ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ପାଇଁ ସବୁଠି ଉତ୍ସାହ, ଭଂଜନଗରରେ ସିନେମା ହଲ୍‌ ନଥିବାରୁ ଦର୍ଶକ ନିରାଶ

ସିନେମା ପାଇଁ ବ୍ରହ୍ମପୁର ଭରସା, ବନ୍ଦ ପଡିଛି ଭଞ୍ଜନଗର ଉପଖଣ୍ଡର ୭ ସିନେମା ହଲ

ଭଞ୍ଜନଗର: ଦିନ ଥିଲା ସିନେମା ଦେଖିବାକୁ ଲମ୍ବା ଲାଇନ ଲାଗୁଥିଲା। ଟିକେଟ ଟିଏ ପାଇବା ପାଇଁ ଠେଲାପେଲା ପାଟିତୁଣ୍ଡ ହେଉଥିଲା। ଓଡିଆ ଠାରୁ ଆରମ୍ଭ କରି ହିନ୍ଦୀ ଚଳଚିତ୍ର  ଦେଖିବା ଦର୍ଶକମାନଙ୍କ ପ୍ରବଳ ଉତ୍ସାହ ଲାଗିରହୁଥିଲା। କିନ୍ତୁ ଧୀରେ ଧୀରେ ଓଡ଼ିଆ ସିନେମା ସଙ୍କଟ ଦେଇ ଗତି କରୁଥିବା ବେଳେ ଦର୍ଶକ ମଧ୍ୟ ହଲ ବସି ସିନେମା ଦେଖିବାରୁ ମୁହଁ ଫେରାଇଲେ। ହାତଗଣତି ଦର୍ଶକଙ୍କ ଛାଡିଦେଲେ ସବୁ ସଟ୍‌ ଫାଙ୍କା ପଡିଲା। ସିନେମା ଚଲାଇବା ମାଲିକଙ୍କ କ୍ଷେତ୍ରରେ କଷ୍ଟକର ହେବାରୁ ବଦଳିଗଲା ସିନେମା ହଲର ଚିତ୍ର। ‌ଦିନକୁ ଦିନ ବଢ଼ି ଚାଲିଲା କ୍ଷତି। ଫଳରେ ଗୋଟିଏ ପରେ ଗୋଟିଏ ସିନେମା ହଲ୍ ବନ୍ଦ ହେବାକୁ ଲାଗିଲା। ଏଭଳି ପରିସ୍ଥିତିରେ ସତ୍ୟ ଘଟଣା ଉପରେ ଆଧାରିତ ‘ଦମନ’ ଚଳଚ୍ଚିତ୍ର ସ‌ିନେ ଜଗତକୁ ନୂଆଁ ଦିଶା ଦେଖାଇଛି। କିନ୍ତୁ ନିକଟରେ ଦେଖିବାକୁ ସିନେମା ହଲ ନଥିବାରୁ ଭଞ୍ଜନଗର ଉପଖଣ୍ଡର ଅଧିକାଂଶ ବ୍ଳକ୍‌ ବାସୀଙ୍କୁ ୧୦୦ କିମିରୁ ଉର୍ଦ୍ଧ ଦୂର ବ୍ରହ୍ମପୁର ସହରକୁ ଯିବାକୁ ପଡୁଛି। ଉକ୍ତ ସିନେମାକୁ ସ୍ବାସ୍ଥ ଅଧିକାରୀ ଓ ସରକାରୀ କର୍ମଚାରୀ ମାଗଣା ସ୍କ୍ରିନିଂ କରିଥିବା ବେଳେ ତାକୁ ଦେଖିବାକୁ ଭଞ୍ଜନଗର,ବେଲଗୁଣ୍ଠା,ବୁଗୁଡା ଜଗନ୍ନାଥପ୍ରସାଦ,ସୋରଡା ଭଳି ବ୍ଳକ୍‌ର ଅଧିକାରୀଙ୍କୁ ୭୦-୧୦୦ କିମିରୁ ଅଧିକ ରାସ୍ତା ଖର୍ଚ୍ଚାନ୍ତ ହୋଇଯିବାକୁ ପଡିଛି।

ଭଞ୍ଜନଗର ସହରର ବହୁ ପୁରାତନ ସିନେମା ହଲ ଶ୍ରୀ ଗଣେଷ ଟକିଜ୍ ଓ ସନ୍ଦୀପ ହଲ୍‌ ସଂପୂର୍ଣ୍ଣ ବନ୍ଦ ହୋଇସାରିଛି। ମନୋରଞ୍ଜନ ପାଇଁ ୧୯୫୦ ମସିହାରେ ଖାଲାସି ସାହ‌ିରେ ୫୦୦ ସିଟ ବିଶିଷ୍ଟ ଗଣେଷ ଟକିଜ୍ ଆରମ୍ଭ ହୋଇଥିଲା। ତତ୍‌କାଳନୀ ଏନଏସି ଅଧ୍ୟକ୍ଷ ରାମନାରୟଣ ସିଂ ଏହି ହଲ ସେଠାରେ କରିଥିବା ବେଳେ କଟକରୁ ରିଲ ଅଣାଯାଉଥିଲା ଏବଂ ପ୍ରୋଜେକ୍ଟର ମାଧ୍ୟମରେ ଦିନକୁ ୪ଥର ଚଳଚିତ୍ର ପ୍ରଦର୍ଶିତ ହେଉଥିଲା। ନୂଆଁ ବୋହୂ ଠାରୁ ଆରମ୍ଭ କରି ଜୀବନସାଥୀ, ଅରୁନ୍ଧତୀ, ଦିଲ ବାଲେ ଦୁଲହନିଆ ଲେ ଯାଏଗେଁ ଭଳି ବହୁ ଚଳିଚିତ୍ର ସିନେପ୍ରେମୀଙ୍କୁ ବାନ୍ଧି ରଖୁଥିଲା। ୨୦୦୫ ମସିହାରେ ରହିଛି ରହିବି ତ‌ୋରି ପାଇଁ ଶେଷ ଚଳିଚିତ୍ର ପଦର୍ଶିତ ହେବା ପରେ ହଲଟି ବନ୍ଦ ହୋଇଯାଇଥିଲା ସେହିପରି ସନ୍ଦୀପ୍‌ ହଲ୍‌ ୧୯୮୫ ମସିହାରୁ ‘ଭକ୍ତ ସାଲବେଗ’ ସିନେମାରୁ ଆରମ୍ଭ ହୋଇଥିବା ଏହି ହଲ୍‌ରେ ଓଡିଆ, ଇଂରାଜୀ, ହିନ୍ଦୀ, ତେଲୁଗୁ ଡବିଙ୍ଗ ଭଳି ବହୁ ଚଳିଚିତ୍ର ପଦର୍ଶିତ ହୋଇଥିଲା। ଦିନ ଥିଲା କିଏ ପ୍ରଥମେ ପହଞ୍ଚି ଟିକେଟ ନେଇ ଫିଲ୍ମ ଦେଖିବାକୁ ଯିବ ସେ ନେଇ ଏକ ପ୍ରକାର ପ୍ରତିଯୋଗୀତା ଲାଗି ରହୁଥିଲା। ଦୀର୍ଘ ୩୪ ବର୍ଷ ଧରି ଚାଲିଥିବା ଏହି ସିନେମା ହଲ ୨୦୧୯ ମସିହା ଠାରୁ ବନ୍ଦ ହୋଇ ପଡିଛି।

ସେହିପରି ସୋରଡ଼ା ବ୍ଳକ୍‌ରେ ରହିଥିବା ଉର୍ମିଳା ଟକିଜ୍‌ ୧୯୯୭ ମସିହା ପରଠାରୁ ବନ୍ଦ ହୋଇ ପଡିଛି। ବେଲଗୁଣ୍ଠା ସହରରେ ରହିଥିବା ସୁରଭି ଟକିଜ୍‌ରେ ଓଡ଼ିଆ ସିନେମା ଦେଖିବାକୁ ପ୍ରବଳ ଭିଡ ଲାଗୁଥିବା ବେଳେ ୨୦୦୨ ପରଠାରୁ ସେଥିରେ ମଧ୍ୟ ତାଲା ଝୁଲୁଛି। ବୁଗୁଡାରେ ଥିବା ଗୌରୀ ଟକିଜ୍‌ କ୍ଷତି ସହିବା ପରେ ମଧ୍ୟ ଆଖପାଖର ଦର୍ଶକଙ୍କୁ ବାନ୍ଧି ଅନେକ ବର୍ଷ ଚାଲିଥିଲେ ମଧ୍ୟ କୋରନାର କିଛି ମାସ ପୂର୍ବରୁ ତାହା ବନ୍ଦ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାର ଅବସ୍ଥାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନି। ଆସିକା ସହରରେ ଥିବା ଉତ୍କଳ ସିନେମା ହଲ ୨୦ ବର୍ଷରୁ ଉର୍ଦ୍ଧ ସମୟ ଧରି ବନ୍ଦ ହୋଇ ସାରିଥିବା ବେଳେ ଅଶୋକା ହଲ୍‌ ସ୍ଥାନୀୟ ଲୋକଙ୍କ ମ‌ନୋରଞ୍ଜର ଖୋରାକ ଯୋଗାଇ ଆସୁଥିଲେ ମଧ୍ୟ ତାହା ୫ ବର୍ଷ ହେଲା ବନ୍ଦ ହୋଇପଡିଛି। ବର୍ତ୍ତମାନ ତାକୁ ନୂଆ ରୂପରେ ପୁନରୁଦ୍ଧାର କରିବା ପାଇଁ ପ୍ରୟାଶ ଆରମ୍ଭ ହୋଇଥିବା ଜଣାପଡିଛି। ଉପଖଣ୍ଡରେ ଥିବା ସମସ୍ତ ସିନେମା ହଲରେ ତାଲା ଝୁଲୁଥିବାରୁ ସିନେ ପ୍ରେମୀ କେବଳ ସୁଦୂର ବ୍ରହ୍ମପୁର ସହର ଉପରେ ନିର୍ଭର କରୁଛନ୍ତି। ଯୁବବର୍ଗ ଚଳଚିତ୍ର ଦେଖିବା ପାଇଁ ବ୍ରହ୍ମପୁର ସହରକୁ ଯାଉଥିବା ଦେଖିବାକୁ ମିଳୁଛି। କିଛି ପର୍ବପର୍ବାଣୀ ସମୟରେ ଓ ଛୁଟି ସମୟରେ ‌ଏହି ସିନେମା ହଲ ଗୁଡିକରେ ଭିଡ ଜମାଉଥିବା ବେଳେ ଏବ‌େ ୮୦-୧୦୦ କିମି ଯିବାକୁ ପଡୁଛି। ଆଧୁନିକ ଢ଼ାଞ୍ଚାରେ ସିନେମା ହଲଟିଏ ପାଇଁ ସବୁବର୍ଗ ଦାବି କରୁଛନ୍ତି।

 

ସମ୍ବନ୍ଧିତ ଖବର