୮୯ ମାଛ ନମୁନାରୁ ଫର୍ମାଲିନ୍‌ ମିଳିଲାନି

ଭୁବନେଶ୍ୱର : ଆନ୍ଧ୍ର ମାଛରେ ଫର୍ମାଲିନ୍‌ ମିଶିବାକୁ ନେଇ ଗତ ୧୦ଦିନ ହେବ ରାଜ୍ୟବ୍ୟାପୀ ଖୋଳତାଡ଼ ହେଲା। ଖୋଦ ରାଜ୍ୟ ସରକାର ମାଛରେ ଫର୍ମାଲିନ୍‌ ମିଶିବାକୁ ନେଇ ରାଜ୍ୟବ୍ୟାପୀ ଚଢ଼ଉ ନିର୍ଦେଶ ଦେଲେ। ପଶୁସଂପଦ ମନ୍ତ୍ରୀ, ସଚିବ ଓ ବିଭାଗୀୟ ନିର୍ଦେଶକ ଏହାକୁ ଗୁରୁତ୍ୱର ସହ ନିଆଯାଇଥିବା କହିଲେ। ମାଛକୁ ନେଇ ଲୋକମାନଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି କରାଗଲା। ଲୋକମାନେ ମାଛ କିଣା ଏକପ୍ରକାର ବନ୍ଦ କରିଦେଲେ, ବ୍ୟବସାୟୀ ବି ଘାଟାରେ ପଡ଼ିଲେ। ମାତ୍ର ଏବେସୁଦ୍ଧା ପରୀକ୍ଷା ହୋଇଥିବା ମାଛ ନମୁନାରେ ଫର୍ମାଲିନ୍‌ ମିଶିବାର କୌଣସି ପ୍ରମାଣ ନ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହୁଛନ୍ତି।

ଏଭଳି ସ୍ଥିତିରେ ପଶୁସଂପଦ ବିଭାଗର ତରବରିଆ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି। ପ୍ୟାଟେଣ୍ଟ ହୋଇ ନ ଥିବା ଦୁଇଟି କିଟ୍‌ରେ ବିଭାଗୀୟ ଅଧିକାରୀମାନେ ପରୀକ୍ଷା କରିବା ଓ ଏଥିରେ ଫର୍ମାଲିନ୍‌ ମିଶିଛି ବୋଲି କହିବା ଘଟଣାକୁ ଅଧିକ ବିବାଦୀୟ କରିଛି। ପରୀକ୍ଷାଗାରରେ ନମୁନା ରିପୋର୍ଟ ନ ଆସିବା ପୂର୍ବରୁ ଗଣମାଧ୍ୟମ ସାମ୍ନାରେ ମାଛରେ ଫର୍ମାଲିନ୍‌ ମିଶିଛି ବୋଲି କହିବା ପଛରେ କ’ଣ ଉଦ୍ଦେଶ୍ୟ ରହିଛି ତାହା ଜଣାପଡ଼ୁନାହିଁ।

ଗତ ୧୩ତାରିଖରେ ରାଜଧାନୀର ୟୁନିଟ୍‌-୪ ମାଛ ମାର୍କେଟ୍‌ରୁ ପଶୁସଂପଦ ବିଭାଗ ପକ୍ଷରୁ ଚଢ଼ଉ କରାଯିବା ସହିତ ଆନ୍ଧ୍ର ମାଛରେ ଫର୍ମାଲିନ୍‌ ମିଶିବାକୁ ନେଇ ଯାଞ୍ଚ ହୋଇଥିଲା। କେବଳ ପମଫ୍ରେଟ୍‌ ମାଛରେ ଫର୍ମାଲିନ୍‌ ମିଶିଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହାର ୬ଦିନ ପରେ ସମ୍ବଲପୁରରୁ ୨ଟି ମାଛ ନମୁନାରୁ ଫର୍ମାଲିନ୍‌ ମିଶିଥିବା ବିଭାଗ ପକ୍ଷରୁ କୁହାଯାଇଥିଲା। ଫଳରେ ଲୋକମାନେ ମାଛ ଖାଇବାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ଭୁବନେଶ୍ୱର ଓ ସମ୍ବଲପୁରରେ ଫର୍ମାଲିନ୍‌ର ଉପସ୍ଥିତ ଜାଣିବା ପାଇଁ ବିଭାଗ ପକ୍ଷରୁ ଦୁଇ ଭିନ୍ନ ପ୍ରକାରର କିଟ୍‌ ବ୍ୟବହାର କରାଯାଇଥିଲା। ଗୋଟିଏ କିଟ୍‌ ପଶ୍ଚିମବଙ୍ଗସ୍ଥିତ ବାରାକପୁରରେ ଥିବା କେନ୍ଦ୍ରୀୟ ଅନ୍ତଃରାଜ୍ୟ ମତ୍ସ୍ୟ ପ୍ରତିଷ୍ଠାନ ବା ସିଆଇଏଫଆରଆଇରୁ ଆସିଥିବା ବେଳେ ଅନ୍ୟଟି କୋଚିନ୍‌ସ୍ଥିତ କେନ୍ଦ୍ରୀୟ ମତ୍ସ୍ୟ ପ୍ରଦୌଗିକ ପ୍ରତିଷ୍ଠାନରୁ ଆସିଥିଲା। ଏହି କିଟ୍‌ର ବିଶ୍ୱସନୀୟତାକୁ ନେଇ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମଧ୍ୟ ସନ୍ଦେହ ରହିଛି। ଏହାସତ୍ୱେ ମଧ୍ୟ ଏହି କିଟ୍‌ରେ ଅଧିକାରୀମାନେ ପରୀକ୍ଷା କରିଥିଲେ। ପୂର୍ବରୁ ଭୁବନେଶ୍ୱର ଓ କଟକରୁ ସଂଗ୍ରହ ହୋଇଥିବା ୨୧ଟି ମାଛ ନମୁନା ରିପୋର୍ଟ ନେଗେଟିଭ୍‌ ଥିବା ଜଣାପଡ଼ିଥିଲା। ଏବେ ରାଜ୍ୟରୁ ସଂଗ୍ରହ ହୋଇଥିବା ୧୩୭ଟି ନମୁନାରୁ ୮୯ଟି ମାଛ ନମୁନାରେ ଫର୍ମାଲିନ୍‌ ନ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ଶ୍ରୀ ଜେନା କହିଛନ୍ତି, ରାଜ୍ୟର ୨୦ଟି ଜିଲ୍ଲାରୁ ସଂଗ୍ରହ ହୋଇଥିବା ନମୁନାରୁ ଫର୍ମାଲିନ୍‌ ମିଶିବାକୁ ନେଇ କୌଣସି ପ୍ରମାଣ ନାହିଁ। ରାଜ୍ୟ ବାହାରରୁ ବିଶେଷକରି ଆନ୍ଧ୍ର ଟ୍ରକ୍‌ରେ ଆସୁଥିବା ମାଛ, ହୋଲ୍‌ସେଲରଙ୍କ ଗୋଦାମ ଉପରେ ଗୁରୁତ୍ୱ ଦିଆଯିବା ସହିତ ଖୁଚୁରା ବିକ୍ରେତାଙ୍କଠାରୁ ମଧ୍ୟ ନମୁନା ସଂଗ୍ରହ କରାଯାଇଥିଲା ଓ ଖାଦ୍ୟ ସୁରକ୍ଷା ପରୀକ୍ଷାଗାରକୁ ପଠାଯାଇଥିଲା। ଏହି ପରୀକ୍ଷାଗାରଟି ଏକ ସାର୍ଟିଫାଏଡ ପରୀକ୍ଷାଗାର। ସଂଗୃହୀତ ମାଛରେ ଫର୍ମାଲିନ୍‌ର କୌଣସି ପ୍ରମାଣ ମିଳିନାହିଁ। ତେଣୁ ମାଛ ବିକ୍ରିକୁ ନେଇ ଲୋକମାନେ ଆତଙ୍କିତ ହୁଅନ୍ତୁ ନାହିଁ। ଏବେ ବି ଯାଞ୍ଚ ଜାରି ରହିଛି ଓ ଆଗକୁ ଜାରି ରହିବ ବୋଲି ଶ୍ରୀ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର