ସ୍ୱାଧୀନତାର ୭୩ ବର୍ଷ ପରେ ବି ନାହିଁ ପିଇବା ପାଣି ବ୍ୟବସ୍ଥା, ଝରଣା ପାଣିରେ ମେଣ୍ଟୁଛି ଶୋଷ

ବାରିପଦା: ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ନାହିଁ ପିଇବା ପାଣି ବ୍ୟବସ୍ଥା। ଜିଲ୍ଲାର ସଦର ମହକୁମାଠାରୁ ମାତ୍ର ୧୫ କି ମି ଦୂର ବାରିପଦା ନିର୍ବାଚନ ମଣ୍ଡଳୀ ଅଧୀନ ବଡ଼ସାହି ବ୍ଲକର ଟଙ୍ଗାଶୋଳ ପଞ୍ଚାୟତର ଦାମୋଦରପୁର ଗ୍ରାମ ଭୂମିଜସାହିରେ ରହିଛି ଏପରି ଅବସ୍ଥା। ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଗାଁକୁ ବିଶୁଦ୍ଧ ପାଇପ ପାଣି ଯୋଗାଇ ଦେବାର ପ୍ରତିଶ୍ରୁତି ଯେପରି ଏଠାରେ ସାତ ସପନ ପାଲଟିଛି। ଫଳରେ ଗ୍ରାମବାସୀମାନଙ୍କର ଝରଣାର ପାଣିରେ ବିତୁଛି ଜୀବନ ।

ପିଇବା ପାଣିଠାରୁ ଆରମ୍ଭ କରି ସବୁ କିଛି ସେହି ଝରଣା ଉପରେ ନିର୍ଭର କରିବାକୁ ପଡ଼ୁଛି । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଏବଂ ନିର୍ବାଚିତ ଜନପ୍ରତିନିଧିଙ୍କ ନଜର ଆଢ଼ୁଆଳରେ ରହିଯାଇଛି ଏହି ଦୃଶ୍ୟ। ବର୍ଷ ବର୍ଷ ଧରି ଝରଣାର ପାଣି ଏହି ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଜନସାଧାରଣଙ୍କ ଶୋଷ ସହିତ ସମସ୍ତ ଆବଶ୍ୟକତାକୁ ମେଣ୍ଟାଉଛି। ସାହିରେ ନଳକୂପ, କୂଅ ଓ ପୋଖରୀ ଆଦିର କୌଣସି ବିକଳ୍ପ ନ ଥିବା କାରଣରୁ ଉକ୍ତ ସାହିରେ ବସବାସ କରୁଥିବା ୨୦/୨୫ ପରିବାରର ଶତାଧିକ ସଦସ୍ୟମାନଙ୍କୁ ପ୍ରାୟ ଅଧ କିଲୋମିଟର ଦୂର ଝରଣା ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରିବାକୁ ପଡ଼ୁଛି। ଫଳରେ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି । ତେଣୁ ସାହିରେ ଏକ ନଳକୂପ ଅଥବା କୂଅ ଖୋଳିବା ନିମନ୍ତେ ପ୍ରଶାସନ ଓ ନିର୍ବାଚିତ ଜନପ୍ରତିନିଧିମାନଙ୍କ ନିକଟରେ ଦାବି କରି ଆସୁଛନ୍ତି। ମାତ୍ର ସେମାନଙ୍କ ଦୁଃଖ ଶୁଣିବାକୁ କାହାରି ନିକଟରେ ସମୟ ନାହିଁ ବୋଲି ସାହିର ସୀମା ସିଂ, ଶୁକ୍ରୁ ସିଂ, ରଶ୍ମିତା ସିଂ ଓ ଭଗବାନ ସିଂ ପ୍ରମୁଖ ଅଭିଯୋଗ କରିଛନ୍ତି ।

ଏନେଇ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାରୁ ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଖୁବ ଶୀଘ୍ର ସାହିକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି କହିଥିଲେ । ତେବେ ଦାମୋଦରପୁର ପଞ୍ଚାୟତ ଭୂମିଜ ସାହି ବସ୍ତିବାସିନ୍ଦାମାନଙ୍କ ନିକଟରେ କେଉଁ ଦିନ ବିଶୁଦ୍ଧ ପାନୀୟ ଜଳ ପହଞ୍ଚୁଛି, ତାହା ସମୟ ହିଁ କହିବ ।

ସମ୍ବନ୍ଧିତ ଖବର