କୋଟିଆରେ ଆନ୍ଧ୍ର ସରକାରଙ୍କ ଯୋଜନାର ପ୍ରାମାଣିକ ରିପୋର୍ଟ ନାହିଁ

୨୧୭୦ ଜଣଙ୍କୁ ମିଳିଛି ଜମି ପଟ୍ଟା

ଭୁବନେଶ୍ବର କୋଟିଆରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ବାରା ଦିଆଯାଉଥିବା ସମାନ୍ତରାଳ ସହାୟତା ଯୋଜନା ସମ୍ପର୍କରେ କୌଣସି ପ୍ରାମାଣିକ ରିପୋର୍ଟ ଓଡ଼ିଶା ସରକାରଙ୍କ ହସ୍ତଗତ ହୋଇ ନାହିଁ। ଶୁକ୍ରବାର ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ସୂଚନା ଦେଇଛନ୍ତି।

ଶ୍ରୀ ପଟ୍ଟନାୟକଙ୍କ ଆଉ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଜଙ୍ଗଲ ଜମି ଅଧିକାର ଆଇନ,୨୦୦୬ ଆଧାରରେ ଓଡ଼ିଶା ସରକାରଙ୍କ ଦ୍ବାରା କୋଟିଆ ଗ୍ରାମପୁଞ୍ଜରେ ୨୧୭୦ ଜଣଙ୍କ ଜମି ପଟ୍ଟା ପ୍ରଦାନ କରାଯାଇଛି। ଏହି ଜମିର ପରିମାଣ ୪୦୨୬.୧୬ ଏକର।

ମନ୍ତ୍ରୀ ଆହୁରି ଜଣାଇଛନ୍ତି ଯେ କୋରାପୁଟ ଜିଲ୍ଲାର ୨୧ଟି ଗ୍ରାମପୁଞ୍ଜକୁ ନେଇ ଆନ୍ଧ୍ରପ୍ରଦେଶ ସହ ବିବାଦୀୟ ପରିସ୍ଥିତି ରହିଛି। ହାଇକୋର୍ଟରେ ଏହି ମାମଲା ବିଚାରାଧୀନ ଅଛି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକଙ୍କ ସହିତ ବିଚାର ବିମର୍ଷ କରି ଆନ୍ଧ୍ରପ୍ରଦେଶ ସରକାର ଦାଖଲ କରିଥିବା ଜବାବର ଉପଯୁକ୍ତ ପ୍ରତିଜବାବ ସୁପ୍ରିମକୋର୍ଟରେ ଦାଖଲ କରିବାକୁ କୋରାପୁଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଗ୍ରାମବାସୀଙ୍କୁ ଆବଶ୍ୟକ ମୌଳିକ ସୁବିଧା ସୁଯୋଗ ଓଡ଼ିଶା ସରକାରଙ୍କ ଦ୍ବାରା ଉପଲବ୍ଧ ହେଉଛି। ରାଜ୍ୟ ସରକାରଙ୍କ ତରଫରୁ ସେଠାରେ ମଧ୍ୟ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଛି।

ସମ୍ବନ୍ଧିତ ଖବର