ବିଦ୍ୟୁତ୍‌ ସଙ୍କଟ ନାହିଁ, ବିଶ୍ବବିଦ୍ୟାଳୟ ହଷ୍ଟେଲ୍‌ ଅନ୍ଧାର!

ଗୋପାଳପୁର: ରାଜ୍ୟରେ ବିଦ୍ୟୁତ ସଂକଟ ନାହିଁ। ହେଲେ ମନୁଷ୍ୟକୃତ ବିଦ୍ୟୁତ୍ ବିଭ୍ରାଟକୁ ନେଇ ଗଞ୍ଜାମ ଜିଲ୍ଲାସାରା ଅସ‌ନ୍ତୋଷ ଲାଗି ରହିଥିବାବେଳେ ଏଥିରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ବି ବାଦ୍‌ ପଡିନି। ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ଗତକାଲି ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଛାତ୍ର ଉତ୍ତେଜନା ଦେଖାଦେବା ସହ ରାତିତମାମ ଛାତ୍ରମାନେ ଉଜାଗର ରହିଛନ୍ତି। ଏପରିକି ଅଧରାତିରେ ଉତ୍ତ୍ୟକ୍ତ ଛାତ୍ର କୁଳପତିଙ୍କ ବାସଭବନ ସମ୍ମୁଖରେ ତିନିଘଣ୍ଟା ବିକ୍ଷୋଭ କରିଛନ୍ତି। ଭୋର୍‌ବେଳକୁ ବିଦ୍ୟୁତ ଆସିବାପରେ ଉତ୍ତ୍ୟକ୍ତ ଛାତ୍ର ନିଜ ନିଜ ହଷ୍ଟେଲ୍‌କୁ ଫେରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ରାତିରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ର ହଷ୍ଟେଲରେ ବିଦ୍ୟୁତ୍ ଚାଲିଯାଇଥିଲା। ବହୁସମୟ ଧରି ବିଦ୍ୟୁତ୍ ନଆସିବା ଫଳରେ ସଂପୂର୍ଣ୍ଣ ଅନ୍ଧକାର ମଧ୍ୟରେ ଥିବା ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଥିଲା। ବିଶ୍ବବିଦ୍ୟାଳୟ ପରିସରରେ ବିଦ୍ୟୁତ୍ ଥିବାବେଳେ କେବଳ ହଷ୍ଟେଲ୍‌ରେ ବିଦ୍ୟୁତ୍‌ ନଥିବା ଜାଣିବାପରେ ସେମାନେ ହଷ୍ଟେଲ ୱାର୍ଡ଼େନ୍‌ ଦାୟିତ୍ବରେ ଥିବା ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କୁ ଫୋନ୍‌ କରିଥିଲେ। ତେବେ ସେ ଫୋନ୍ ଉଠାଇ ନଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି।

ପରେ ସେମାନେ ଭଞ୍ଜବିହାର ବିଦ୍ୟୁତ୍ ସେକ୍ସନ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ଶ୍ରୀ ଆଚାର୍ଯ୍ୟଙ୍କୁ ଯୋଗାଯୋଗ କରି ବିଦ୍ୟୁତ୍ କାଟର କାରଣ ଜାଣିବାକୁ ଚାହିଁଥିଲେ। କନିଷ୍ଠ ଯନ୍ତ୍ରୀ ବି କେଉଁ କାରଣରୁ ବିଦ୍ୟୁତ୍ କାଟ୍‌ ହୋଇଛି ଜାଣି ନଥିବା କହିବା ସହ ବର୍ତ୍ତମାନ ରାତିରେ କର୍ମଚାରୀ

ନାହାନ୍ତି, ସକାଳୁ କ’ଣ ହୋଇଛି ଦେଖାଯିବ ବୋଲି କହିବା ପରେ ଛାତ୍ରମାନେ ଉତ୍ତେଜିତ ହୋଇପଡ଼ିଥିଲେ। ସଂଗଠିତ ଭାବେ କୁଳପତିଙ୍କ ବାସଭବନ ଆଡ଼କୁ ଚାଲିଥିଲେ। ଉତ୍ତ୍ୟକ୍ତ ଛାତ୍ର କୁଳପତିଙ୍କ ବାସଭବନ ଆଗରେ ପ୍ରାୟ ତିନି ଘଣ୍ଟା ଧରି ବିକ୍ଷୋଭ କରିଥିଲେ।

ଏ ନେଇ ଦାୟିତ୍ବରେ ଥିବା ଟିପିଏସ୍‌ଓଡିଲ୍‌ କନିଷ୍ଠ ଯନ୍ତ୍ରୀ ଉତ୍ପଳ ଆଚାର୍ଯ୍ୟଙ୍କ ସହ ଯୋଗାଯୋଗ କରାଯିବାରୁ ବିଦ୍ୟୁତ୍ ତାରରେ କାଉ ଲାଗି ଯାଇଥିବା ଯୋଗୁଁ ବିଦ୍ୟୁତ୍ କଟି ଯାଇଥିଲା ବୋଲି ସଫେଇ ଦେଇଛନ୍ତି। ରାତିର ଘଟଣା ପରେ ଟାଟା ପାୱାର୍‌ ଦାୟିତ୍ବରେ ଥିବା ଅଧିକାରୀମାନେ କ୍ୟାମ୍ପସ୍‌ ପରିସରରେ ରହିବା ପାଇଁ ଛାତ୍ରମାନେ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ଗୀତାଞ୍ଜଳି ଦାଶ ଦାୟିତ୍ବ ଗ୍ରହଣ କରିବାର ମାତ୍ର ୪ ଦିନ ପରେ ବିଦ୍ୟୁତ୍ କାଟକୁ ନେଇ ଏଭଳି ଛାତ୍ର ଅଶାନ୍ତି ଦେଖାଦେଇଥିଲା।

ସମ୍ବନ୍ଧିତ ଖବର