ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ବଡ଼ସାହି ବ୍ଲକର ମାନଗୋବିନ୍ଦପୁର ପଞ୍ଚାୟତରେ ରାଜନୀତିର ଉଷ୍ଣତା ସବୁବେଳେ ଅଧିକ ହେଲେ ବିକାଶ ଘର ଶୂନ। ମୁଖ୍ୟତଃ ଉକ୍ତ ଗ୍ରାମର ରାସ୍ତାଘାଟ ହିଁ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ।

Advertisment

ବଡ଼ସାହି ନିର୍ବାଚନ ମଣ୍ଡଳୀର ମାନଗୋବିନ୍ଦପୁର ଗାଁରେ ରାଜନୈତିକ ପାଣିପାଗ ସବୁବେଳେ ଉଷ୍ମ ରହିଥାଏ। ନିର୍ବାଚନ ଆସିଲେ ପୁରୁଖା ପୁରୁଖା ନେତାମାନେ ଏହି ଅଞ୍ଚଳରେ ଥିବା ନିଜ କୁଜିନେତାମାନଙ୍କୁ ଧରି ଉକ୍ତ ପଂଚାୟତରେ ଦିନ ଦିନ ଧରି ଡେରା ପକାନ୍ତି। ହେଲେ ଦୁଃଖର ବିଷୟ ବିକାଶ ଗାଁ ଠାରୁ ବହୁ ଦୂରରେ ରହିଛି। ସ୍ୱାଧୀନତାର ୭୬ ବର୍ଷ ପରେ ମଧ୍ୟ ଗାଁ ଭିତରେ ଅଧିକାଂଶ ରାସ୍ତା ଜରାଜୀର୍ଣ୍ଣ ଅବସ୍ଥାରେ। ବର୍ଷାଦିନ ଆସିଲେ କାଦୁଅ ପଚପଚ ରାସ୍ତାରେ ଗାଡ଼ିରେ ଯିବାତ ଦୂରର କଥା ପାଦରେ ଚାଲିକି ଯିବା ମଧ୍ୟ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ତାପରେ ଗାଁର ଅଧିକାଂଶ ଲୋକ ମଧ୍ୟ ନିଜର ହୀନ ମାନସିକତା ପାଇଁ ଗାଁ ରାସ୍ତା ଉପରେ ଜବରଦଖଲ କରି କୋଉଠି ଗୁହାଳ ଘର କଲେଣି ତ କୋଉଠି ଦୋକାନ ଘର କଲେଣି ଯୋଉଁଥିପାଇଁ ୨୦ଫୁଟ ଓସାରର ରାସ୍ତା ଗୁଡିକ ଏତେ ସଂକୀର୍ଣ୍ଣ ହୋଇଗଲାଣି କି ଚାରିଚକିଆ ଯାନ ଯିବା ସମ୍ପୂର୍ଣ ଅସମ୍ଭବ ହୋଇ ପଡ଼ିଲାଣି।

publive-image

ମାନଗୋବିନ୍ଦପୁର ପଞ୍ଚାୟତ ଭିତର ଦେଇ ଯାଇଥିବା ପିଚୁ ରାସ୍ତାରୁ ସାଂଳପୁର ମଧ୍ୟ ଦେଇ ବିଜିପୁର ଗ୍ରାମକୁ ସଂଯୋଗ କରୁଥିବା କଚ୍ଚା ରାସ୍ତା ଓ ଅନ୍ୟଟି ଉକ୍ତ ଗ୍ରାମର ରବୀନ୍ଦ୍ର ନାୟକଙ୍କ ଘର ପରଠାରୁ ପୁରୁଷୋତ୍ତମ ସିଂହଙ୍କ ଘର ପର୍ଯ୍ୟନ୍ତ ରାସ୍ତା, ଯୋଉଁ ରାସ୍ତାରେ ଯିବା ଆସିବା ସମ୍ପୂର୍ଣ ଅସମ୍ଭବ ହୋଇପଡିଛି। ଫଳରେ ଗ୍ରାମବାସୀଙ୍କ ସହିତ ଉକ୍ତ ରାସ୍ତା ସଂଲଗ୍ନ ରସ୍ତାପାର୍ଶ୍ୱରେ ବାସ କରୁଥିବା ଲୋକ ବହୁ ଅସୁବିଧାର ସମ୍ମୁଖୀନ ହୋଇ ନେତାଙ୍କ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରୀ କଲେ ମଧ୍ୟ କେହି ଶୁଣୁନାହାନ୍ତି। ବାରମ୍ବାର ପଲ୍ଲୀ ସଭାରେ ମଧ୍ୟ ଉକ୍ତ ରାସ୍ତାର ଉନ୍ନତୀକରଣ ତଥା ନୂତନ କଂକ୍ରିଟ ରାସ୍ତା ପାଇଁ ପ୍ରସ୍ତାବ ଯାଉଥିଲେ ବି ଫଳ ଶୂନ। ଏମିତି ବି ଦେଖିବାକୁ ମିଳୁଛି କେବଳ ଯେଉଁମାନେ କୌଣସି ରାଜନୈତିକ ଦଳ ସହିତ ସଂପୃକ୍ତ ଅଛନ୍ତି କେବଳ ସେହିଲୋକଙ୍କ ଘର ପାର୍ଶ୍ୱ ରାସ୍ତାର ଉନ୍ନତୀକରଣ କରାଯାଉଛି। ପରିତାପର ବିଷୟ ଏହିଥର କ୍ରମାଗତ ଦ୍ୱିତୀୟ ଥର ଭାବେ ନିର୍ବାଚିତ ହୋଇଥିବା ସରପଞ୍ଚ ମଧ୍ୟ ଉକ୍ତ ରାସ୍ତା ବାବଦରେ ଅବଗତ ଥାଇ ହାତବାନ୍ଧି ବସିଛନ୍ତି।

ସେହିଭଳି କୌଣସି ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମଧ୍ୟ ଜାଣି ଅଜଣା ଭଳି ଉକ୍ତ ରାସ୍ତା ପ୍ରତି ଦୃଷ୍ଟି ଦେଉନାହାନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଥିବା ନେଇ ଡେଙ୍ଗୁରା ପିଟୁଛନ୍ତି। ହେଲେ ମାନଗୋବିନ୍ଦପୁର ଗାଁରେ ବିକାଶ ଆଣ୍ଠେଇ ପଡ଼ିଥିବା ଭଳି ଲାଗୁଛି। ଗାଁରେ ୩୦୦ ଶହରୁ ଅଧିକ ଲୋକ ବାସ କରୁଥିଲେ ମଧ୍ୟ ସେମାନଙ୍କୁ ରାସ୍ତା ଭଲି ମୌଳିକ ସେବା ଯୋଗାଇବାରେ ରାଜନେତା ଓ ପ୍ରଶାସନ ବିଫଳ ହୋଇଛି। ଏଭଳି ପରିସ୍ଥିତିରେ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ମାଳ ମାଳ ନେତା ଗାଁକୁ ଆସିଥିଲେ ମଧ୍ୟ ଗାଁର ବିକାଶ ପାଇଁ କେହି ଚିନ୍ତା କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ବରଂ ଏହି ରାସ୍ତା ବାବଦରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେବାପରେ ସେହି ଗଣମାଧ୍ୟମର ପ୍ରତିନିଧିଙ୍କୁ କେତେକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ସ୍ଥାନୀୟ ନେତୃବୃନ୍ଦଙ୍କ ଠାରୁ ବିଭିନ୍ନ ପ୍ରକାର ଧମକଚମକ ମଧ୍ୟ ମିଳିଥିବାର ସୂଚନା ମିଳିଛି। ତେଣୁ ଏହି ସବୁ ସ୍ଥାନରେ ତୁରନ୍ତ ଭଲ ରାସ୍ତାଟିଏ ପାଇଁ ଦାବି କରିଛନ୍ତି  ଗ୍ରାମବାସୀ।