ସିଏମ୍‌ସିକୁ ମିଳୁ ନାହାନ୍ତି ଡ୍ରାଇଭର, ୪୫ ଲକ୍ଷ ଟଙ୍କାର ମିନି ଏକ୍ସା ଭେଟର୍‌ ବେକାର

କଟକ : କଟକ ମହାନଗର ନିଗମକୁ ମିଳୁ ନାହାନ୍ତି ଡ୍ରାଇଭର। ଏଭଳି ସ୍ଥିତିରେ ଗଲା ୨ ମାସ ହେବ ୪୫ ଲକ୍ଷ ଟଙ୍କାରେ କିଣାଯାଇଥିବା ଦୁଇଟି ମିନି ଏକ୍ସାଭେଟର୍‌ ବ୍ୟବହାର ନହୋଇ ବିକାଶ ଭବନରେ ପଡି ରହିଛି। ସହରର ଛୋଟ ଡ୍ରେନରୁ ପଙ୍କ ଉଦ୍ଧାର କରିବାକୁ ଏହା କିଣାଯାଇ ଥିବା ବେଳେ କର୍ତ୍ତୃପକ୍ଷଙ୍କ ଆନ୍ତରିକତା ଅଭାବରୁ ଲକ୍ଷାଧିକ ଟଙ୍କାର ଦୁଇଟି ଗାଡ଼ି ‌ଏବେ କୌଣସି କାମରେ ଆସୁନାହିଁ। ବର୍ଷା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ପଙ୍କ ଉଦ୍ଧାର କାମ କରିବାକୁ ସିଏମ୍‌ସି ୨ଟି ନୂଆ ମେସିନ୍ କିଣି ଥିବା ବେଳେ ସେଗୁଡିକୁ ବ୍ୟବହାର ନ କରି ଏପରି ପକାଇ ରଖିବା ଘଟଣାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି।

ବର୍ଷା ପୂର୍ବରୁ ସହରର ସମସ୍ତ ଡ୍ରେନରୁ ପଙ୍କ ଉଦ୍ଧାର କାମ ଶେଷ କରିବାକୁ ସାଂସଦ, ବିଧାୟକ, ଜିଲ୍ଲାପାଳ ଓ ଆରଡିସି ପ୍ରମୁଖ ସିଏମ୍‌ସି ଓ ଜାଇକା କର୍ତ୍ତୃପକ୍ଷଙ୍କ ସହିତ ବାରମ୍ବାର ବୈଠକ କରୁଛନ୍ତି। ପୂର୍ବବର୍ଷ ପରି ଏଥର ସହରବାସୀ ଯେପରି ଜଳ ବନ୍ଦୀ ସମସ୍ୟାର ସମ୍ମୁଖୀନ ନ ହେବେ ଏହାକୁ ନେଇ ‌ସମସ୍ତେ ଚିନ୍ତାରେ ଥିବା ବେଳେ ସିଏମ୍‌ସି ଡ୍ରେନ ସଫେଇ ପାଇଁ ଦୁଇଟି ନୂଆ ମିନି ଏକ୍ସା ଭେଟର ୪୫ ଲକ୍ଷ ଟଙ୍କା ଦେଇ ଗତ ଏପ୍ରିଲ ମାସରେ କିଣିଥିଲା। ସିଏମ୍‌ସି ଅଧୀନରେ ଥିବା ୬୪୯ କିମି ‌ଛୋଟ ନାଳ ସହିତ ୨୯ କିମିର ମୁଖ୍ୟ ‌ଡ୍ରେନରୁ ପଙ୍କ ସଫା କରିବାକୁ ଏହାକୁ କିଣାଯାଇଥିଲା। ପୂର୍ବରୁ ନିଗମ ନିକଟରେ ୨ଟି ମିନି ଏକ୍ସା ଭେଟର୍‌ ଥିବା ବେଳେ କର୍ତ୍ତୃପକ୍ଷ ଚଳିତ ବର୍ଷ ଦୁଇଟି ନୂଆ କିଣିଥିଲେ। ଚେନ୍‌ ଚକା ବଦଳରେ ଟାୟାର ଚକା ଥିବା ଏକ୍ସା ଭେଟର୍‌ ସହରର ଗଳି କନ୍ଦିରେ ସହଜରେ କାର୍ଯ୍ୟ କରିବାକୁ ସକ୍ଷମ ହେବ ବୋଲି ଲକ୍ଷାଧିକ ଟଙ୍କା ଦେଇ ଏହାକୁ କିଣା ଯାଇଥିଲା। ମାତ୍ର ଏହାକୁ ଚଲାଇବାକୁ କର୍ତ୍ତୃପକ୍ଷ ଏବେ ଡ୍ରାଇଭର ନିଯୁକ୍ତ କରି ପାରୁ ନାହାନ୍ତି। ଫଳରେ ୨ ମାସ ହେବ ଗାଡି ଦୁଇଟି ବିକାଶ ଭବନରେ ଛିଡ଼ା ହୋଇ ରହିଛି। ସିଏମ୍‌ସି ଅଧୀନରେ ଥିବା ସମସ୍ତ ଗାଡ଼ି ପାଇଁ ଦୁଇ ଜଣ ଲେଖାଁଏ ଡ୍ରାଇଭର ରଖିବାକୁ କର୍ତ୍ତୃପକ୍ଷ ଚିନ୍ତା କରୁଥିବା ବେଳେ ଏହି ଦୁଇଟି ଗାଡି ପାଇଁ କିପରି ଡ୍ରାଇଭର ମିଳୁ ନାହାନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏବେ ସିଏମ୍‌ସି ୬ଟି ଜେସିବି ଓ ୨ଟି ମିନି ଏକ୍ସା ଭେଟର୍‌ ସାହାଯ୍ୟରେ ପଙ୍କ ଉଦ୍ଧାର କାମ କରୁଛି। ଏନେଇ ସିଏମ୍‌ସି କମିଶନ୍‌ର ଶରତ ଚନ୍ଦ୍ର ନାୟକ କହିଛନ୍ତି ଯେ ନୂଆ ଦୁଇଟି ଗାଡ଼ି ପାଇଁ ବହୁତ ଉଦ୍ୟମ ପରେ ବି ଡ୍ରାଇଭର ମିଳୁ ନାହାନ୍ତି। ସିଏମ୍‌ସିର ପ୍ରତ୍ୟେକ ଗାଡି ପାଇଁ ଦୁଇଟି ଚାଳକ ରଖିବାକୁ ଆମେ ଯୋଜନା କରୁଥିବା ବେଳେ ଏହାକୁ କିଛି ଡ୍ରାଇଭର ବିରୋଧ କରୁଛନ୍ତି। ଆଗାମୀ ଦିନରେ ଯେପରି ଦୁଇଟି ଗାଡ଼ି କାମରେ ଲଗାଯାଇ ପାରିବ ଏହା ଉପରେ ଅଧିକ ଗୁରତ୍ବ ଦିଆଯିବ ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର