କେନ୍ଦୁଝରରେ ପିଇବାକୁ ପାଣି ମିଳୁନି: ବଡ଼ଘାଗରା ଡ୍ୟାମ୍‌ ଶୁଖିଲା

କାନଝାରିରୁ କମୁଛି ଜଳ ଯୋଗାଣ, ହସ୍ତକ୍ଷେପ କଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ

କେନ୍ଦୁଝର: କେନ୍ଦୁଝର ସହରରେ ପାନୀୟଜଳର ଉତ୍କଟ ଅଭାବ। ପିଇବାକୁ ପାଣି ଟୋପେ ମିଳୁ ନଥିବାରୁ ସହରବାସୀ କଲବଲ ହେଉଛନ୍ତି। ସହରକୁ ପାଣି ଯୋଗାଉଥିବା ଦୁଇଟି ଯାକ ଡ୍ୟାମ୍‌ ଶୁଖିଯାଇଥିବାରୁ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି। ୧୦ ଦିନ ହେବ ବଡ଼ଘାଗରା ଡ୍ୟାମ୍‌ରୁ ଦିନେ ଛଡ଼ା ଦିନେ ଅଳ୍ପଅଳ୍ପ ପାଣି ଆସୁଥିଲା। ଗତ ତିନିଦିନ ହେବ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସେହିପରି କାନଝାରି ଡ୍ୟାମ୍‌ରୁ ଜଳ ଯୋଗାଣ କମିଯାଇଛି। ସ୍ଥିତି ସଂପର୍କରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ କରିଛି।

କେନ୍ଦୁଝର ସହରକୁ ବଡ଼ଘାଗରା ଓ କାନଝାରି ଡ୍ୟାମ୍‌ରୁ ଜଳ ଯୋଗାଣ ହୋଇଥାଏ। ବଡ଼ଘାଗରା ଡ୍ୟାମ୍‌ରୁ ସହରର ୧୧ଟି ୱାର୍ଡ ଏବଂ ଅବଶିଷ୍ଟ ୧୦ଟି ୱାର୍ଡକୁ କାନ୍‌ଝାରି ଡ୍ୟାମ୍‌ରୁ ଜଳ ଯୋଗାଣ ହେଉଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବଡ଼ଘାଗରା ଶୁଖିଲା ପଡ଼ିଛି। ତଥ୍ୟ ଅନୁସା‌ରେ, ଏହି ଡ୍ୟାମ୍‌ର ସମ୍ପୂର୍ଣ୍ଣ ଜଳଧାରଣ କ୍ଷମତା ହେଉଛି ୧୯୬୨ ଆର୍‌ଏଲ (ରେଡିୟସ ଲେଭଲ)। ଏପ୍ରିଲ ମାସରେ ଡ୍ୟାମ୍‌ରେ ୧୯୩୨ ଆରଏଲ୍‌ ଜଳ ରହିବା କଥା। ଏଥର ୧୯୨୬ ଆର୍‌ଏଲ୍‌ ପାଣି ରହିଥିଲା। ମେ ମାସରେ ଜଳସ୍ତର ନିମ୍ନସ୍ତରରେ ପହଞ୍ଚିଥିଲା। ଜୁନ୍‌ ମାସରେ ଜଳଭଣ୍ଡାର ସମ୍ପୂର୍ଣ୍ଣ ଶୁଖିଯାଇଛି। ଫଳରେ ଏଠାରୁ ସହରର ୧୧ଟି ୱାର୍ଡକୁ ଜଳ ଯୋଗାଣ ବନ୍ଦ ରହିଛି।

ବଡ଼ଘାଗରା ଡ୍ୟାମ୍‌ ଶୁଖିଲା
କାନଝାରିରୁ କମୁଛି ଜଳ ଯୋଗାଣ
ହସ୍ତକ୍ଷେପ କଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ହେବ
ରଜ ମଉଜକୁ ଫିକା କଲା ପାଣି ଅଭାବ

ସେହିପରି ସହରର ୧୦ଟି ୱାର୍ଡକୁ କାନଝାରି ଡ୍ୟାମରୁ ପାଣି ଆସୁଥିଲା। ଏଠାରୁ ନିୟମିତ ୮.୫ ମିଲିଅନ ଲିଟର ଜଳ ଯୋଗାଣ ହେଉଥିଲା। କିଛଦିନ ହେବ ୭ ମିଲିଅନ ଲିଟର ଜଳ ଯୋଗାଣ ହେଉଛି। ଯାହା ଆବଶ୍ୟକତା ଠାରୁ ଢେର କମ୍‌। କେନ୍ଦୁଝର ଜିଲ୍ଲାର ଗଣପର୍ବ ହେଉଛି ରଜ। ରଜପାଇଁ ବଜାର ଖାଲିଥିବା ବେଳେ ସମସ୍ତେ ଛୁଟିରେ ଘରକୁ ଯାଇଛନ୍ତି। ସହରର ବିଭିନ୍ନ ଟ୍ୟାଙ୍କର ଡ୍ରାଇଭରମାନେ ଛୁଟିରେ ଅଛନ୍ତି। ଯେଉଁଥିପାଇଁ ଟ୍ୟାଙ୍କର ଯୋଗେ ଜଳ ‌ଯୋଗାଣ ସମ୍ଭବ ହେଉନାହିଁ। ପାଣି ସମସ୍ୟା ପାଇଁ ଲୋକଙ୍କ ରଜ ମଉଜ ଫିକା ପଡ଼ିଯାଇଛି। କେନ୍ଦୁଝର ସହରର ପାଣି ସମସ୍ୟା ସମ୍ପର୍କରେ ବୁଦ୍ଧିଜୀବୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦେଶକ୍ରମେ ୱାଟ୍‌କୋ ପକ୍ଷରୁ ନିକଟସ୍ଥ ଅଞ୍ଚଳରୁ ଟ୍ୟାଙ୍କର ଅଣାଯାଇ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି। ଏ ସମ୍ପର୍କରେ ବରିଷ୍ଠ ଆଇନଜୀବୀ ବିରଜା ମିଶ୍ର କହିଛନ୍ତି, ପାଣି ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଯିବା ପରେ ପ୍ରତିକାର ପାଇଁ ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର