ଉଡ଼ାଣ-୨ରେ ଗୋଟିଏ ବି ଏୟାରଷ୍ଟ୍ରିପ୍‌ ସ୍ଥାନ ପାଇଲାନି

ମହଙ୍ଗା ପଡ଼ିଲା ବିଳମ୍ବିତ ବିମାନ ଉଡ଼ାଣ

ରାଜ୍ୟ ସରକାର ୨୩ଟି ଏୟାରଷ୍ଟ୍ରିପ୍‌ ପ୍ରସ୍ତାବ ଦେଇଥିଲେ
ଆହ୍ଲାବାଦରୁ ଭୁବନେଶ୍ୱର ଆରମ୍ଭ ହେବ ବିମାନ ସେବା

ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ‘ଉଡ଼ାଣ’ ଯୋଜନାରେ ରାଜ୍ୟର ୪ଟି ବିମାନବନ୍ଦର ସ୍ଥାନିତ ହୋଇଥିଲେ ହେଁ ଗୋଟିଏ ବି ଏୟାରଷ୍ଟ୍ରିପରୁ ବିମାନ ଉଡ଼ାଣ ଆରମ୍ଭ ନହେବା ରାଜ୍ୟ ପାଇଁ ମହଙ୍ଗା ପଡ଼ିଛି। ଦ୍ୱିତୀୟ ପର୍ଯ୍ୟାୟ ଉଡ଼ାଣ ଯୋଜନାରେ ଦେଶର ୭୩ଟି ବିମାନବନ୍ଦର, ହେଲିପ୍ୟାଡକୁ ବିମାନ ସେବା ଆରମ୍ଭ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଥିଲେ ହେଁ ଓଡ଼ିଶାର ଗୋଟିଏ ବି ବିମାନବନ୍ଦର ଏଥିରେ ସାମିଲ୍‌ ହୋଇନି।

ଦ୍ୱିତୀୟ ପର୍ଯ୍ୟାୟ ଉଡ଼ାଣ ଯୋଜନାରେ ରାଜ୍ୟର ୨୩ଟି ଏୟାରଷ୍ଟ୍ରିପକୁ ସାମିଲ୍‌ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପ୍ରସ୍ତାବ ପଠାଯାଇଥିଲା। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ ଓଡ଼ିଶା କ୍ୟାଡରର ଆଇଏଏସ୍‌ ଉଷା ପାଢ଼ୀ ଯୁଗ୍ମ ସଚିବ ଥିବାରୁ ଓଡ଼ିଶାର କେତୋଟି ଏୟାରଷ୍ଟ୍ରିପ୍‌ ସାମିଲ୍‌ ହେବ ବୋଲି ରାଜ୍ୟ ସରକାର ଆଶା ରଖିଥିଲେ। ଏପରିକି ଏହି ୨୩ଟି ଏୟାରଷ୍ଟ୍ରିପ୍‌ ତାଲିକା ଶ୍ରୀମତୀ ପାଢୀଙ୍କ ସହ ଆଲୋଚନା କରି ସ୍ଥିର କରାଯାଇଥିଲା। କିନ୍ତୁ ଗୋଟିଏ ବି ସ୍ଥାନ ପାଇଲାନି।

ରାଜ୍ୟ ସରକାର ଯେଉଁ ୨୩ଟି ଏୟାରଷ୍ଟ୍ରିପ୍‌ ତାଲିକା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପଠାଇଥିଲେ ସେଥିରୁ ଅଧିକାଂଶ ଅବ୍ୟବହୃତ ହୋଇଥିବାବେଳେ ଏହାକୁ ପରବର୍ତ୍ତୀ ସମୟରେ ଉଡ଼ାଣ ଉପଯୋଗୀ କରିଥାନ୍ତେ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥ ବିନିଯୋଗ କରିଥାନ୍ତେ। ଏହି ୨୩ଟି ଏୟାରଷ୍ଟ୍ରିପରୁ ୯ଟି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବାବେଳେ ୭ଟି ଏୟାରଷ୍ଟ୍ରିପ୍‌ ବିଭିନ୍ନ ଘରୋଇ ସଂସ୍ଥା ବା ବ୍ୟକ୍ତି ଏବଂ ରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବାବେଳେ ବାକି ୭ଟି ଏୟାରଷ୍ଟ୍ରିପ ଏବେ ବ୍ୟବହାର ଉପଯୋଗୀ ନାହିଁ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହାର ପୁନରୁଦ୍ଧାର ବାବଦକୁ ଅର୍ଥ ଦେବା ସହ ‘ଉଡ଼ାଣ’ ପାଇଁ ପ୍ରସ୍ତୁତ କରିଥାନ୍ତା। ହେଲେ ଏହିଭଳି ଏୟାରଷ୍ଟ୍ରିପ୍‌କୁ ମନ୍ତ୍ରଣାଳୟ ଏବେ ଉଡ଼ାଣ ଯୋଜନାରେ ସାମିଲ୍‌ କରିବାକୁ ଆଗ୍ରହ ଦେଖାଇନି।

ରାଜ୍ୟ ସରକାରଙ୍କ ରିପୋର୍ଟ ଅନୁଯାୟୀ, ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ୯ଟି ଏୟାରଷ୍ଟ୍ରିପ ହେଲା ଢେଙ୍କାନାଳର ବିରଶାଳ, ସମ୍ବଲପୁର ଜିଲ୍ଲାର ଜମାଦରପଲ୍ଲୀସ୍ଥିତ ହୀରାକୁଦ ଏୟାରଷ୍ଟ୍ରିପ୍‌, କେନ୍ଦୁଝରର ରାଇସୁଆଁ, ନୂଆପଡ଼ାର ଗୋଟମା, ବରଗଡ଼ ଜିଲ୍ଲା ପଦ୍ମପୁରସ୍ଥିତ ସତିଭାଟ, କନ୍ଧମାଳର ଗୁଡ଼ାରି, ମୟୂରଭଞ୍ଜର ଦାଣ୍ଡବୋଷସ୍ଥିତ ରାଇରଙ୍ଗପୁର, ଗଞ୍ଜାମ ଜିଲ୍ଲା ଗୋପାଳପୁରସ୍ଥିତ ରଙ୍ଗେଇଲୁଣ୍ଡା, ବଲାଙ୍ଗୀର ଜିଲ୍ଲାର ତୁର୍ଷା।

ସେହିପରି ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିଙ୍କ ଅଧୀନରେ ଥିବା ଏୟାରଷ୍ଟ୍ରିପଗୁଡ଼ିକ ହେଲା ଜିନ୍ଦଲ ଷ୍ଟିଲ ଦ୍ୱାରା ପରିଚାଳିତ ବଡ଼ବିଲ ଏୟାରଷ୍ଟ୍ରିପ, ମୟୂରଭଞ୍ଜର ରାଜାଙ୍କ ଅଧୀନରେ ଥିବା ରାଜବାସ, ଇମ୍ଫା ଦ୍ୱାରା ପରିଚାଳିତ ରାୟଗଡ଼ାର ଥେରୁବାଲି, ବେଦାନ୍ତ ଦ୍ୱାରା ପରିଚାଳିତ କଳାହାଣ୍ଡିର ଲାଞ୍ଜିଗଡ଼, ରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ମୟୂରଭଞ୍ଜର ରାସଗୋବିନ୍ଦପୁରସ୍ଥିତ ଅମଦ୍ରା ରୋଡ୍‌, ଟାଟା ଷ୍ଟିଲ୍‌ ଦ୍ୱାରା ପରିଚାଳିତ ଯାଜପୁରର ସୁକିନ୍ଦା, ଜିନ୍ଦଲ ଷ୍ଟିଲ୍‌ ଦ୍ୱାରା ପରିଚାଳିତ ଅନୁଗୁଳର ସାବିତ୍ରୀ ଜିନ୍ଦଲ ଏୟାରଷ୍ଟ୍ରିପ୍‌। ଏହି ଏୟାରଷ୍ଟ୍ରିପଗୁଡ଼ିକୁ ‘ଉଡ଼ାଣ’ ଯୋଜନାରେ ସାମିଲ୍‌ କରିବାକୁ କୁହାଯାଇଥିଲା। କିନ୍ତୁ ରାଉରକେଲା ଏୟାରଷ୍ଟ୍ରିପ୍‌ ନେଇ ଦୀର୍ଘ ମାସ ପର୍ଯ୍ୟନ୍ତ ବିବାଦ ଲାଗି ରହିବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଉପରୋକ୍ତ ବିମାନବନ୍ଦରଗୁଡ଼ିକୁ ଉଡ଼ାଣ-୨ରେ ସାମିଲ୍‌ କରିବାକୁ ଆଗ୍ରହ ଦେଖାଇନଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି।

ଏହାବ୍ୟତୀତ ଏବେ ବ୍ୟବହାର ହେଉନଥିବା ଏବଂ ରାଜ୍ୟ ସରକାର କି କୌଣସି ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ହେଉନଥିବା ଏୟାରଷ୍ଟ୍ରିପ୍‌ଗୁଡ଼ିକ ହେଲା ଏଆରସି ଦ୍ୱାରା ପରିଚାଳିତ ଚାରିବାଟିଆସ୍ଥିତ ‘କଟକ’ ଏୟାରଷ୍ଟ୍ରିପ୍‌, ଏବେ ଏୟାରଷ୍ଟ୍ରିପ୍‌ ଭାବେ ବ୍ୟବହାର ହେଉନଥିବା ନୟାଗଡ଼ର ଖଣ୍ଡପଡ଼ା, ଗୋଣପୁର, କୋଣାର୍କ, ସରଲାକେ, ଜେ.କେ ପେପର୍‌ ମିଲସ ଅଧୀନରେ ଥିବା ଜେକେପୁର, ଗୋପାଳପୁର ପ୍ରଭୃତି। ଏହି ଏୟାରଷ୍ଟ୍ରିପ୍‌ଗୁଡ଼ିକ ଏବେ ପୁନରୁଦ୍ଧାର କଲେ ଅଧିକ ଅର୍ଥ ଖର୍ଚ୍ଚ ହେବାକୁ ଥିବାରୁ ଏବଂ ଏଠାକୁ ଯାତ୍ରୀ ଯାତାୟତ ସମ୍ଭାବନା ବହୁତ କମ୍‌ ଥିବାରୁ ଏହାକୁ ସାମିଲ୍‌ କରାଯାଇନଥିବା ଜଣାପଡ଼ିିଛି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ୪ଟି ଏୟାରଷ୍ଟ୍ରିପ ଝାରସୁଗୁଡ଼ା, ରାଉରକେଲା, ଉତକେଲା ଓ ଜୟପୁର ଆଞ୍ଚଳିକ ସଂଯୋଗୀକରଣ ଯୋଜନା ‘ଉଡ଼ାଣ-୧’ରେ ସାମିଲ୍‌ ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ ହେଲାନି। ତେଣୁ ବିମାନକମ୍ପାନିଗୁଡ଼ିକ ଓଡ଼ିଶାର ଅନ୍ୟ ସହରକୁ ବିମାନ ଉଡ଼ାଣ କରିବାକୁ ଆଗ୍ରହ ଦେଖାଇ ନାହାନ୍ତି। ଆହ୍ଲାବାଦରୁ ଭୁବନେଶ୍ୱରକୁ ଇଣ୍ଡିଗୋ ବିମାନ ସେବା ଆରମ୍ଭ କରିବାକୁ ବିଡିଂ ପାଇଛି। ହେଲେ ଉଡ଼ାଣ ଯୋଜନାରେ ଆହ୍ଲାବାଦ ବିମାନବନ୍ଦରକୁ ଗଣତି କରାଯିବ।

ସୂଚନାଯୋଗ୍ୟ ଯେ, ଦେଶର ୭୩ଟି ଏୟରଷ୍ଟ୍ରିପ୍‌ ଓ ହେଲିପ୍ୟାଡକୁ ଉଡ଼ାଣ ଯୋଜନାରେ ସାମିଲ୍‌ କରାଯାଇଥିବାବେଳେ ଏଥିରେ ଉତ୍ତରାଖଣ୍ଡର ସର୍ବାଧିକ ୧୫ଟି, ଉତ୍ତରପ୍ରଦେଶର ୯ଟି, ଅରୁଣାଚଳପ୍ରଦେଶର ୮ଟି ଏୟାରଷ୍ଟ୍ରିପ୍‌ ରହିଛି।

ସମ୍ବନ୍ଧିତ ଖବର