ସିଏମ୍‌ସିରେ ନାହାନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ: ନକଲି କାରଖାନା ହାଉଯାଉ; ହୋଇପାରୁନି ଚଢ଼ଉ, ଯା‌ଞ୍ଚ

କଟକ : କଟକ ସହର ଓ ଏହାର ଆଖପାଖ ଅଞ୍ଚଳରୁ ଗତ ଦୁଇବର୍ଷ ମଧ୍ୟରେ ୨୭ରୁ ଅଧିକ ନକଲି କାରଖାନା ଠାବ କରାଗଲାଣି। ଏହି କାରଖାନାରେ ନକଲି ମସଲାରୁ ଆରମ୍ଭ କରି ନକଲି ସୋୟାବିନ୍, ଘିଅ, ସସ୍‌, ବୁନ୍ଦି ଲଡୁ, ପାନ ମସଲା, ସିମେଣ୍ଟ, ରଙ୍ଗ, ଗଙ୍ଗାଜଳ ଆଦି ପ୍ରସ୍ତୁତ କରାଯାଉଛି। ପ୍ରତିମାସ ସିଏମ୍‌ସି ଓ ପୁଲିସର ମିଳିତ ଚଢ଼ଉରେ କେଉଁଠି ନା କେଉଁଠି ନକିଲ ଓ ଅପମିଶ୍ରିତ ଖାଦ୍ୟ ସମାଗ୍ରୀ କାରଖାନା ସିଲ୍‌ ହେଉଛି। ‌ହେଲେ ଏଥିପାଇଁ ସିଏମ୍‌ସିରେ ଆବଶ୍ୟକ ସଂଖ୍ୟକ ଅଧିକାରୀ ଓ କର୍ମଚାରୀ ନାହାନ୍ତି। ଏପରିକି ଗତ ଅଢେଇ ବର୍ଷ ଧରି ନିଗମରେ ଜଣେ ଅସ୍ଥାୟୀ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନେଇ ନିଗମର କାମ ଚାଲିଛି। ଆବଶ୍ୟକ ସଂଖ୍ୟକ ଅଧିକାରୀ ଓ କର୍ମଚାରୀ ଦେବାକୁ ସରକାରଙ୍କୁ ବାରମ୍ବାର କୁହାଯାଇଥିଲେ ବି ଏଦିଗରେ ‌କୌଣସି ସୁଫଳ ମିଳିପାରି ନାହିଁ।

ମହାନଗର ନିଗମ ଓ ଏହାର ଆଖପାଖ ଅଞ୍ଚଳରୁ ମାଳ ମାଳ ନକଲି କାରଖାନା ଠାବ କରାଗଲାଣି। ଦୁଇବର୍ଷ ମଧ୍ୟରେ ୨୭ରୁ ଅଧିକ ଏହି କାରଖାନା ସିଲ୍‌ କରାଗଲାଣି। ଏହା ଉପରେ ରୋକ୍‌ ଲଗାଇବା ପାଇଁ ସହରରେ ଅଧିକ ଚଢ଼ଉ କରିବା ପାଇଁ ପ୍ରଶାସନ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଉଛି। ମାତ୍ର ଆବଶ୍ୟକ ସଂଖ୍ୟକ ଅଧିକାରୀ ଓ କର୍ମଚାରୀଙ୍କ ଅଭାବରୁ ଏହାକୁ କାର୍ଯ୍ୟକ୍ଷମ ଠିକ ଭାବେ କରାଯାଇ ପାରୁ ନାହିଁ। ସିଏମ୍‌ସିରେ ଅଢେଇ ବର୍ଷରୁ ଅଧିକ ସମୟରୁ ଜଣେ ଅସ୍ଥାୟୀ ଅଛନ୍ତି, ଯିଏ ଏକ ସମୟରେ ଭୁବନେଶ୍ବର ଓ କଟକର ଦାୟିତ୍ବରେ ଅଛନ୍ତି। ଏପରି ସ୍ଥିତିରେ ସିଏମ୍‌ସି ପକ୍ଷରୁ ଚଢ଼ଉ କରିବା ଓ ସହରର ବିଭିନ୍ନ ଦୋକାନ‌ରେ ଖାଦ୍ୟର ମାନ ଯାଞ୍ଚ କରିବାରେ ବହୁ ଅସୁବିଧା ହେଉଛି।

ମହାନଗର ନିଗମରେ ୬ଲକ୍ଷରୁ ଅଧିକ ଲୋକ ଅଛନ୍ତି। ନିୟମ ଅନୁସାରେ ପ୍ରତି ୨ ଲକ୍ଷରେ ଜଣେ କରି କଟକରେ ୩ଜଣ ଖାଦ୍ୟ ସୁରକ୍ଷା ଅଧିକାରୀ ରହିବା କଥା। ସେମାନଙ୍କୁ ସହଯୋଗ କରିବା ପାଇଁ ଜଣେ ଅଧିକାରୀଙ୍କ ନିକଟରେ ସହକାରୀ ଖାଦ୍ୟ ସୁରକ୍ଷା ଅଧିକାରୀ ଭାବେ ୨ରୁ ୩ଜଣ କର୍ମଚାରୀଙ୍କ ଆବଶ୍ୟକତା ରହିଛି। ମାତ୍ର ମହାନଗର ନିଗମରେ ଏବେ ଜଣେ ଅସ୍ଥାୟୀ ଖାଦ୍ୟ ସୁରକ୍ଷା ଅଧିକାରୀରେ କାମ ଚାଲିଥିବା ବେଳେ ଜଣେ ବି ସହକାରୀ ଖାଦ୍ୟ ସୁରକ୍ଷା ଅଧିକାରୀ ନାହାନ୍ତି। ଅଧିକାରୀ ଓ କର୍ମଚାରୀ ନ ଥିବାରୁ ସହରରେ ବ୍ୟବସାୟ କରୁଥିବା ୧୨ ହଜାରରୁ ଅଧିକ ଦହିବରା ଓ ଜଳଖିଆ ବ୍ୟବସାୟୀଙ୍କ ସହିତ ୩ ହଜାରରୁ ଅଧିକ ଫାଷ୍ଟଫୁଡ୍‌ ଦୋକାନିଙ୍କ ଖାଦ୍ୟର ମାନ ସଠିକ ଭାବେ ଯାଞ୍ଚ ହୋଇପାରୁ ନାହିଁ। ଏହାସହ ନକଲି କାରଖାନା ଚଢ଼ଉ ଓ ଫୁଡ୍‌ ଲାଇସେନ୍ସ ପ୍ରଦାନ ଆଦି କାର୍ଯ୍ୟରେ ନାନା ସମସ୍ୟା ହେଉଛି। ଏପରିକି ନକଲି କାରଖାନା ଚଢ଼ଉ ହେଉକି ଖାଦ୍ୟ ଯାଞ୍ଚ କରିବା ପାଇଁ ଉକ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ସିଏମ୍‌ସି ସ୍ବାସ୍ଥ୍ୟ ବିଭାଗ ଓ ପୁଲିସକୁ ଅପେକ୍ଷା କରିବାକୁ ପଡୁଛି।

ସମ୍ବନ୍ଧିତ ଖବର