ଭୁବନେଶ୍ବର: ମଶା ବଂଶ ବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରୁଥିବା ଯେ କୌଣସି ବ୍ୟକ୍ତି ବା ସଂସ୍ଥାଙ୍କଠାରୁ ବିଏମ୍‌ସି ଜରିମାନା ଆଦାୟ କରିବ। ଆସନ୍ତା ୧୬ ତାରିଖରୁ ଏହା ଆରମ୍ଭ ହେବ। ଭୁବନେଶ୍ବରରେ ଏବେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବଢ଼ୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। କୌଣସି ବ୍ୟକ୍ତିଙ୍କ ଘରେ ଯଦି ମଶା ଲାର୍ଭା ଚିହ୍ନଟ ହୁଏ ତାହାଲେ ସଂପୃକ୍ତ ଲାର୍ଭାଟି ରୋଗ ସୃଷ୍ଟିକାରୀ ମଶା କିମ୍ବା ନୁହେଁ ତାହାକୁ କିଏ ଚିହ୍ନଟ କରିବ? କାରଣ ସବୁ ମଶା ରୋଗର ବାହକ ନୁହନ୍ତି, ଅନେକ କେବଳ କାମୁଡ଼ିଥାନ୍ତି।

Advertisment

ବିଏମ୍‌ସି ଅଧୀନରେ ଜଣେ ହେଲେ କୀଟ ବିଶେଷଜ୍ଞ(ଏଣ୍ଟୋମୋଲୋଜିଷ୍ଟ) ନାହାନ୍ତି। ରାଜ୍ୟସ୍ତରରେ ମଧ୍ୟ ଏହି ବିଶେଷଜ୍ଞଙ୍କ ଅଭାବ ରହିଛି। ତେଣୁ ଜରିମାନାକୁ ନେଇ କୌଣସି ବ୍ୟକ୍ତି ଆଇନର ଦ୍ବାରସ୍ଥ ହୁଅନ୍ତି ତାହାଲେ କୀଟ ବିଶେଷଜ୍ଞଙ୍କ ବିନା ଏହି ଜରିମାନା କିଭଳି ଆଇନଗତ ସ୍ବୀକୃତି ପାଇବ? ତେଣୁ ଆଗାମୀ ଦିନରେ ବିଏମ୍‌ସି ଜରିମାନା ଆଦାୟ ବିବାଦ ଭିତରେ ଛନ୍ଦି ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ରଖିଲେଣି। ମଶାଙ୍କ ଦ୍ବାରା ସାଧାରଣଭାବେ ମ୍ୟାଲେରିଆ, ଡେଙ୍ଗୁ, ଫାଇଲେରିଆ, ଜାପାନିଜ୍ ଏନ୍‌ଫାଇଲେଟିସ୍(ଜେଇ) ଓ ଚିକିନଗୁନିଆ ରୋଗ ବ୍ୟାପିଥାଏ। ଓଡ଼ିଶା ସମେତ ଦେଶରେ ଏହି ସ୍ଥିତି ରହିଛି। ଏହି ରୋଗବାହାକ ମଶାକୁ ବାଦ୍ ଦେଲେ, ଆର୍ମିଜେରିସ୍ ମଶା ମଧ୍ୟ ବହୁଳ ଭାବେ ଦେଖିବାକୁ ମିଳିଥାଏ। ଆର୍ମିଜେରିସ୍ ମଶା କୌଣସି ରୋଗର ବାହକ ହୋଇ ନ ଥିବା ବେଳେ କେବଳ ଶରୀରକୁ କାମୁଡ଼ି ଫୁଲାଇ ଦେଇଥାଏ। ମଶାଙ୍କ ଏତେ ପ୍ରକାରଭେଦ ଥିବା ବେଳେ କେଉଁଟି ରୋଗ ସୃଷ୍ଟିକାରୀ କିମ୍ବା ନୁହେଁ ଏହି ମଶାଙ୍କ ଲାର୍ଭାକୁ ଚିହ୍ନଟ କରିବା ସାଧାରଣଭାବେ ସମ୍ଭବ ନୁହେଁ। ଏହାକୁ କେବଳ କୀଟ ବିଶେଷଜ୍ଞ ହିଁ ସ୍ପଷ୍ଟ କରିପାରିବେ। ମାତ୍ର ବିଏମ୍‌ସି ଅଧୀନରେ ଏଭଳି କୌଣସି ବିଶେଷଜ୍ଞ ନାହାନ୍ତି। ଫାଇଲେରିଆ ଇନ୍ସପେକ୍ଟର ମଧ୍ୟ ସ୍ବୀକୃତିପ୍ରାପ୍ତ କୀଟ ବିଶେଷଜ୍ଞ ନୁହନ୍ତି। ଏଣୁ ବିଏମ୍‌ସି କାହା ସହାୟତାରେ ଘରକୁ ଘର ବୁଲି ମଶାଙ୍କ ଲାର୍ଭାକୁ ଚିହ୍ନଟ କରିବ ?

ରାଜ୍ୟସ୍ତରରେ ସ୍ବାସ୍ଥ୍ୟ ବିଭାଗ ଅଧୀନରେ ସମୁଦାୟ ୪ଟି ଏଣ୍ଟୋମୋଲୋଜିଷ୍ଟ ପଦବି ରହିଛି। ସମ୍ବଲପୁର, ବ୍ରହ୍ମପୁର, କଟକ ଓ ଭୁବନେଶ୍ବରରେ ଏହି ପଦବି ଥିବା ବେଳେ ସମ୍ବଲପୁରଟି ଖାଲି ପଡ଼ିଛି। ଏହାସହ ଆରଏମ୍‌ଆରସି ଅଧୀନରେ ମଧ୍ୟ କୀଟ ବିଶେଷଜ୍ଞ ରହିଛନ୍ତି। ଏବେ ବର୍ଷା ଋତୁ ଚାଲିଥିବା କାରଣରୁ କୀଟ ବିଶେଷଜ୍ଞମାନଙ୍କୁ ରାଜ୍ୟବ୍ୟାପି ମଶାଙ୍କ ସ୍ଥିତି ସଂପର୍କରେ ତଥ୍ୟ ସଂଗ୍ରହ କରିବାକୁ ପଡ଼ୁଛି। ତେଣୁ ସେମାନେ ବିଏମ୍‌ସି ଅଧୀନକୁ ଆସି ଜରିମାନା ଆଦାୟ କାର୍ଯ୍ୟକ୍ରମରେ ସାମିଲ୍‌ ହେବେ କି ନାହିଁ ତାହା ସନ୍ଦେହରେ ରହିଛି। ଆନ୍ଧ୍ର, ତାମିଲନାଡ଼ୁ ଓ ଅନ୍ୟ ରାଜ୍ୟରେ ଜିଲ୍ଲାସ୍ତରରେ କୀଟ ବିଶେଷଜ୍ଞ ରହିଥିବା ବେଳେ ଓଡ଼ିଶାରେ ଜିଲ୍ଲା କିମ୍ବା ପୌରସଂସ୍ଥା ସ୍ତରରେ ଏଭଳି ବିଶେଷଜ୍ଞ ନାହାନ୍ତି। ରାଜ୍ୟର ସହରାଞ୍ଚଳରେ ପ୍ରତିବର୍ଷ ଡେଙ୍ଗୁ ବ୍ୟାପୁଛି। ପୌରସଂସ୍ଥା ସ୍ତରରେ କୀଟ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବା ଉପରେ ଗୁରୁତ୍ବ ଦେବାର ସମୟ ଆସିଛି ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି। ବିଏମ୍‌ସିର ସହରାଞ୍ଚଳ ସ୍ବାସ୍ଥ୍ୟ ଅଧିକାରୀ ଡା.ଦୀପକ ବିଶୋୟୀ କହିଛନ୍ତି, ଡେଙ୍ଗୁ ନେଇ ଲୋକଙ୍କୁ ସଚେତନ କରାଯାଉଛି। ତଥାପି ଲୋକଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡ଼ୁ ନ ଥିବାରୁ ୧୬ ତାରିଖରୁ ଜରିମାନା ଆଦାୟ କରିବାକୁ ନିଷ୍ପତ୍ତି ନିଆଯାଇଛି। କୌଣସି ବ୍ୟକ୍ତିଙ୍କ ଘରେ ମଶା ଲାର୍ଭା ଚିହ୍ନଟ ହେଲେ ତାଙ୍କଠାରୁ ହଜାରେ ଟଙ୍କା ଜରିମାନା ଆଦାୟ କରାଯିବ। ଡେଙ୍ଗୁ ରୋଗ ସୃଷ୍ଟିକାରୀ ଏଡିସ୍ ମଶାର ଲାର୍ଭା ସହଜରେ ଚିହ୍ନଟ ହୋଇପାରିବ। ବିଏମ୍‌ସି ଅଧୀନରେ କୀଟ ବିଶେଷଜ୍ଞ ନ ଥିଲେ ହେଁ, ଭିବିଡି ଅଧୀନରେ ୨ଜଣ ତାଲିମପ୍ରାପ୍ତ କର୍ମଚାରୀ ରହିଛନ୍ତି ବୋଲି ଡା.ବିଶୋୟୀ କହିଛନ୍ତି।