ଆଙ୍ଗୁଠି ନଥିବାରୁ ରାସନ ମିଳୁନି

ହାଟଡିହି : କେହି ଭୋକିଲା ରହିବେନି। ଏଥିପାଇଁ ସରକାର ଖାଦ୍ୟ ସୁରକ୍ଷା ଆଇନ କରିଛନ୍ତି। ଗରିବ ଲୋକଙ୍କୁ ଏଥିରେ ସାମିଲ କରି ଚାଉଳ, ଗହମ ଯୋଗାଇ ଦେଉଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାର ସୁପରିଚାଳନାରେ ଓଡ଼ିଶା ଦେଶରେ ଏକ ନମ୍ବର। ଏଭଳି ସ୍ଥିତିରେ ଆଙ୍ଗୁଠି ନଥିବାରୁ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇ ଭୋକ ଉପବାସରେ ଦିନ କାଟୁଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ସମଣା ପଞ୍ଚାୟତ କଦମ୍ବଡିହି ଗ୍ରାମର ଅନାମ ନାୟକ (୭୬)।

ଅନାମ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ହାତର ଆଙ୍ଗୁଠି ନଥିବାରୁ ଆଧାରକାର୍ଡ ତିଆରି ହୋଇପାରୁନି। ଅନାମ ଆଧାରକାର୍ଡ କରିବା ପାଇଁ ଅନେକ ଥର ଉଦ୍ୟମ କରି ବିଫଳ ହୋଇଛନ୍ତି। ଆଧାରକାର୍ଡ ନଥିବାରୁ ସେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇପାରୁ ନାହାନ୍ତି। ପୁଅ ତା’ର ପରିବାର ନେଇ ଅଲଗା ହୋଇଯାଇଥିବା ବେଳେ ପତ୍ନୀଙ୍କ ସହ ରହୁଛନ୍ତି ଅନାମ। ପତ୍ନୀଙ୍କ ନାମରେ ଥିବା ରାସନକାର୍ଡ ଥିବା ବେଳେ ଅନାମଙ୍କ ନାମ ଯୋଡ଼ା ଯାଉନି। ‌ଯେଉଁ ଚାଉଳ ମିଳୁଛି, ସେଥିରେ ଦୁଇପ୍ରାଣୀ ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି।

ଏ ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ଶ୍ୟାମ ମାଝୀଙ୍କୁ ପଚାରିବାରୁ, ଏହା ‌ହେଉଛି ସ୍ୱତନ୍ତ୍ର ମାମଲା। ଏହାର ବିଚାର କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ରାସନ ସାମଗ୍ରୀ ଯୋଗାଇଦେବାର ବ୍ୟବସ୍ଥା ରହିଛି। କାହିଁକି ଅନାମଙ୍କୁ ରାସନ ମିଳୁନି ସେ ସମ୍ପର୍କରେ ପଚାରି ବୁଝିବେ ବୋଲି କହିଛନ୍ତି। ଆନନ୍ଦପୁର ଉପଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଅନାମଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରି ରାସନ ଯୋଗାଇଦେବାକୁ ସମଣା ସରପଞ୍ଚ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର