ପାତ୍ରପୁର (ନୀଳାଞ୍ଚଳ ପଟ୍ଟନାୟକ): ସ୍ବାସ୍ଥ୍ୟ ଓ ଗମନାଗମନ ଭଳି ବିଦ୍ୟୁତ୍ ସେବା ଭଳି ମୌଳିକ ଆବଶ୍ୟକତା ଭାବେ ପରିଗଣିତ ହୋଇଛି। ଫଳରେ ଗାଁଠୁ ଆରମ୍ଭ କରି ସହର ସବୁଠି ଘରେ ଘରେ ସେବାକୁ ପହଞ୍ଚାଇବାକୁ ରାଜ୍ୟ ଏବଂ କେନ୍ଦ୍ର ସରକାର ମାଳମାଳ ଯୋଜନା ହାତକୁ ନେଇଛନ୍ତି। ତେବେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ରେ ସ୍ଥିତି ସଂପୂର୍ଣ୍ଣ ଭିନ୍ନ। ଗୋଟିଏ ପଟେ ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳୁଥିବା ବେଳ‌େ ଆଜି ବି ତିନି ପଞ୍ଚାୟତର ୫୦ଟି ଆଦିବାସୀ ଦୁର୍ଗମ ଗାଁର ଲୋକେ ବିଦ୍ୟୁତ୍ ସେବା କଣ, ଆଜିଯାଏ ଜାଣିନାହାନ୍ତି। ଫଳରେ ଆଜି ବି ସଞ୍ଜ ନଇଁଲେ ପ୍ରତି ଘରେ କିରାସିନି ଡିବିରି ଓ ମହମବତି ଜଳୁଛି।
୨୦୧୯ ମସିହାରେ ସଂଗୃହୀତ ସରକାରୀ ରେକର୍ଡ଼ ଅନୁସାରେ, ପାହାଡ଼ ଉପରେ ଥିବା ତୁମ୍ବା, ବୁରାତାଲ, ଓ ଆଙ୍କୁଲି ପଞ୍ଚାୟତର ୫୦ରୁ ଅଧିକ ଗ୍ରାମରେ ବିଦ୍ୟୁତ୍ ସେବା ଆଜି ଅପହଞ୍ଚ ବୋଲି ଜଣାପଡ଼ିଥିଲା। ଜିଲ୍ଲାପାଳଙ୍କ ରିପୋର୍ଟରୁ ଏହି ତଥ୍ୟ ହସ୍ତଗତ ହେବା ପରେ ବିଦ୍ୟୁତ୍ ବିଭାଗ ସର୍ଭେ ଆରମ୍ଭ କରିଥିଲା। ଉକ୍ତ ଗ୍ରାମ ଗୁଡ଼ିକରୁ ୧୦ ପ୍ରତିଶତ ଅର୍ଥାତ୍ ୫ଟି ଗ୍ରାମକୁ ହିଁ ବିଦ୍ୟୁତ୍ ସଂଯୋଗୀକରଣ ହୋଇପାରିବ ବୋଲି ବିଦ୍ୟୁତ୍ ବିଭାଗ ସ୍ପଷ୍ଟ କରିଥିଲା। ଅନ୍ୟ ଗ୍ରାମ ଗୁଡ଼ିକରେ ବିକଳ୍ପ ବ୍ୟବସ୍ଥା ସ୍ବରୂପ ସୋଲାର୍ ଯୋଜନା ହାତକୁ ନେବା ଲାଗି ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା।

Advertisment

ତେବ‌େ ଆଜିଯାଏ ଉକ୍ତ ଗ୍ରାମ ଗୁଡ଼ିକୁ ବିଦ୍ୟୁତ୍ ସେବା ପହଞ୍ଚି ପାରି ନଥିବା ପାତ୍ରପୁର ସବଡିଭିଜନ୍ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି କିଛି ଆଦିବାସୀଅଧ୍ୟୁଷିତ ଗ୍ରାମରେ ସୋଲାର୍ ଲାଇଟ୍ ବ୍ୟବସ୍ଥା ରହିଥିଲେ ହେଁ, ତାହା ଭଙ୍ଗାରୁଜା ଅବସ୍ଥାରେ ରହିଛି। କିନ୍ତୁ ବେସରକାରୀ ରେକର୍ଡ଼କୁ ଅନୁଧ୍ୟାନ କଲେ ବିଦ୍ୟୁତ୍ ଓ ସୋଲାର୍ ବ୍ୟବସ୍ଥା ପହଞ୍ଚି ପାରି ନଥିବା ଏଭଳି ଶତାଧିକ ଗ୍ରାମ ରହିଛି। ତୁମ୍ବା ପଞ୍ଚାୟତର ବଡ଼ଅଞ୍ଜାଙ୍ଗୁଲି, ସାନଅଞ୍ଜାଙ୍ଗୁଲି, ବଡ଼ରମ୍ପା, ସାନରମ୍ପା, କୁରାଙ୍ଗ ଓ ବାଲିଗାଁନୂଆସାହି ପ୍ରମୁଖ ୧୦ଟି ଗାଁରେ ବିଦ୍ୟୁତୀକରଣ ହୋଇ ନଥିବା ବେଳେ କିଛି ଗାଁରେ ଥିବା ସୋଲାର୍ ବ୍ୟବସ୍ଥା ‘ତିତ୍‌ଲି’ ବାତ୍ୟାରୁ ଅଚଳ ହୋଇ ପଡ଼ିରହିଛି।

ଥଳିବାଡ଼ରେ ୩୦ ପରିବାର, କୁରାଙ୍ଗ ନୂଆସାହିରେ ୭ ପରିବାର, ଯମୁନାଘାଟିରେ ୮ ପରିବାର ରହୁଛନ୍ତି। ତେବ‌େ ଉକ୍ତ ୩ଟି ଗ୍ରାମରେ ବିଦ୍ୟୁତ୍ ଓ ସୋଲାର୍‌ର ସୁବିଧା ନାହିଁ। ବାଲିଗାଁନୂଆସାହିରେ ୩୦ ଆଦିବାସୀ ପରିବାରକୁ ସରକାର ନୂଆ ଠିକଣା ଦେଇଥିଲେ ମଧ୍ୟ ସେଠାରେ ବିଦ୍ୟୁତ୍ ସେବା ଅପହଞ୍ଚ ରହିଛି। ତାବୁଡ଼ିଆ ଗ୍ରାମର ବି ୨୫ ଆଦିବାସୀ ପରିବାରଙ୍କୁ ସରକାର ସିନ୍ଦୁରାବଡ଼ ନିକଟକୁ ଆଣି ଥଇଥାନ୍ କରିବା ସହ ସେମାନଙ୍କ ପାଇଁ ନୂଆ ଘର ତିଆରି କରିଥିଲେ ବି ସେଠାରେ ବିଦ୍ୟୁତ୍ ସେବା ବି ଯେମିତି ସ୍ବପ୍ନ ପାଲଟିଛି। ରମ୍ପାର ୩୫ ପରିବାର, ସାନଅଞ୍ଜାଙ୍ଗୁଲି ଓ ବଡ଼ଅଞ୍ଜାଙ୍ଗୁଲିର ୪୦ ପରିବାର ପାଇଁ ବିଦ୍ୟୁତ୍ ବ୍ୟବସ୍ଥା ହୋଇ ନାହିଁ। ଆଉ ଯେଉଁ ସୋଲାର୍ ବ୍ୟବସ୍ଥା ହୋଇଥିଲା ତାହା ବି ଅଚଳାବସ୍ଥାରେ ପଡ଼ିରହିଥିବା ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ ବୁରାତାଲ ପଞ୍ଚାୟତ କମଳଖତ ନୂଆସାହିରେ ବିଦ୍ୟୁତ୍ କି ସୋଲାର୍ ସେବାର ସୁବିଧା ନାହିଁ। ତିତ୍‌ଲି ପରେ ମହାଲିମ୍ବ ଗ୍ରାମର ୧୦ଟି ପରିବାରକୁ ଗୁଜୁଲିଙ୍ଗିରେ ଥଇଥାନ୍ କରାଯାଇଥିଲା। ଉକ୍ତ ୧୦ଟି ପରିବାର ବିଦ୍ୟୁତ୍ ସେବା କଣ ତାହା ଆଜି ପର୍ଯ୍ୟନ୍ତ ଜାଣିନାହାନ୍ତି। ଆଙ୍କୁଲି ପଞ୍ଚାୟତର ଗଡ଼ଙ୍ଗ ଗାଁରେ ୬୦ରୁ ଅଧିକ ପରିବାର ରହୁଥିବା ବେଳ‌େ ମାଡ଼ୁଆରେ ୧୦, ବଣିଆବସାରେ ୨୦ରୁ ଊର୍ଦ୍ଧ୍ବ ଏବଂ ଏଲଗଲରେ ୩୫ରୁ ଅଧିକ ପରିବାର ରହୁଥିବା ବେଳେ ସବୁଠି ସଂଜ ନଇଁଲେ ଅନ୍ଧାର ରାଜୁତି କରୁଛି। କିଞ୍ଚରଡ଼ା, କାଙ୍ଗୁଦେଇ ଓ ହାଡ଼ିଆସାହି ପ୍ରମୁଖ ଗ୍ରାମରେ ସୋଲାର୍ ସେବା ତିତ୍‌ଲି ବାତ୍ୟା ପରଠୁ କାମ କରୁନି। ରାଇଖାଲରେ ବି ସ୍ଥିତି ସମାନ।
ଅନ୍ୟପକ୍ଷରେ ଯେଉଁ ସଂସ୍ଥା ଗୁଡ଼ିକ ସୋଲାର୍ ପ୍ଲାଣ୍ଟ୍ ନିର୍ମାଣ କରୁଛନ୍ତି, ସେମାନେ ଭାଙ୍ଗିବା ପରେ ଏହାକୁ ମରାମତି ଦିଗରେ ପଦକ୍ଷେପ ନେଉନାହାନ୍ତି। ଚଳିତବର୍ଷ ବାଘଲଟି ଜଳଭଣ୍ଡାର ଆରପାରିରେ ଥିବା ବଣିଆବସା, ଏଲଗଲ ଓ ମାଡ଼ୁଆ ପ୍ରମୁଖ ଗ୍ରାମରେ ଇଣ୍ଡିଭିଜୁଆଲ୍ ସୋଲାର୍ ବ୍ୟବସ୍ଥା ପାଇଁ ପ୍ରଶାସନ ଅନୁଧ୍ୟାନ କରି ଫେରିଥିଲେ ହେଁ, ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନି।