ଅଧା ଜିଲ୍ଲାରେ ନାହାନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ

ଅଧିକାଂଶଙ୍କୁ ଦୁଇଟି ଜିଲ୍ଲାର ଦାୟିତ୍ବ,‌ ନମୁନା ସଂଗ୍ରହ ବାଧାପ୍ରାପ୍ତ

ଭୁବନେଶ୍ବର : ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ଖାଦ୍ୟ ସୁରକ୍ଷା ଅଧିକାରୀ ବା ଏଫ୍ଏସ୍‌ଓ ନାହାନ୍ତି। ଯେତିକି ଏଫ୍ଏସ୍‌ଓ ରହିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଏକାଧିକ ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ଯାହାଫଳରେ ଖାଦ୍ୟ ନମୁନା ସଂଗ୍ରହଠାରୁ ଆରମ୍ଭ କରି ଖାଦ୍ୟର ଯାଞ୍ଚ ଓ ଅପମିଶ୍ରଣକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭବ ହେଉନାହିଁ। ଅପରପକ୍ଷରେ ସରକାରଙ୍କ ପକ୍ଷରୁ ମଧ୍ୟ ଏଫ୍‌ଏସ୍‌ଓ ନିଯୁକ୍ତି କ୍ଷେତ୍ରରେ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି।

ରାଜ୍ୟରେ ବିକ୍ରି ହେଉଥିବା ମାଛରେ ଫର୍ମାଲିନ୍ ମିଳିବା ଘଟଣା ହେଉ ବା ସେଓକୁ ତାଜା ରଖିବା ପାଇଁ ରସାୟନିକ ପ୍ରଲେପ ଦିଆଯାଉଥିବା ଘଟଣା କିଛିଦିନ ହେବ ରାଜ୍ୟରେ ଚହଳ ସୃଷ୍ଟି ‌କରିଛି। ଏହାସହ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତିଠାରୁ ଆରମ୍ଭ କରି ବିକ୍ରି ହେଉଥିବା ମଧ୍ୟ ନଜରକୁ ଆସୁଛି। କେବଳ ରାଜଧାନୀରେ ଗତ ୧ବର୍ଷ ଭିତରେ ୮ଟି ମିସ୍ ବ୍ରାଣ୍ଡିଂ କମ୍ପାନିଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ତେଣୁ ଖାଦ୍ୟର ଯାଞ୍ଚ ସହିତ ଲୋକମାନଙ୍କୁ ସଚେତନ କରାଇବା ପାଇଁ ଏଫ୍ଏସ୍‌ଓଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ମାତ୍ର ରାଜ୍ୟରେ ଆବଶ୍ୟକ ସଂଖ୍ୟକ ଏଫ୍ଏସ୍ଓ ନାହାନ୍ତି।

ସୂଚନା ଅନୁଯାୟୀ, ସ୍ବାସ୍ଥ୍ୟ ବିଭାଗ ଅଧୀନରେ ଖାଦ୍ୟ ସୁରକ୍ଷା କାର୍ଯ୍ୟ କରୁଛି। ରାଜ୍ୟରେ ସମୁଦାୟ ୩୮ଟି ଏଫ୍‌ଏସ୍ଓ ପଦବି ରହିଛି। ତେବେ ରାଜ୍ୟରେ ୧୮ ଜଣ ଏଫ୍ଏସ୍‌ଓ ରହିଛନ୍ତି। ୨୦ ପଦବି ଖାଲି ରହିଛି। ଅପରପକ୍ଷରେ ବିଭିନ୍ନ କାରଣରୁ ୨ଜଣ ଏଫ୍ଏସ୍ଓ ସସ୍‌ପେଣ୍ଡ ହୋଇଛନ୍ତି। ତେଣୁ ଅଧିକାଂଶ ଜିଲ୍ଲାରେ ଜଣେ ଲେଖାଏଁ ଏଫ୍ଏସ୍‌ଓଙ୍କୁ ଦୁଇଟି ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ଗଞ୍ଜାମ, ବ୍ରହ୍ମପୁର ମ୍ୟୁନସିପାଲଟି, ରାୟଗଡ଼ା, କଟକ, ଦେବଗଡ଼, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା, ମାଲକାନାଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ସମ୍ବଲପୁର, ସୋନପୁର ଓ ପୁରୀ ମ୍ୟୁନସିପାଲଟି ପାଇଁ ଏଫ୍ଏସ୍‌ଓ ନାହାନ୍ତି। ଏପରିକି ରାଜଧାନୀରେ ଥିବା ଏଫ୍ଏସ୍ଓଙ୍କୁ ଖୋର୍ଧା ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ଖାଲି ପଡ଼ିଥିବା ଜିଲ୍ଲାଗୁଡ଼ିକରେ ଏଫ୍‌ଏସ୍‌ଓ ନିଯୁକ୍ତି କରିବା ପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲେ‌ ହେଁ, ତାହାକୁ ପୂରଣ କରାଯାଉନାହିଁ।

ଅପରପକ୍ଷରେ ଏଫ୍‌ଏସ୍‌ଓମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଦିଆଯାଉ ନ ଥିବା ଅଭିଯୋଗ ହେଉଛି। ଜଣେ ଏଫ୍‌ଏସ୍‌ଓକୁ ଦୁଇଟି ଲେଖାଏଁ ଜିଲ୍ଲା ଦିଆଯାଇଥିବା ବେଳେ ସେମାନଙ୍କୁ ଗାଡ଼ିର ବ୍ୟବସ୍ଥା କରାଯାଉ ନାହିଁ। ଏପରିକି ନମୁନା ସଂଗ୍ରହ କରିବା ସମୟରେ ଆବଶ୍ୟକ ସୁରକ୍ଷା ମଧ୍ୟ ପ୍ରଦାନ କରାଯା ଉନାହିଁ। ଯାହାଫଳରେ ଏଫ୍‌ଏସ୍‌ଓଙ୍କ ମଧ୍ୟରେ ଏଥିପାଇଁ ଅସନ୍ତୋଷ ସୃଷ୍ଟି ହେଉଛି।
ଖାଦ୍ୟ ସୁରକ୍ଷାର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ବିଭାଗ ନୂଆ କରି କାର୍ଯ୍ୟକାରୀ ହୋଇଛି। ରାଜ୍ୟରେ ମାତ୍ର ୧୮ଜଣ ଏଫ୍‌ଏସ୍‌ଓ ରହିଛନ୍ତି। ତୃଣମୂଳସ୍ତରରେ କର୍ମଚାରୀଙ୍କ ଅଭାବ ଯୋଗୁଁ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ସମସ୍ୟା ସୃଷ୍ଟି ହେଉଛି। ତେବେ ଖାଲି ପଡ଼ିଥିବା ପଦବି ପୂରଣ ନେଇ ରାଜ୍ୟ ସରକାରଙ୍କୁ ଚିଠି ଦିଆଯାଇଛି। ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ଏହିସବୁ ପଦବି ପୂରଣ ହେବ ବୋଲି ଆଶା କରାଯାଉଛି। ଏଫ୍‌ଏସ୍‌ଓଙ୍କ ନିଯୁକ୍ତି ପରେ ଏହି ସମସ୍ୟାର ସମାଧାନ ହେବ ବୋଲି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର