ଘୁ ଉଦୟଗିରି: ସରକାରଙ୍କ ଦ୍ଵାରା ବହୁମୁଖି ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ କରାଯାଇ ଅଞ୍ଚଳର ଖେଳ ପ୍ରତିଭାବାନମାନଙ୍କୁ ଉତ୍ସାହିତ କରି କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ି ଉଜ୍ବଳ ଭବିଷ୍ୟତ ଗଠନ କରିବା ନିମନ୍ତେ ପ୍ରୟାସ କରିବା ନିମନ୍ତେ ସ୍ଥାନୀୟ ଅଞ୍ଚଳର କ୍ରୀଡା ପ୍ରେମୀଙ୍କ ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟରେ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ ହୋଇଛି। ୫ଟି ସଚିବଙ୍କ ଘୁ.ଉଦୟଗିରି ଗସ୍ତ ସମୟରେ ଏହି ନବ ନିର୍ମିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମକୁ ଆସି ବୁଲି ଯାଇଥିଲେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ନିମ୍ନମାନର କାମ ପାଇଁ ସରକାରଙ୍କ ଟଙ୍କା ଅନ୍ୟମାନଙ୍କ ପାଖକୁ ଯାଉଛି। ଯନ୍ତ୍ରୀ, ସରକାରୀ ବାବୁ ଓ ଠିକାଦାର ସମସ୍ତେ ମାଲାମାଲ ହେଉଛନ୍ତି। ପରସ୍ପର ମଧ୍ୟରେ ମଧୁଚନ୍ଦ୍ରିକା ରଖି ସରକାରଙ୍କ ଟଙ୍କା ହଡ଼ପ କରିବାରେ ବ୍ୟସ୍ତ ରହୁଥିବା ଅନୁମାନ ହେଉଛି। ଏପରି ଦୃଶ୍ୟ ସ୍ଥାନୀୟ ପରିଷଦ ଅନ୍ତର୍ଗତ ୪ ନମ୍ୱର୍ ୱାର୍ଡ କଳିଙ୍ଗ ମହାବିଦ୍ୟାଳୟ ନିକଟରେ ୬.୪କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବହୁମୁଖି ଇଣ୍ଡୋର ଷ୍ଟାଡିୟମ୍ ଦେଖିବାକୁ ମିଳିଛ। ଏହି ଷ୍ଟାଡିୟମକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେବ୍ରୁଆରି୨୩ତାରିଖ ଦିନ ଉଦଘାଟନ କରିଥିଲେ।
ବର୍ତ୍ତମାନ ଏହା ଲୋକାର୍ପିତ ହେବାର ଛଅ ମାସ ପୁରିନି ଅଲୋଡା ଆଡ଼କୁ ଯାଉଥିବା ଅଭିଯୋଗ ହୋଇଛି। ଦାୟିତ୍ୱରେ ଥିବା ଅଧିକାରୀ ଏହି ବିଷୟରେ ଅବଗତ ଥିବା ସତ୍ତ୍ୱେ କିଛି କରିପାରୁନାହାନ୍ତି। ପ୍ରଶ୍ନ ଉଠୁଛି ବିଭାଗୀୟ ଅଧିକାରୀ ସମସ୍ୟା ବିଷୟରେ ଜାଣି ସୁଦ୍ଧା କିଛି ପଦକ୍ଷେପ ନେଇ ପାରୁନାହାନ୍ତି କାହିଁକି? ତେବେ କାହିକି ନିମ୍ନମାନର କାର୍ଯ୍ୟ ହୋଇଛି ? ସେପଟେ ଜିଲ୍ଲାପାଳ ମଧ୍ୟ ଏହି କାର୍ଯ୍ୟ ଚାଲିବା ସମୟରେ ବାରମ୍ବାର ପରିଦର୍ଶନ ସହିତ ଅନେକ ଥର ଆସି ନିଜେ ତଦାରଖ କରିଥିବା ମଧ୍ୟ ନଜର ରହିଛି। ଏହି ଇଣ୍ଡୋର ଷ୍ଟାଡିୟମ କାର୍ଯ୍ୟଟି ବାହାରର ଜଣେ ଠିକାଦାର ନେଇଥିବା ଏବଂ ସେ ପ୍ରଭାବଶାଳୀ ହୋଇଥିବା ଯୋଗୁଁ ତାଙ୍କୁ କେହି ହାତ ମାରିବାକୁ ସାହସ କରିପାରୁନଥିବା ସୂଚନା ମିଳିଛି। ତେବେ ସୁନ୍ଦର୍ ଭାବରେ ଏହି ବହୁମୁଖି ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ ହୋଇଥିବା ବେଳେ ବର୍ତ୍ତମାନ ଉପରେ ଚତୁର୍ପାର୍ଶ ଛାତ କାନ୍ଥରୁ ପାଣି ଝରିବା ସହିତ ବାହାରକୁ ମଧ୍ୟ ପାଣି ଝରିବା ଚିହ୍ନ ଦେଖାଯାଉଥିବା ବେଳେ କାନ୍ଥ ମଧ୍ୟ କିଛି ସ୍ଥାନରେ ଫାଟି ଥିବା ଦେଖିବାକୁ ମିଳିଛି। ଦ୍ଵାର ସମ୍ମୁଖରେ ଉପର ଅଂଶ ଫାଟି ପାଣି ଗଳି ଚଟାଣରେ ପଡୁଛି। କେତେବେଳେ ସେହି ସିଲିଂ ଖାଇବ ତାହା ଜଣାନାହିଁ। ସମ୍ମୁଖ ଦ୍ଵାରରେ ପାଣି ଗଳିବା ଫଳରେ ତଳେ ପାଣି ଜମୁଛି। ଗତ ଦୁଇ ସପ୍ତାହ ହେଲା ଷ୍ଟାଡିୟମ ପରିସରରେ ବିଦ୍ୟୁତ ସେବା ଠପ ହୋଇଯାଇଛି, ଯାହା ଫଳରେ ଖେଳାଳିମାନେ ନିୟମିତ ଖେଳ ଖେଳି ନ ପାରି ନିରାଶ ହୋଇଛନ୍ତି।
ପ୍ରାପ୍ତ ସୂଚନାନୁସାରେ ଷ୍ଟାଡିୟମରେ ନିମ୍ନମାନର ବିଦ୍ୟୁତ ସରଞ୍ଜାମ ବ୍ୟବହାର କରାଯାଇଥିବା ଯୋଗୁ ବିଭିନ୍ନ ସମୟରେ ବିଦ୍ୟୁତ ବିଭ୍ରାଟ ଦେଖା ଦେଉଥିବା ଅଭିଯୋଗ ହେଉଛି। କେତେବେଳେ ଫିୟୁଜ ଯାଉଛି ତ କେତେବେଳେ ଏମସି ବକ୍ସ ପୋଡି ଯାଉଛି ଅଭିଯୋଗ କଲେ ମଧ୍ୟ ମରାମତି ହେଉନି ବାଧ୍ୟ ହୋଇ ଖେଳାଳିମାନେ ନିଜେ ଚାନ୍ଦା କରି ମରାମତି କରୁଛନ୍ତି ହେଲେ ଏବେ ଟ୍ରାନ୍ସଫର୍ମର ପୋଡିଯାଇଥିବା ଯୋଗୁଁ ସମସ୍ୟା ବଢିଯାଇଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ନଜର ଦେଉନଥିବା ଖେଳାଳି ଅଭିଯୋଗ କରିଛନ୍ତି। ତେବେ ଲୋକାର୍ପିତ ହେବାର ୬ମାସ ରେ ଏହିପରି ବହୁମୁଖି ଇଣ୍ଡର ଷ୍ଟାଡିୟମ୍ର ପରିସ୍ଥିତି ହେବା ପରିତାପର ବିଷୟ ପାଲଟିଛି। ବେଳେ ଥାଉଥାଉ ଯଦି ଏହାର ପ୍ରତିକାର ନ ହୁଏ ତେବେ ଅଧିକ ନଷ୍ଟ ହେବା ସହିତ ଅବ୍ୟବହାର ଯୋଗ୍ୟ ହେବ। ତେବେ ପ୍ରଶାସନ ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି।