ରାଜ୍ୟରେ ନାହିଁ ଏଫ୍‌ଏମ୍‌ଟି ଡାକ୍ତର ପଦବି : ପାଳି କରି ଡାକ୍ତର କରୁଛନ୍ତି ଶବ ବ୍ୟବଚ୍ଛେଦ

ଭୁବନେଶ୍ୱର : ରାଜ୍ୟରେ କ୍ୟାପିଟାଲ ହସ୍ପିଟାଲକୁ ଛାଡ଼ି ଦେଲେ ଅନ୍ୟ କୌଣସି ସ୍ଥାନରେ ଏଫ୍‌ଏମ୍‌ଟି ବା ଫରେନ୍‌ସିକ ମେଡିସିନ୍‌ ଏଣ୍ଡ ଟକ୍ସିକୋଲୋଜି ଡାକ୍ତର ପଦବି ନାହିଁ। ଆଜି ନୁହେଁ କେଉଁ ଆବାହମାନ କାଳରୁ ରାଜ୍ୟରେ ଏହି ଡାକ୍ତର ପଦବି ସୃଷ୍ଟି କରାଯାଇନାହିଁ। ଫଳରେ ଜିଲ୍ଲା ଓ ଉପଖଣ୍ଡସ୍ତରୀୟ ଡାକ୍ତରଖାନାଗୁଡ଼ିକରେ କାର୍ଯ୍ୟରତ ଡାକ୍ତର ପାଳି କରି ଶବ ବ୍ୟବଚ୍ଛେଦ କରୁଛନ୍ତି। ଏପରିକି ନିଯୁକ୍ତିପ୍ରାପ୍ତ ଯେଉଁ ଏଫ୍‌ଏମ୍‌ଟି ଡାକ୍ତର ଅଛନ୍ତି, ସେମାନଙ୍କ ପାଇଁ ସ୍ୱତନ୍ତ୍ର ପଦବି ନ ଥିବାରୁ ସେମାନେ ଅନ୍ୟ ଡାକ୍ତରଙ୍କ ଭଳି ରୋଗୀ ସେବା କରୁଛନ୍ତି। ଡାକ୍ତରୀ ପାଠ ପଢ଼ିବା ସମୟରେ ସେମାନଙ୍କୁ ଏ ବିଷୟରେ ଶିକ୍ଷା ଦିଆଯାଉଛି କହି ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱକୁ ଏଡ଼ାଇ ଦେଉଛି।

ରାଜ୍ୟରେ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ କେତେକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ସିଏଚ୍‌ସି ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବା ପିଏଚ୍‌ସିରେ ଶବ ବ୍ୟବଚ୍ଛେଦ ପାଇଁ ସରକାର ଅନୁମତି ଦେଇଛନ୍ତି। କଟକ ସିଟି ଡାକ୍ତରଖାନା ଓ ବ୍ରହ୍ମପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ମେଡିକାଲ କଲେଜ ରହିଥିବାରୁ ଏହି ଦୁଇ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଉ ନାହିଁ। ଜିଲ୍ଲାସ୍ତରରେ ଶବ ରଖିବା ପାଇଁ ବ୍ୟବଚ୍ଛେଦ ଗୃହ ରହିଛି। ମାତ୍ର ଶବ ବ୍ୟବଚ୍ଛେଦ ପାଇଁ ସ୍ୱତନ୍ତ୍ର ଭାବେ ଏଫ୍‌ଏମ୍‌ଟି ଡାକ୍ତର ନିଯୁକ୍ତ ହୋଇ ନାହାନ୍ତି। ତେଣୁ ଯେଉଁ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ଆସୁଛି, ସେହିଦିନ ଯେଉଁ ଡାକ୍ତରଙ୍କ ବ୍ୟବଚ୍ଛେଦ ପାଇଁ ପାଳି ରହିଛି ସେହି ଡାକ୍ତର ବ୍ୟବଚ୍ଛେଦ କରୁଛନ୍ତି। ଏପରିକି ବିଭିନ୍ନ ସମୟରେ କୋର୍ଟରେ ହେଉଥିବା ମାମଲାଗୁଡ଼ିକରେ ମଧ୍ୟ ସଂପୃକ୍ତ ଡାକ୍ତର ସାକ୍ଷୀ ମଧ୍ୟ ଦେଉଛନ୍ତି।

ରାଜ୍ୟ ମେଡିକାଲ ସେବା ସଂଘ ବା ଓମ୍‌ସାର ସଭାପତି ଡା. ନିରାକାର ଭଟ୍ଟ କହିଛନ୍ତି, କ୍ୟାପିଟାଲ ହସ୍ପିଟାଲ ଛଡ଼ା ଅନ୍ୟ କୌଣସି ସ୍ଥାନରେ ଏଫ୍‌ଏମ୍‌ଟି ଡାକ୍ତର ପଦବି ନାହିଁ। ଯାହାଫଳରେ ଡାକ୍ତରମାନେ ପାଳି କରି ଶବ ବ୍ୟବଚ୍ଛେଦ କରୁଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ଚିକିତ୍ସାଳୟରେ ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ ଶବ ବ୍ୟବଚ୍ଛେଦ ଡାକ୍ତର ନିଯୁକ୍ତି ଦେବାକୁ ସଂଘ ପକ୍ଷରୁ ବହୁବର୍ଷ ଧରି ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଆସୁଛି। ମାତ୍ର ବିଭାଗ ଏହାକୁ ଗୁରୁତ୍ୱ ଦେଉ ନ ଥିବା ଡା. ଭଟ୍ଟ କହିଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦେଶକ ଡା. ବ୍ରଜ କିଶୋର ବ୍ରହ୍ମା କହିଛନ୍ତି, ରାଜ୍ୟରେ କ୍ୟାପିଟାଲ ହସ୍ପିଟାଲ ବାଦ୍‌ ଏଫ୍‌ଏମ୍‌ଟି ପଦବି କେଉଁଠାରେ ନାହିଁ। ଡାକ୍ତରୀ ପଢ଼ିବା ସମୟରେ ଦେଢ଼ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ଏହି ଶିକ୍ଷା ଦିଆଯାଇଥାଏ। ତେଣୁ ଏହି ଭିତ୍ତିରେ ଏମ୍‌ବିବିଏସ୍‌ ଡାକ୍ତର ଶବ ବ୍ୟବଚ୍ଛେଦ କରୁଛନ୍ତି। ରାଜ୍ୟର ୩ଟି ପୁରାତନ ମେଡିକାଲ କଲେଜରେ ଏହିପାଇଁ ସ୍ୱତନ୍ତ୍ର ପାଠ୍ୟକ୍ରମ ରହିଛି। ତେବେ ରାଜ୍ୟରେ ଏବେ ନୂତନ ମେଡିକାଲ କଲେଜ ଖୋଲିଥିବା ବେଳେ ସେସବୁ ମେଡିକାଲ କଲେଜ ପାଇଁ ଏଫ୍‌ଏମ୍‌ଟି ଡାକ୍ତରଙ୍କ ଅଭାବ ରହିଛି। ତେବେ ଅନ୍ୟ ଡାକ୍ତର ଶବ ବ୍ୟବେଚ୍ଛଦ କରିବା ନେଇ କୌଣସି ସମସ୍ୟା ହୋଇ ନ ଥିବା ଡା. ବ୍ରହ୍ମା କହିଛନ୍ତି।

ସମ୍ବନ୍ଧିତ ଖବର