ରାଇରଙ୍ଗପୁର (ତୁଷାର କାନ୍ତ ମହନ୍ତ): ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଡ଼ିବିରି ଆଲୁରେ କଟୁଛି ୩ ଟି ଗ୍ରାମର ଶତାଧିକ ଆଦିବାସୀଙ୍କ ଜୀବନ। ୨୪ ବର୍ଷ ବିଜେଡ଼ି ସରକାରରେ ଆଦିବାସୀଙ୍କୁ ଅଣଦେଖା ଓ ପ୍ରତାରଣା କରାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ପୂର୍ବର ସରକାର ଓ ସ୍ଥାନୀୟ ପ୍ରଶାସନ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଗଲେଣି ଗ୍ରାମବାସୀ। ତଥାପି ମିଳି ପାରିଲାନି ବିଦ୍ୟୁତ୍। ଶେଷରେ ଥକି ପଡିଲେଣି ଗ୍ରାମବାସୀ ଏବଂ ମୋହନ ସରକାରଙ୍କୁ କରିଛନ୍ତି ଭରସା। ତେବେ ୨୦୧୯ ସାଧାରଣ ନିର୍ବାଚନର ସେନେଇ ଭୋଟ ବର୍ଜନ ମଧ୍ୟ କରିଥିଲେ।
ଜଙ୍ଗଲ ପାହାଡ଼ର ସବୁଜ ବନାନୀ ଭିତରେ ରହିଛି ୩ ଟି ଗାଁ। ରାଜ୍ୟ ସରକାର ଜଙ୍ଗଲରେ ବାସକରୁଥିବା ଲୋକମାନଙ୍କ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବିଭିନ୍ନ ଯୋଜନା ମଧ୍ୟ କରୁଛନ୍ତି। କିନ୍ତୁ ତାଙ୍କ ପାଖରେ ତାହା ଠିକ୍ ଭାବରେ ପହଞ୍ଚି ପାରିନାହିଁ। ବିକାଶର ରାସ୍ତା ସତେ ଯେପରି ବାଟବାଣା ହୋଇଛି ଜଙ୍ଗଲରେ ବସବାସ କରୁଥିବା ଲୋକଙ୍କ ପାଇଁ। ତେବେ ସବୁଠାରୁ ଦୁର୍ଭାଗ୍ୟ ଜନକ ବିଷୟ ଯେ କେନ୍ଦ୍ର ସରକାର ସୌଭାଗ୍ୟ ଯୋଜନାରେ ପ୍ରତ୍ୟେକ ପରିବାରଙ୍କୁ ବିଦ୍ୟୁତ୍ ଯୋଗାଉଥିବା ବେଳେ ସ୍ଥାନୀୟ ପ୍ରଶାସନର ଅପାରଗତା ଓ ଟାଟା ପାୱାରର ଦାୟିତ୍ଵ ହୀନତା ଯୋଗୁଁ ଅଭିଶପ୍ତ ଜୀବନ ବିତାଉଛନ୍ତି ଗ୍ରାମବାସୀ। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସି ଅଧ୍ୟୁଷିତ ପାହାଡ଼ ଜଙ୍ଗଲ ମଧ୍ୟରେ ରହିଥିବା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ବଡ଼ମୋଉଦା ଗ୍ରାମ ପଂଚାୟତର କଟୁପିଟ୍ ଓ କୁଲେଇଶିଳା ଗ୍ରାମପଞ୍ଚାୟତର ବାଲିଖଣୀ ଏବଂ ବିଜାତଳା ବ୍ଲକ ଅନ୍ତର୍ଗତ ମଢେଇକଚା ଗ୍ରାମ ପଞ୍ଚାୟତର ବଡ଼ବିଲ ଗ୍ରାମରେ।
ଗ୍ରାମବାସୀଙ୍କ କହିବା ଅନୁସାରେ ସଞ୍ଜ ଯେତିକି ନଇ ନଇ ଆସେ ସେତିକି ଲୋକମାନଙ୍କର ଜନଜୀବନରେ ଭୟ ସୃଷ୍ଟି ହୁଏ। କାରଣ ସୂର୍ଯ ଅସ୍ତ ହେଲେ ତାଙ୍କ ପାଇଁ ଘରର ମୁଖ୍ୟ କବାଟ ବନ୍ଦ ପଡ଼ିଯାଏ। ଘନ ରାତ୍ରିର ଅନ୍ଧାରରେ ହିଂସ୍ର ପଶୁ ଓ କିଟଙ୍କ ଭୟରେ କାଟୁଛନ୍ତି ନୀତି ଜୀବନ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଡିବିରି ଆଲୁଅରେ ଗଢ଼ା ଚାଲିଛି। ବର୍ତ୍ତମାନ କିରୋସିନି ଅଭାବରୁ ଜାଳ ଜଳାଇ ରାତ୍ରି ଖାଦ୍ୟ ଖାଉଛନ୍ତି। ନୀତି ଦିନ ଯିବା ଆସିବା ପାଇଁ ଉନ୍ନତ ରାସ୍ତାଟିଏ ମଧ୍ୟ ନାହିଁ। ଏନେଇ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ଗୁହାରି କରି ନୟାନ୍ତ ହୋଇ ଗଲେଣି ହେଲେ ଗରିବ ଆଦିବାସୀଙ୍କ କଥା ନା ସରକାର ଶୁଣିଥିଲେ ନା ସ୍ଥାନୀୟ ପ୍ରଶାସନ ଶୁଣିଥିଲେ ତେଣୁ ତାଙ୍କର ଆଶାର ଆଲୋକ ଯେଭଳି ଲିଭି ଯାଇଛି। ଶେଷରେ ବିଦ୍ୟୁତ୍ ପାଇବାର ଆଶା ସରି ଯାଇଥିବା ବେଳେ ନୂତନ ସରକାର ଗଠନ ହୋଇଥିବା ନେଇ ଗରିବ ଆଦିବାସୀ ମାନଙ୍କର ମନରେ ଏକ ପ୍ରକାର ଆଶା ସଂଚାର ହୋଇଛି ଏବଂ ବିଜେପି ସରକାରଙ୍କ ଉପରେ ଶେଷ ଭରସା କରି ଆଶା ବାନ୍ଧି ବସିଛନ୍ତି।
ତେବେ ଦେଖିବାକୁ ବାକି ରହିଲା ନୂତନ ସରକାର ଏମାନଙ୍କୁ କେତେ ଶୀଘ୍ର ବିଦ୍ୟୁତ୍ ସଂଯୋଗ କରିବାରେ ସଫଳ ହେଉଛନ୍ତି ଏବଂ ଅଣଦେଖା କରୁଥିବା ବିଦ୍ୟୁତ ବିଭାଗ ଉପରେ କଣ ପଦକ୍ଷେପ ନେଉଛନ୍ତି ସେହି ଅପେକ୍ଷାରେ ରହିଲେ ଗ୍ରାମବାସୀ। ସୂଚନଯୋଗ୍ୟ ଯେ ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ ଗ୍ରାମବାସୀ ଭୋଟ୍ ବର୍ଜନ କରିବାର ଚେତାବନୀ ଦେବା ପରେ ବିଦ୍ୟୁତ୍ ଖୁଣ୍ଟରୁ ତାର ଟଣ। ହେବା କାର୍ଯ ଆରମ୍ଭ ହେବାରୁ ବର୍ଜନକୁ ସ୍ଥଗିତ କରିଥିଲେ।