କାର୍ଯ୍ୟକାରୀ ହେଉନି ଉଚ୍ଚତମ ନ୍ୟାୟାଳୟଙ୍କ ରାୟ: ପଦୋନ୍ନତିରେ ଭିନ୍ନକ୍ଷମଙ୍କ ପାଇଁ ୩ ପ୍ରତିଶତ ସଂରକ୍ଷଣ କାର୍ଯ୍ୟକାରୀ ଦାବି

ଖୋର୍ଦ୍ଧା: ଉଚ୍ଚତମ ନ୍ୟାୟାଳୟଙ୍କ ରାୟ, ଭିନ୍ନକ୍ଷମ ଆୟୋଗଙ୍କ ନିର୍ଦ୍ଦେଶ ଏପରିକି ଖୋଦ୍ ରାଜ୍ୟ ସରକାରଙ୍କ ନିଜର ବିଜ୍ଞପ୍ତି କାର୍ଯ୍ୟକାରୀ ହେଉନାହିଁ। ଚାକିରି କ୍ଷେତ୍ରରେ ବିଭାଗୀୟ ପଦୋନ୍ନତିରେ ଭିନ୍ନକ୍ଷମଙ୍କୁ ୩ ପ୍ରତିଶତ ସଂରକ୍ଷଣ ପାଇଁ ୨୦୧୩ରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ମଧ୍ୟ ରାଜ୍ୟରେ ଏହା କାର୍ଯ୍ୟକାରୀ ହେଉନାହିଁ ବୋଲି ଓଡ଼ିଶା ବିକଳାଙ୍ଗ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି।

ମଞ୍ଚ ପକ୍ଷରୁ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି। ପଦୋନ୍ନତିରେ ୩ ପ୍ରତିଶତ ସଂରକ୍ଷଣ ସମ୍ପର୍କରେ ସୂଚନା ଦେଇ ମଞ୍ଚର ସଭାପତି ନିରଞ୍ଜନ ବେହେରା କହିଛନ୍ତି ଯେ ୨୦୧୩ ଡିସେମ୍ବର ୩ ତାରିଖ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିନ୍ନକ୍ଷମଙ୍କ ପଦୋନ୍ନତିରେ ୩ ପ୍ରତିଶ ସଂରକ୍ଷଣ ପାଇଁ ଘୋଷଣା କରିଥିଲେ। ଏହାପରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଥିଲା। କିନ୍ତୁ ପରବର୍ତୀ ସମୟରେ ଶିକ୍ଷକଙ୍କ ପଦୋନ୍ନତିରେ ଏହା କାର୍ଯ୍ୟକାରୀ ହୋଇନଥିବାରୁ କେତେକ ଭିନ୍ନକ୍ଷମ କର୍ମଚାରୀ ରାଜ୍ୟ ଭିନ୍ନକ୍ଷମ ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲେ। ଆୟୋଗଙ୍କ ନିର୍ଦ୍ଦେଶାନୁସାରେ, ସାଧାରଣ ପ୍ରଶାସନ ୨୭ ମାର୍ଚ୍ଚ ୨୦୧୭ରେ ପୁଣି ଚିଠି ମାଧ୍ୟରେ ସଂରକ୍ଷଣକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତୀ ସମୟରେ ୨୦୨୧ ସେପ୍ଟମ୍ବର ୨୮ରେ ଉଚ୍ଚତମ ନ୍ୟାୟାଳୟ ମଧ୍ୟ ଭିନ୍ନକ୍ଷମଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ ଦେବାକୁ ନିର୍ଦ୍ଦେ’ଶ ଦେଇଥିଲେ। ଏହି ସବୁ ସତ୍ବେ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ ବୋଲି ଶ୍ରୀ ବେହେରା ଅଭିଯୋଗ କରିବା ସହ ଆଗାମୀ ଦିନରେ ଏହାକୁ ଲାଗୁ କରିବା ଦାବିରେ ରାଜ୍ୟର ଭିନ୍ନକ୍ଷମଙ୍କ ପକ୍ଷରୁ ଧାରଣା ଦିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର