ଛାତ୍ରୀ ଶୂନ୍ୟ ହେଲା ଆଇଆଇଏମ୍‌ ସମ୍ବଲପୁରର ଚତୁର୍ଥ ବ୍ୟାଚ

ସମ୍ବଲପୁର : ଆଇଆଇଏମ୍‌ ସମ୍ବଲପୁରର ସିଟ୍‌ ସଂଖ୍ୟା ଚଳିତ ବର୍ଷ ୬୦ରୁ ୧୨୦ ହେଲା। ଏଥିମଧ୍ୟରୁ ୧୦୮ ଜଣ ନାମ ଲେଖାଇ ସାରିଛନ୍ତି। ତେବେ, ଏଥିରେ ଜଣେ ମଧ୍ୟ ଛାତ୍ରୀ ନାହାନ୍ତି। ଏହାର ପୂର୍ବ ବ୍ୟାଚରେ ୧୧ ଏବଂ ପ୍ରଥମ ବ୍ୟାଚରେ ମଧ୍ୟ ୯ ଜଣ ଛାତ୍ରୀ ନାମ ଲେଖାଇଥିଲେ । ଚଳିତ ବର୍ଷ କୌଣସି ଛାତ୍ରୀ ନମିଳିବା ଆଇଆଇଏମ ପାଇଁ ଦୁର୍ଭାଗ୍ୟଜନକ। ଆସନ୍ତା ବର୍ଷରୁ ଏଠାରେ ଛାତ୍ରୀ ପ୍ରୋତ୍ସାହନ ପାଇଁ କଟଅଫ ପ୍ରତିଶତରେ କୋହଳ କରାଯିବ ବୋଲି କହିଛନ୍ତି ଆଇଆଇଏମ୍‌ ସମ୍ବଲପୁର ନିର୍ଦେଶକ ମହାଦେବ ଜୟସ୍ୱାଲ।

କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ତଥ୍ୟ ଆଧାରରେ ବିବିସି ହିନ୍ଦୀ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ‘ଦେଶରେ ସମୁଦାୟ ଜନସଂଖ୍ୟାରେ ମହିଳା ସଂଖ୍ୟାର ଭାଗିଦାରୀ ୪୮.୫ ପ୍ରତିଶତ, ଏଥିମଧ୍ୟରୁ ୧୨ ଶ୍ରେଣୀ ଉତ୍ତୀର୍ଣ୍ଣ ଛାତ୍ରୀଙ୍କ ସଂଖ୍ୟା ୪୫ ପ୍ରତିଶତ, ଦେଶର ବିଭିନ୍ନ କଲେଜରେ ଇଂଜିନିୟରିଂ ଛାତ୍ରୀଙ୍କ ସଂଖ୍ୟା ୨୮ ପ୍ରତିଶତ, ଆଇଆଇଟିରୁ ବିଟେକ କରୁଥିବା ଛାତ୍ରୀଙ୍କ ସଂଖ୍ୟା ୮ରୁ୧୦ ପ୍ରତିଶତ ରହୁଛି’। ଆଇଆଇଟି ଏବଂ ଆଇଆଇଏମରେ ସ୍ୱଳ୍ପ ଛାତ୍ରୀଙ୍କ ନାମଲେଖା ନେଇ ଚଳିତ ବର୍ଷ ସଂସଦରେ ମଧ୍ୟ ଆଲୋଚନା ହୋଇଥିଲା। ମାତ୍ର ଏହି ସ୍ଥିତି ଠାରୁ ମଧ୍ୟ ଆଇଆଇଏମ ସମ୍ବଲପୁରର ସ୍ଥିତି ଆହୁରି ଚିନ୍ତାଜନକ ରହିଛି। ପ୍ଲେସମେଣ୍ଟ କିମ୍ବା ସର୍ବାଧିକ ବେତନ ହେଉ ୨୦୧୮ ମସିହାରେ ଆଇଆଇଏମ ସମ୍ବଲପୁରର ସଫଳତା ସମକାଳୀନ ଆଇଆଇଏମ ଠାରୁ ଅନେକ ଆଗରେ ରହିଛି। ଏହାର ଶ୍ରେଷ୍ଠ ତିନି ମଧ୍ୟରୁ ୨ ଜଣ ଛାତ୍ରୀ ଥିଲେ, ଷ୍ଟାର୍ଟଅପ କରିଥିବା ଦୁଇ ଜଣଙ୍କ ମଧ୍ୟରୁ ମଧ୍ୟ ଜଣେ ଛାତ୍ରୀ। ଏଥିଯୋଗୁଁ ଚଳିତ ବର୍ଷ ଆଇଆଇଏମ ସମ୍ବଲପୁରର ସିଟ ସଂଖ୍ୟାକୁ ଦୁଇ ଗୁଣ କରାଗଲା। ଚତୁର୍ଥ ବ୍ୟାଚ ଛାତ୍ରୀ ଶୂନ୍ୟ ହେବା ନେଇ ନିର୍ଦେଶକ କହିଛନ୍ତି, ଆଇଆଇଏମରେ ନାମଲେଖାଉଥିବା ଅଧିକାଂଶ ଛାତ୍ର ଇଂଜିନିୟରିଂ ଏବଂ ଛାତ୍ରୀମାନେ ସ୍ନାତକ ବା ସ୍ନାତକୋତ୍ତର ପୃଷ୍ଠଭୂମିରୁ ଆସନ୍ତି। ଇଂଜିନୟରିଂରେ ସ୍କୋର କରିବା ବେଶି ସହଜ ହୋଇଥିବାରୁ ଛାତ୍ରମାନଙ୍କ ପ୍ରାବଲ୍ୟ ରହିଛି। ନିର୍ଦିଷ୍ଟ ବୟସ ପରେ ଝିଅ ବିବାହକୁ ପରିବାର ଗୁରୁତ୍ୱ ଦେଉଥିବାରୁ ଆଡମିସନ କରି ନାହାନ୍ତି। ୧୨ ସଂରକ୍ଷିତ ସିଟରେ ସଂରକ୍ଷିତ ଶ୍ରେଣୀର ବିଦ୍ୟାର୍ଥୀ ଆଡମିସନ ନହେବାରୁ ଏହା ଖାଲି ରହିଥିବା ନିର୍ଦେଶକ କହିଛନ୍ତି।

ସମ୍ବନ୍ଧିତ ଖବର