ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡର ୭ଟି ବ୍ଲକର ସମସ୍ତ ଗ୍ରାମପଞ୍ଚାୟତର ପଂଚାୟତବାସୀଙ୍କ ପ୍ରାଥମିକ ଚିକିତ୍ସ୍ୟା ନିମନ୍ତେ ଉପସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନା କରାଯାଇଛି। ୨୦୧୮-୧୯ ପରଠାରୁ ନିର୍ମିତ ଅଧିକାଂଶ ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ବିଦ୍ୟୁତ୍ ସଂଯୋଗ ହୋଇନଥିବାରୁ ଜନସାଧାରଣ ବହୁ ହଇରାଣ ହେଉଛନ୍ତି। ଏପରିକି ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ସାମାନ୍ୟ ରୋଗ ପାଇଁ ମଧ୍ୟ ଇଞେକ୍ସନ ରଖାଯାଉନଥିବା ଅଭିଯୋଗ ହେଉଛି। ଯଦି କୌଣସି ବ୍ୟକ୍ତି ଛୋଟ ଦୁର୍ଘଟଣାରେ ଶିକାର ହୋଇ ପ୍ରାଥମିକ ଚିକିତ୍ସା ନିମନ୍ତେ ଆସନ୍ତି, ଚିକିତ୍ସା ସେବା ମିଳୁନଥିବା ଅଭିଯୋଗ ହେଉଛି।

Advertisment

ଉପଖଣ୍ଡର କିଛି ସ୍ୱାସ୍ଥ୍ୟ କେନ୍ଦ୍ର ଓମବାଡିସି ପକ୍ଷରୁ ୨୦୧୮-୧୯ ମସିହା ପରଠାରୁ ଓଡିଶା ସରକାରଙ୍କ ଗ୍ରାମ ଉନ୍ନୟନ ବିଭାଗ ଦ୍ୱାରା ଲକ୍ଷାଧିକ ଟଙ୍କାରେ ନିର୍ମିତ ହୋଇଛି। ନିର୍ମାଣ ଶେଷ ହେବା ପରେ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଜଣେ ଲେଖାଁଏ ସିଏଚଓ ଏବଂ ଏଏନ୍‌ଏମ୍‌ଙ୍କୁ ନିଯୁକ୍ତି ମଧ୍ୟ ଦିଆଯାଇଛି। ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଓ ପ୍ରତ୍ୟେକ ବ୍ଲକରେ ଥିବା ଗୋଷ୍ଠୀ ସ୍ଥାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପ୍ରାଥମିକ ଚିକିତ୍ସ୍ୟା ନିମନ୍ତେ ପର୍ଯାପ୍ତ ପରିମାଣରେ ଔଷଧ ଓ ଇଞ୍ଜେକସନ୍‌ ଯୋଗାଇ ଦିଆଯାଉଛି।

ତେବେ ଉପଖଣ୍ଡରେ ନବ ନିର୍ମିତ ଉପସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ। ଫଳରେ ଉପସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ରେଫ୍ରିଜେଟର୍ ଥିଲେ ମଧ୍ୟ ଲଗାଯାଇ ପାରୁନି। ରେଫ୍ରିଜେଟର୍ ବିନା ଟିଟାନାସ୍ ଇ‌ଞ୍ଜେକ୍ସନ ବ୍ୟତିତ ଅନ୍ୟାନ ଜରୁରୀ କାଳୀନ ଇଞ୍ଜେକ୍ସନ ମଧ୍ୟ ରଖାଯାଇ ପାରୁନି। ଫଳରେ ବାଧ୍ୟ ହୋଇ ରୋଗୀମାନେ ଅଧିକ ଖର୍ଚ୍ଚାନ୍ତ ଓ ହଇରାଣ ହୋଇ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି। କିଛି ଉପସ୍ୱାସ୍ଥ୍ୟ କେନ୍ଦ୍ରର ସିଏଚଓ ମାନେ ବିଦ୍ୟୁତ ସଂଯୋଗ ନିମନ୍ତେ ବିଦ୍ୟୁତ କାର୍ଯ୍ୟାଳୟକୁ ଯାଇ ଆବେଦନ କରିଥିଲେ ମଧ୍ୟ ସଂଯୋଗ ହୋଇପାରୁନି। ଏପରିକି ସିଏଚଏଓଗୁଡ଼ିକ ବିଦ୍ୟୁତ ସଂଯୋଗ ନିମନ୍ତେ ଟଙ୍କା ମଧ୍ୟ ପଇଠ କରି ସାରିଛନ୍ତି। ତଥାପି ହୋଇପାରୁନାହିଁ ।

ଏନେଇ ବିଭିନ୍ନ ବୈଠକରେ ବାରମ୍ବାର ଅବଗତ କରିଥିଲେ ମଧ୍ୟ ସଂଯୋଗ ହେଉନି। ଫଳରେ ସ୍ଥାନୀୟ ବାସିନ୍ଦା ଓ ରୋଗୀମାନେ ହଇରାଣର ଶିକାର ହେଉଛନ୍ତି। ଏହା ବ୍ୟତୀତ ବର୍ତମାନ ଗ୍ରୀଷ୍ମ ଋତୁ ଥିବାରୁ ୪୦ ଡିଗ୍ରିରୁ ଅଧିକ ଖରା ହେଉଛି କିନ୍ତୁ ପଙ୍ଖା ଚାଲୁନଥିବାରୁ ସ୍ୱାସ୍ଥ କର୍ମୀମାନେ ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ଅଧିକ ସମୟ ଧରି ରହି ମଧ୍ୟ ପାରୁନାହାଁନ୍ତି। ଏ ସମ୍ବନ୍ଧରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଏସଡିଏମଓ ଡା. ରବୀନ୍ଦ୍ର ମାରାଣ୍ଡିଙ୍କ ସହିତ ଯୋଗାଯୋଗ କରିବାରୁ ସେ ବିଦ୍ୟୁତ ସଂଯୋଗ ନିମନ୍ତେ ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି।