ମିଳୁ ନାହାନ୍ତି ଯୋଗ୍ୟ ବ୍ୟକ୍ତିତ୍ବ!

ଉତ୍କଳ ବିଶ୍ବବିଦ୍ୟାଳୟ ଇତିହାସରେ ବିରଳ ଘଟଣା, ସମାବର୍ତନ ଉତ୍ସବରେ ଦିଆଯିବନି ସମ୍ମାନସୂଚକ ଡକ୍ଟରେଟ୍‌

ଭୁବନେଶ୍ବର: ରାଜ୍ୟ କି ରାଜ୍ୟ ବାହାରେ ନାହାନ୍ତି ଯୋଗ୍ୟ ବ୍ୟକ୍ତିତ୍ବ। ‌ଯିଏ କି ଉତ୍କଳ ବିଶ୍ବବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧି ହାସଲ କରିବେ। ବିଶ୍ବବିଦ୍ୟାଳୟ ଇତିହାସରେ ଏଭଳି ଏକ ସମାବର୍ତନ ଉତ୍ସବ ହେବାକୁ ଯାଉଛି ଯେଉଁଥିରେ ଓଡ଼ିଶା କିମ୍ବା ଓଡ଼ିଶା ବାହାରର କୌଣସି ବି ବ୍ୟକ୍ତିବିଶେଷଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯିବ ନାହିଁ। ଏକଥା ଆମେ କହୁନୁ। ଗତ ୨୦ ତାରିଖରେ ବସିଥିବା ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି। ସବୁଠାରୁ ବଡ଼ କଥା ହେଉଛି ଯେ ବୈଠକରେ ୫ ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନାମ ଉପସ୍ଥାପିତ କରାଯାଇଥିଲା। ତେବେ କେଉଁ ଆଧାରରେ ସେମାନଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯିବ ତାହାର କୌଣସି ତାଳମେଳ ପାଇ ନଥିଲେ। ‌ଯେଉଁ ୫ ଜଣଙ୍କ ନାମ ବୈଠକରେ ଉପସ୍ଥାପିତ ହୋଇଥିଲା ସେମାନଙ୍କ ମଧ୍ୟରେ ଜଣେ ଜନପ୍ରିୟ ବୈଜ୍ଞାନିକ ତଥା‌ ସମାଜସେବାରେ ପ୍ରତିଷ୍ଠିତ ହୋଇଛନ୍ତି। କୃଷି ବିଜ୍ଞାନକୁ ଓଡ଼ିଶାର ଗାଁ ଗାଁରେ ପହଞ୍ଚାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ସେହିପରି ଦୁଇ ଜଣ ଚିକିତ୍ସକଙ୍କ ନାଁ ବି ଉପସ୍ଥାପିତ ହୋଇଥିଲା। ମେଡିସିନ୍‌ ବିଭାଗର ଓଡ଼ିଶାରେ ପ୍ରତିଷ୍ଠିତ ଏହି ଦୁଇ ଜଣ ଚିକିତ୍ସକଙ୍କ ନାଁକୁ ନେଇ ବହୁ ବିଚାରବିମର୍ଶ ହୋଇଥିଲା। ଜଣେ ଆଇନ ବିଶାରଦଙ୍କ ନାଁ ମଧ୍ୟ ଉଠିଥିଲା। କିନ୍ତୁ କେଉଁ ଆଧାରରେ ଉକ୍ତ ୫ ଜଣଙ୍କୁ ଉପାଧି ପ୍ରଦାନ କରାଯିବ ତାହାର କୌଣସି ସଠିକ୍‌ ବାଟ ବାହାରି ପାରି ନଥିଲା।

ଯେଉଁଥିପାଇଁ ସିଣ୍ଡିକେଟ୍‌ ବୈଠକରେ ସ୍ଥିର ହୋଇଥିଲା ଯେ ପ୍ରତିଥର ପରି ଏଥର ମଧ୍ୟ ସମାବର୍ତନ ଉତ୍ସବ ହେବ। ହେଲେ କାହାରିକୁ ସମ୍ମାନସୂଚକ ଡକ୍ଟରେଟ୍‌ ଦିଆଯିବ ନାହିଁ। ଛାତ୍ରଛାତ୍ରୀଙ୍କୁ କେବଳ ଡିଗ୍ରି ସାର୍ଟିଫିକେଟ୍‌, ସ୍ବର୍ଣ୍ଣ ପଦକ ସହ ବିଭିନ୍ନ ବିଭାଗରେ ପୁରସ୍କାର ପ୍ରଦାନ କରାଯିବ ବୋଲି ସ୍ଥିର ହୋଇଥିଲା। ଏହି ‌ବୈଠକରେ କୁଳାଧିପତି ତଥା ରାଜ୍ୟପାଳଙ୍କ ପ୍ରତିନିଧିଙ୍କ ସମେତ କୁଳପତି ପ୍ରଫେସର ସୌମେନ୍ଦ୍ରମୋ‌ହନ ପଟ୍ଟନାୟକ, ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ, ସିଣ୍ଡିକେଟ୍‌ରୁ ମନୋନୀତ ସଦସ୍ୟମାନେ ଉପସ୍ଥିତ ରହିଥିଲେ। ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସରଙ୍କ କହିବାନୁଯାୟୀ ବିଶ୍ବବିଦ୍ୟାଳୟ ଇତିହାସ‌ରେ ଏଭଳି ଘଟଣା ପ୍ରାୟତଃ ଦେଖିବାକୁ ମିଳିନି। ୪୯ତମ ସମାବର୍ତନ ଉତ୍ସବ ବିରଳ ହେବାକୁ ଯାଉଛି। ପୂର୍ବରୁ ଯେତିକି ଥର ସମାବର୍ତନ ଉତ୍ସବ ହୋଇଛି ସେଥିରେ ସମାଜ, ସାହିତ୍ୟ, ବିଜ୍ଞାନ, ଆଇନ, ସମାଜସେବା, ମେଡିକାଲ କ୍ଷେତ୍ରରେ ଦକ୍ଷତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯାଇଛି। ଓଡ଼ିଶା ସମେତ ଓଡ଼ିଶା ବାହାରର ବିଶେଷଜ୍ଞଙ୍କୁ ପୂର୍ବରୁ ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧି ଦିଆଯାଇଛି। ଉତ୍କଳରୁ ଡକ୍ଟରେଟ୍‌ ହାସଲ କରିଥିବା ବ୍ୟକ୍ତିବିଶେଷ ଏବେ ସୁପ୍ରିମକୋର୍ଟର ବିଚାରପତି ରହିଛନ୍ତି। ୪୮ଟି ସମାବର୍ତନ ଉତ୍ସବରେ ପ୍ରାୟ ୨୦୦ ବ୍ୟକ୍ତିବିଶେଷ ଉପାଧି ପାଇସାରିଛନ୍ତି। କିନ୍ତୁ ୪୯ତମ ସମାବର୍ତନ ଉତ୍ସବରେ ଯୋଗ୍ୟ ବ୍ୟକ୍ତିତ୍ବ ନ ମିଳିବା‌ ଦୁଃଖ ଓ ପରିତାପର ବିଷୟ। ଏନେଇ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ରମୋହନ ପଟ୍ଟନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରି ନଥିଲା। ଯୋଗ୍ୟ ବ୍ୟକ୍ତିତ୍ବ ନମିଳିବା ସଂପର୍କରେ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଥିଲେ, ସିଣ୍ଡିକେଟ୍‌ ବୈଠକରେ ଯାହା ଆଲୋଚନା ହୋଇଥିଲା। ଏହାପରେ ଆଉ କିଛି ସ୍ଥିର ହୋଇନି।

ସମ୍ବନ୍ଧିତ ଖବର