ତେଲକୋଇ: ଉଠାଜଳସେଚନ ନିଗମ ପକ୍ଷରୁ ଚାଷୀଙ୍କ ଜମିରେ ଗଭୀର ନଳକୂପ ଖୋଳାଯାଇଛି। ହେଲେ ବିଦ୍ୟୁତ୍ ସଂଯୋଗ ଦିଆଯାଇ ନଥିବାରୁ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ଫଳରେ ଖରାଦିନେ ଚାଷବାସ ହୋଇପାରୁ ନଥିବା କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ର ଚାଷୀମାନେ ଅଭିଯୋଗ କରିଛନ୍ତି।
୭ ବର୍ଷ ତଳେ ଅର୍ଥାତ୍ ୨୦୧୭ରେ ଚାଷୀମାନେ ନିଜ ଜମିରେ ଗଭୀର ନଳକୂପ ଖୋଳିବା ନିମନ୍ତେ ଆବେଦନ କରିଥିଲେ। ଦୁଇବର୍ଷ ତଳେ ଚାଷୀଙ୍କ ଜମିରେ ନଳକୂପ ଖୋଳଯାଇଥିଲା। କେନ୍ଦୁଝର ଜିଲ୍ଲାରେ ୫୦୦ରୁ ଊର୍ଦ୍ଧ୍ବ ଗଭୀର ନଳକୂପ ଖୋଳା ଯାଇଥିବା ବେଳେ ତେଲକୋଇ ବ୍ଲକ୍ରେ ୮୫ରୁ ଉର୍ଦ୍ଧ୍ବ ପ୍ରକଳ୍ପ ରହିଛି। ବିଦ୍ୟୁତ୍ ଖୁଣ୍ଟ ପୋତାଯିବା ସହ ତାର ଟଣାଯାଇ ଟ୍ରାନ୍ସଫର୍ମର ବସାଯାଇଛି। ଚାଷୀଙ୍କୁ ପାଣି ଉଠାଇବା ପାଇଁ ମୋଟର ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ମିଟର ବସାଇ ବିଦ୍ୟୁତ୍ ସଂଯୋଗ ଦେବାକୁ ଚାଷୀମାନେ ବିଦ୍ୟୁତ୍ ବିଭାଗ ନିକଟରେ ଆବଶ୍ୟକ କାଗଜପତ୍ର ଦେଇ ଆବେଦନ କରିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ହେଉନାହିଁ। ଫଳରେ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ।
ଜମିରେ ଗଭୀର ନଳକୂପ ଖୋଳାଯିବା ପରେ ଚାଷୀମାନେ ଉଭୟ ରବି ଓ ଖରିଫ ଋତୁରେ ବିଭିନ୍ନ ଚାଷ କରି ଦୁଇପଇସା ରୋଜଗାର କରିବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରୁ ନଥିବାରୁ ଚାଷ କରିବା ସମ୍ଭବ ହେଉନାହିଁ ବୋଲି ତେଲକୋଇ ବ୍ଲକ୍ ଖୁଣ୍ଟାପଡ଼ା ଗ୍ରାମର ଚାଷୀ ଯୋଗେନ୍ଦ୍ର ପ୍ରଧାନ, ବ୍ରଜକିଶୋର ପ୍ରଧାନ, ସାରଙ୍ଗଧର ପ୍ରଧାନ, ହୃଷୀକେଶ ବିଶ୍ବାଳ ପ୍ରମୁଖ ପ୍ରମୁଖ ପ୍ରକାଶ କରିଛନ୍ତି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଳଉତ୍ସ ଗୁଡ଼ିକ ଶୁଖିଯାଇଛି। ଫଳରେ ପରିବା ଚାଷ କରିବା ସମ୍ଭବ ହେଉନାହିଁ। ତୁରନ୍ତ ବିଦ୍ୟୁତ୍ ସଂଯୋଗ ଦେଇ ଉଠାଜଳସେଚନ ପ୍ରକଳ୍ପ ଗୁଡ଼ିକୁ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଚାଷୀମାନେ ଦାବି ଜଣାଇଛନ୍ତି। ଏ ସମ୍ପର୍କରେ କେନ୍ଦୁଝର ଜିଲ୍ଲା ଉଠାଜଳସେଚନ ନିଗମର ନିର୍ବାହୀ ଯନ୍ତ୍ରୀ ସହଦେବ ସେଠୀଙ୍କୁ ପଚାରିବାରୁ, କିଛି ଚାଷୀ ନିଜର ବକେୟା ବିଦ୍ୟୁତ୍ ବିଲ୍ ନଥିବା ନେଇ ନୋ ଡିଉଜ୍ ପ୍ରମାଣପତ୍ର ଦେଉନାହାନ୍ତି। ଯେଉଁଥିପାଇଁ ପ୍ରକଳ୍ପ ଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇପାରୁ ନାହିଁ। ଯେଉଁମାନେ ପ୍ରମାଣପତ୍ର ଦାଖଲ କରିଛନ୍ତି ବିଦ୍ୟୁତ୍ ବିଭାଗ ପକ୍ଷରୁ ମିଟର ବସାଯାଇ ବିଦ୍ୟୁତ୍ ସଂଯୋଗ ଦିଆଗଲେ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ଶ୍ରୀ ସେଠୀ ପ୍ରକାଶ କରିଛନ୍ତି।