ଚଢ଼େଇଧରା : ଧର୍ମଶାଳା ବ୍ଲକ୍ ଅଣ୍ଟିଆରେ ଥିବା ପଞ୍ଚାୟତ ହିଙ୍ଗୁଳା ସରକାରୀ ଉଚ୍ଚବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ ଯୋଜନାରେ ସାମିଲ କରି ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସୌନ୍ଦର୍ଯ୍ୟୀକରଣ କରାଯାଇଛି। ତେବେ ଏହି ରୂପାନ୍ତରଣ କାର୍ଯ୍ୟରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି l ମୋ ସରକାରଙ୍କ ପକ୍ଷରୁ ସ୍ମାର୍ଟ ସ୍କୁଲ ବାବଦରେ ୬୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ମନରେଗାରେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ମୋଟ ୧ କୋଟି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ବି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳୁନାହିଁ l ଏଠାରେ ଟାଙ୍କି ଅଛି, ଟ୍ୟାପ ବି ଲାଗିଛି କିନ୍ତୁ ପାଣି ଆସୁନି।

Advertisment

୭୨୦ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ପିଇବା ପାଣି  ଲାଗି ଏକ ମାତ୍ର ନଳକୂପ ଉପରେ ନିର୍ଭର କରୁଛନ୍ତି l ଅଥଚ ପିଇବା ପାଣି ଲାଗି ସ୍ମାର୍ଟ ସ୍କୁଲରେ ୩ ଲକ୍ଷ ଟଙ୍କା ବିଲ୍ ହୋଇଛି। ବିଦ୍ୟାଳୟ ପ୍ରଧାନଶିକ୍ଷକ କହିଛନ୍ତି ପିଇବା ପାଣି ଲାଗି ଠିକାଦାର କିଛି କରିନାହାନ୍ତି। ବିଦ୍ୟାଳୟରେ ଯେଉଁ ପାଣି ଉଠାଇବାକୁ ମୋଟର ଥିଲା, ଠିକାଦାର ନିର୍ମାଣ କାର୍ଯ୍ୟ ପାଇଁ ପାଣି ଉଠେଇବାରେ ଏହାକୁ ବ୍ୟବହାର କରିବାରୁ ମୋଟର ପୋଡ଼ିଗଲା।  ଅନ୍ୟପକ୍ଷରେ ଛାତ୍ରଛାତ୍ରୀଙ୍କ ଅବସର ବିନୋଦନ ନିମନ୍ତେ ବିଦ୍ୟାଳୟରେ ଉଦ୍ୟାନ ଉନ୍ନତୀକରଣ ଲାଗି ୧୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ଦର୍ଶାଯାଇଛି। ବଗିଚାରେ କେବଳ ହାତଗଣତି କେତୋଟି ଗଛ ଲଗାଯାଇଛି l ପାଚେରି ଓ ବିଦ୍ୟାଳୟ ରାସ୍ତା ନିର୍ମାଣ ପୂର୍ବରୁ ହୋଇଥିବା ବେଳେ ତାକୁ ମରାମତି କରି ନୂତନ ଭାବେ ନିର୍ମାଣ କରାଯାଇଥିବା ଦର୍ଶାଇ ବିଲ୍ ଉଠେଇ ନେଇଥିବା ଅଭିଯୋଗ ହେଉଛି l ଏହି ବିଦ୍ୟାଳୟ ରୂପାନ୍ତରଣ ନାମରେ ହୋଇଥିବା ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତିରେ ବିଭାଗୀୟ ଅଧିକାରୀ ଓ ଠିକାଦାର ସାମିଲ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି l  କେଉଁ ବିଭାଗରୁ କେତେ ଟଙ୍କା ଏହି ବିଦ୍ୟାଳୟରେ ଖର୍ଚ୍ଚ ହୋଇଛି, ତାହାର ଭିଜିଲାନ୍ସ ତଦନ୍ତ କରିବାକୁ ପୁରାତନ ଛାତ୍ରଛାତ୍ରୀ ଦାବି କରିଛନ୍ତି l