ନକଲି ପ୍ରମାଣପତ୍ରରେ ସରକାରୀ ଶିକ୍ଷକତା: ଖୋର୍ଦ୍ଧା ଜିଲ୍ଲାରେ ଯାଞ୍ଚ ଶେଷ, ଏଯାବତ ଧରାପଡ଼ିନାହିଁ କୌଣସି ମାମଲା

ଖୋର୍ଦ୍ଧା: ନକଲି ଜାତି ଓ ଦିବ୍ୟାଙ୍ଗ ଆଦି ପ୍ରମାଣପତ୍ରରେ ସରକାରୀ ଶିକ୍ଷକତା ନେଇ ରାଜ୍ୟରେ ଏବେ ଆଲୋଡ଼ନ ସୃଷ୍ଟି ହୋଇଛି । ଭୁବନେଶ୍ୱରରେ ଏନେଇ ଧାରଣା ଚାଲିଥିବା ବେଳେ ରାଜ୍ୟ ଶିକ୍ଷା ନିର୍ଦ୍ଦେଶାଳୟ ଏନେଇ ଯାଞ୍ଚ କରି ସନ୍ଦିଗ୍ଧ ତାଲିକା ପଠାଇବାକୁ ଜିଲ୍ଳା ଶିକ୍ଷାଧିକାରୀ ତଥା ସମଗ୍ରଶିକ୍ଷାର ଡିପିସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ସ୍ଥିତିରେ ଖୋର୍ଦ୍ଧା ଜିଲ୍ଲାରେ କୌଣସି ଜାଲ ଶିକ୍ଷକ ଧରାପଡ଼ିନଥିବା ନେଇ ଜିଲ୍ଲା ଶିକ୍ଷା ବିଭାଗ ସ୍ପଷ୍ଟ କରିଛି ।

ନକଲି ପ୍ରମାଣପତ୍ରରେ ଚଞ୍ଚକତା କରି ସରକାରୀ ସ୍କୁଲରେ ଶିକ୍ଷକତା ପଦବି ପାଇଥିବା ନେଇ ୨୦୧୯ରୁ ବିଭିନ୍ନସ୍ତରରେ ଯାଞ୍ଚ ଚାଲିଛି । ପ୍ରଥମ ଦଫାରେ ୨୦୧୯ରେ ଜିଲ୍ଲା ପକ୍ଷରୁ ବିଇଓଙ୍କ ଜରିଆରେ ଯାଞ୍ଚ କରାଯାଇ ଜିଲ୍ଲାରେ ଏଭଳି କୌଣସି ନିଯୁକ୍ତି ପାଇନଥିବା କଥା ଜିଲ୍ଲା ଶିକ୍ଷାବିଭାଗ କହିଥିଲେ । ବର୍ତ୍ତମାନ ପୁଣିଥରେ ରାଜ୍ୟ ଶିକ୍ଷାବିଭାଗର ନିର୍ଦ୍ଦେଶାନୁସାରେ ମାର୍ଚ୍ଚ ୨୧ ତାରିଖରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ଅପ୍ରିଲ୍ ୧୩ ତାରିଖ ଯାଏଁ ଏନେଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏନେଇ କୌଣସି ପ୍ରତ୍ୟୁତ୍ତର ଉଚ୍ଚମାଧ୍ୟମିକ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ (ଆର୍ଡିଏଚ୍ଏସ୍ଇ) ନିକଟରେ ରଖାଯାଇନଥିଲା । ଫଳରେ ୭ ଦିନ ମଧ୍ୟରେ ତାଲିକା ପ୍ରସ୍ତୁତ କରି ସ୍ୱତନ୍ତ୍ର ମ୍ୟାସେଂଜର ଜରିଆରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ।

ଏନେଇ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଜରିଆରେ ଯାଂଚ କରାଯାଇଥିଲା । ଏଯାଏଁ ଜିଲ୍ଲାରୁ କୌଣସି ନକଲି ପ୍ରମାଣପତ୍ରରେ ନିଯୁକ୍ତି ପାଇଥିବା ଘଟଣା ସମ୍ନାକୁ ଆସିନାହିଁ । ସେହିଭଳି ଖୋର୍ଦ୍ଧା ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ବିଭାଗୀୟ ଯାଞ୍ଚରେ ଏଯାଏଁ କୌଣସି ମାମଲା ଧରାପଡ଼ିନାହିଁ । ଯଦି କୌଣସି ଘଟଣା ଏଭଳି ନଜରକୁ ଆସେ ତେବେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ।

ସମ୍ବନ୍ଧିତ ଖବର