ଯାଞ୍ଚ ବେଳେ ପଦାକୁ ଆସିଲା ଢିଲା ବ୍ୟବସ୍ଥା: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ ଅଗ୍ନି ସୁରକ୍ଷା ବ୍ୟବସ୍ଥା

ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ଜିଲ୍ଲା ମୁଖ୍ୟ ସଦର ମହକୁମାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ନାହିଁ | ଆଜି ଖୋର୍ଦ୍ଧା ଅଗ୍ନିଶମ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଥିବା ମକ୍ ଡ୍ରିଲ୍ ଓ ଯାଂଚରେ ଏହା ଜଣାପଡ଼ିଛି । ଆଜି ଖୋର୍ଦ୍ଧା ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନି ସୁରକ୍ଷା ନେଇ ମକ୍ ଡ୍ରିଲ୍ ଓ ସୁରକ୍ଷା ଯାଂଚ କରିଥିଲେ । ଯାଂଚରେ ମହିଳା ଓ ଶିଶୁ ବିଭାଗରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଆପାତତଃ ରହିଥିବା ବେଳେ ମୁଖ୍ୟ କୋଠାରେ ଏହି ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ନଥିବା ଜଣାଯାଇଛି । ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟ ସ୍ଥାପନର ପ୍ରାୟ ଦୁଇ ଦଶନ୍ଧି ପରେ ମଧ୍ୟ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ନଥିବା ହସ୍ପିଟାଲ୍ କର୍ତୃପକ୍ଷ ଓ ପ୍ରଶାସନର ଅପାରଗତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

କେବଳ ଖୋର୍ଦ୍ଧା ଜିଲ୍ଲା ନୁହନ୍ତି, ନିକଟସ୍ଥ କଟକର ବାଙ୍କୀ, ନୟାଗଡ଼ର ଖଣ୍ଡପଡ଼ା, ରଣପୁର, ପୁରୀର କଣାସ ଓ ପିପିଲିରୁ ଲୋକମାନେ ସ୍ୱାସ୍ଥ୍ୟ ସେବା ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି । ଦୈନିକ ୨ହଜାରରୁ ଅଧିକ ରୋଗୀ ହସ୍ପିଟାଲକୁ ଆସିଥାନ୍ତି । ଏପରିସ୍ଥଳେ ହସ୍ପିଟାଲରେ ଅଗ୍ନିକାଣ୍ଡର ମୁକାବିଲା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଏନେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ, ମୁଖ୍ୟ କୋଠାରେ ଫାଏର ଆଲରାମ, ଆବଶ୍ୟକ ଅଗ୍ନିନିର୍ବାପକ ସିଲିଣ୍ଡର, ଜଳ ଆଦିର ବ୍ୟବସ୍ଥା ନାହିଁ ଏନେଇ ବ୍ୟବସ୍ଥା କରିବାକୁ ମୌଖିକ ଭାବେ କୁହାଯାଇଛି ।

ଏନେଇ ବିଧିବଦ୍ଧ ଭାବେ ଚିକିତ୍ସାଳୟ କର୍ତୃପକ୍ଷଙ୍କୁ ଅଗ୍ନି ସୁରକ୍ଷା ବ୍ୟବସ୍ଥା ନେଇ ଲିଖିତ ନିର୍ଦ୍ଦେଶ ଦିଆଯିବ । ଜିଲ୍ଲା ଚିକିତ୍ସାଳୟରେ ହୋଇଥିବା ମକଡ୍ରିଲରେ ଚିକିିତ୍ସାଳୟର ପରିଚାଳକ, ନର୍ସ, ଆଟେଂଣ୍ଡାଂଟ, ସୁରକ୍ଷାକର୍ମୀ ଭାଗ ନେଇଥିଲେ । ଅଗ୍ନିଶମ ବିଭାଗର ମୁଖ୍ୟ ଆଗ୍ନିକ ତୁଷାରକାନ୍ତ ସ୍ୱାଇଁ, ଆଗ୍ନିକ ବିଭୂତି ଭୂଷଣ ସ୍ୱାଇଁ, ପ୍ରଦୀପ କୁମାର ସାହୁ, ଦୀପକ ଦୀପ୍ତିମାନ ପଟ୍ଟନାୟକ ସେମାନଙ୍କୁ ଆପତକାଳୀନ ପରିସ୍ଥିତିରେ ଅଗ୍ନିକାଣ୍ଡର କିଭଳି ମୁକାବିଲା କରାଯିବ ସେନେଇ ବୁଝାଇଥିଲେ । ଏହାପରେ ଟିମ୍ ଖୋର୍ଦ୍ଧାର ରିଲାଏନ୍ସ ସପିଂମଲ୍, ଏସବିଆଇ ବଜାର ଶାଖା ଆଦି ପରିଦର୍ଶନ କରି ଅଗ୍ନିସୁରକ୍ଷା ବ୍ୟବସ୍ଥା ଯାଂଚ କରିଥିଲେ ।

ସମ୍ବନ୍ଧିତ ଖବର