ଗ୍ରାମ ଦଳାଇସାହି ସମେତ ଉପରୋକ୍ତ ୨ଟି ପଞ୍ଚାୟତର ୨୦ହଜାରରୁ ଅଧିକ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଦୀର୍ଘ ୫ବର୍ଷ ତଳେ ଡାକ୍ତର ଜିବ୍ରାଇଲ ଖାଁ ଏଠାରୁ ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବଦଳି ହୋଇ ଯିବା ପରେ ସେହି ଦିନ ଠାରୁ ଆଉ କୈାଣସି ଡାକ୍ତରଙ୍କୁ ଏଠାରେ ନିଯୁକ୍ତି ଦିଆଯାଇନାହିଁ। ଫଳରେ ଏଠାରେ ଥିବା ଫାର୍ମାସିଷ୍ଟ ଜଣକ ରୋଗୀମାନଙ୍କୁ ଥଣ୍ଡା ,କାଶ, ଜ୍ବର ଔଷଧ ଦେଇ ଯେନତନ ପ୍ରକାରେ କାର୍ଯ୍ୟ ଚଳାଇ ନେଉଛନ୍ତି।

ଏହା ବ୍ୟତୀତ ୨୦ବର୍ଷ ଧରି ଷ୍ଟାଫ୍‌ ନର୍ସ ପଦବି ଖାଲିରହିଛି। ୧୫ବର୍ଷ ଧରି ୱାର୍ଡ ଆଟେଣ୍ଡାଣ୍ଟ୍‌ ନାହାଁନ୍ତି। ଡାକ୍ତରଖାନାରେ ୪ଟି ଶଯ୍ୟା ଥିବା ବେଳେ ସେଗୁଡ଼ିକ ନଷ୍ଟ ହୋଇଗଲାଣି। ଏହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ୫ଟି ସ୍ବାସ୍ଥ୍ୟ ଉପକେନ୍ଦ୍ର ଥିବାବେଳେ ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ପଦବି ବହୁଦିନ ହେଲା ଖାଲିପଡିଛି। ଡାକ୍ତରଖାନାର ଚାରିପଟେ ପାଚେରି ନଥିବାରୁ ଡାକ୍ତରଖାନା ପରିସରକୁ ରହିଛି ବୁଲା ଗାଈଗୋରୁଙ୍କର ଅବାଧ ପ୍ରବେଶ। ୨୦୧୬ ମସିହାରେ ଏହି ଡାକ୍ତରଖାନାକୁ ୧୦ ଶଯ୍ୟା ବିଶିଷ୍ଟ କରିବାପାଇଁ ୭୨ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏହାକୁ କାର୍ଯ୍ୟକାରୀ କରିବାପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦାୟିତ୍ୱ ଦିଆଯାଇଥିଲା। ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ।ତୁରନ୍ତ ଡାକ୍ତରଖାନାର ଏହିସବୁ ସମସ୍ୟାର ସମାଧାନ ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର