ଝରିଗାଁ: ପ୍ରଶାସନ ଗ୍ରାମାଞ୍ଚଳର ବିକାଶ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଗ୍ରାମାଞ୍ଚଳର ବିକାଶ ହେଉଥିବା ମଧ୍ୟ କହୁଛନ୍ତି। କିନ୍ତୁ ଏବେ ମଧ୍ୟ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ବହୁ ଆଦିବାସୀ ଗ୍ରାମ ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ମିଳୁଛି। ଏହିପରି ଏକ ଆଦିବାସୀବହୁଳ ଗ୍ରାମ ହେଉଛି ଚକଲାପଦର ପଂଚାୟତ ଅନ୍ତର୍ଗତ କୁସୁମବାହଲ।

Advertisment

ଦୀର୍ଘ ବର୍ଷ ତଳେ କାଶୀପୁର ଅଞ୍ଚଳରୁ କିଛି ଆଦିବାସୀ ପରିବାର ଜୀବିକା ନିର୍ବାହ ପାଇଁ ଆସିଥିଲେ। ଶେଷରେ ସେମାନେ ବସତି ସ୍ଥାପନ କରିଥିଲେ। ସେମାନେ ଏହି ଗ୍ରାମକୁ କୁସୁମବାହଲ ନାମ ଦେଇଥିଲେ। ବର୍ତ୍ତମାନ ଏହି ଗ୍ରାମରେ ୩୦ ପରିବାର ରହୁଛନ୍ତି। ଏହି ଗ୍ରାମରେ ଜାନି, ଭତରା ଏବଂ ଗୌଡ଼ ସମ୍ପ୍ରଦାୟର ଲୋକ ଅଛନ୍ତି। ଗ୍ରାମବାସୀ ବିଭିନ୍ନ କିସମର ଚାଷ କରି ପରିବାର ପୋଷଣ କରୁଛନ୍ତି। ମୌଳିକ ସୁବିଧାରୁ ବଞ୍ଚିତ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି‌ ଯେ, ଏହି ଗ୍ରାମକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ଭଲ ରାସ୍ତା ଟିଏ ନିର୍ମାଣ ହୋଇପାରି ନାହିଁ। ଫଳରେ ବର୍ଷା ଅଧିକ ହେଲେ ଗ୍ରାମବାସୀ ଜଳବନ୍ଦୀରେ ରହୁଛନ୍ତି।

ଏହି ଗ୍ରାମରେ ପହଞ୍ଚିବାକୁ ହେଲେ ଗାଇବନ୍ଧା କିମ୍ବା ସାଗଜବା ଦେଇ ଯିବାକୁ ପଡ଼ିଥାଏ। ଗାଇବନ୍ଧା ଦେଇ ଗଲେ ତିନି କିଲୋମିଟର ଦୂର ଯିବା ପରେ ବଡ଼ଘାଟି ଦେଇ କୁସୁମବାହଲ ଗ୍ରାମରେ ପହଞ୍ଚି ହୁଏ। ତେବେ ବଡ଼ଘାଟି ଠାରୁ ପ୍ରାୟ ଦୁଇ କିଲୋମିଟର ରାସ୍ତା ସମ୍ପୂର୍ଣ୍ଣ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ଦୁଇ କିଲୋମିଟର ରାସ୍ତା ଖାଲ ଖମା ସହ ପଥୁରିଆ ରାସ୍ତା ଥିବା ବେଳେ ଜଙ୍ଗଲ ପାହାଡ଼ ଦେଇ ଟିପା ନଦୀ ପାର ହେବାକୁ ପଡ଼େ।

ସେହିପରି ସାଗଜବା ଗ୍ରାମ ଦେଇ ଗଲେ ସାଗଜବା ଠାରୁ ତିନି କିଲୋମିଟର ଶୋଚନୀୟ ରାସ୍ତା ଜଂଗଲ ପାହାଡ଼ ଦେଇ ଟିପାନଦୀ ପାର ହୋଇ ଯିବା ପାଇଁ ପଡ଼େ। ଉଭୟ ରାସ୍ତାରେ ଟିପା ନଦୀ ପଡୁଥିବା ବେଳେ ପ୍ରଶାସନ ପକ୍ଷରୁ ପୋଲ ନିର୍ମାଣ ହୋଇନାହିଁ। ତେଣୁ ଅଧିକ ବର୍ଷା ହେଲେ ଟିପା ନଦୀରେ ବର୍ଷା ପାଣି ଅଧିକ ହେଲେ କୁସୁମବାହଲ ଗ୍ରାମବାସୀ ଜଳ ବନ୍ଦୀରେ ରହୁଛନ୍ତି। ଗ୍ରାମବାସୀ ଗାଇବନ୍ଧା ଗ୍ରାମ ଦେଇ ଅଧିକ ଯାତାୟାତ କରୁଥିବା ବେଳେ ଉଭୟ ରାସ୍ତା ଖରାଫ ଥିବା ଯୋଗୁଁ ରୋଗୀ ଏବଂ ଗର୍ଭବତୀମାନଙ୍କୁ ବର୍ଷା ଦିନରେ ଟିପାନଦୀ ପାର ହୋଇ ଗାଇବନ୍ଧା ଗ୍ରାମ ପର୍ଯ୍ୟନ୍ତ ବୋହି ନେବା ପାଇଁ ପଡୁଥିବା ଗ୍ରାମବାସୀ କହିଛନ୍ତି।

ଗ୍ରାମରେ ଏଯାବତ ବିଦ୍ୟୁତ ସଂଯୋଗ ହୋଇନାହିଁ। ସନ୍ଧ୍ୟା ହେଲେ ସରୀସୃପ ଏବଂ ଜଙ୍ଗଲ ଜନ୍ତୁଙ୍କ ଭୟରେ କବାଟ ବନ୍ଦ ହୋଇଯାଏ। ପାଠ ପଡୁଥିବା ପିଲାମାନେ ଡିବିରି ଆଲୁଅ ଉପରେ ଭରସା କରୁଛନ୍ତି। ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବିଦ୍ୟାଳୟ ନଥିବା ବେଳେ ପିଲାମାନେ ଚାରି କିଲୋମିଟର ଦୂରରେ ଥିବା ଶାଗଜବା ଅଙ୍ଗନବାଡ଼ି କେନ୍ଦ୍ର ଏବଂ ଗାଇବନ୍ଧା ପ୍ରାଥମିକ ବିଦ୍ୟାଳୟ ଉପରେ ନିର୍ଭର କରୁଛନ୍ତି। ବର୍ଷା ଦିନରେ ପିଲାମାନଙ୍କୁ ଛାଡ଼ିବା ପାଇଁ ଅଭିଭାବକମାନେ ଇଛା ପ୍ରକାଶ କରୁନଥିବା ବେଳେ ଅନ୍ୟ ଦିନଗୁଡ଼ିକରେ ମଧ୍ୟ ଦୂର ସହ ଜଙ୍ଗଲ ରାସ୍ତା ଯୋଗୁଁ ପିଲାମାନେ ଇଛା ପ୍ରକାଶ କରୁନଥିବା ଜଣାପଡିଛି।

ଯେଉଁ ଗ୍ରାମରେ ରାସ୍ତା ଓ ବିଦ୍ୟୁତ ସୁବିଧା ନାହିଁ ସେଠାରେ ମୋବାଇଲ ନେଟୱର୍କ କଥା ପଚାରେ କିଏ। ମୋବାଇଲ ନେଟୱର୍କ ସୁବିଧା ନଥିବା ଯୋଗୁଁ କୌଣସି ଜରୁରୀ ସୂଚନା ନପାଇବା ସହ ଆମ୍ବୁଲାନ୍ସ ଯୋଗାଯୋଗ କରିବାରେ ସମସ୍ୟା ହେଉଛି। ଗ୍ରାମବାସୀଙ୍କ ବହୁବାର ଦାବି ପରେ ପ୍ରଶାସନ ପକ୍ଷରୁ ନଳକୂପ ଖନନ ହୋଇଥିଲା କିନ୍ତୁ ବର୍ତ୍ତମାନ ସୁଧା ଚାନ୍ଦିନି ନିର୍ମାଣ ହୋଇନାହିଁ। ଫଳରେ ଗ୍ରାମର ମହିଳାମାନେ ପାଣି ନେବା ସମୟରେ ସମସ୍ୟାର ସମ୍ବୁଖିନ ହେଉଥିବା ଅଭିଯୋଗ କରିଛନ୍ତି। ତେବେ ପ୍ରଶାସନ ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ଗ୍ରାମର ବିଷୁ ଜାନୀ, ଲଛମନ ଗୌଡ଼, ସୁନ୍ଦର ଜାନୀ, ଚନ୍ଦ୍ର ଜାନୀ, ପାଣ୍ଡୁ ଜାନୀ, ଚୈତନ୍ୟ ଜାନୀ, ସୋନୁ ଜାନୀ, ସନିଆ ଜାନୀ, ସଦା ଜାନୀ, ସମାରୁ ଜାନୀ, ଟଙ୍କଧର ଜାନୀ, ରୈନୁ ଭତ୍ରା, ଦାସୁ ଜାନୀ, ଭଗତ ରାମ ମୁଦୁଲି, ଜଗ ଗୌଡ଼, ରାମ ଜାନୀ ପ୍ରମୁଖ ଦାବି କରିଛନ୍ତି।