ସରକାରୀ ବୀମା ବ୍ୟବସ୍ଥା ନାହିଁ, ଅନିଶ୍ଚିତତାରେ ୫୦ ହଜାର ଚିଙ୍ଗୁଡ଼ି ଚାଷୀ

‘ୟାସ୍‌’ରେ ୧୫ ଶହ କୋଟି କ୍ଷତିର ଆକଳନ, ରିପୋର୍ଟ ଦେଲା ଆକ୍ବା କନେକ୍ଟ

ଭୁବନେଶ୍ବର : ବାତ୍ୟା ୟାସ୍‌ ଯୋଗୁଁ ରାଜ୍ୟରେ ଚିଙ୍ଗୁଡ଼ି ଚାଷ କ୍ଷତିଗ୍ରସ୍ତ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ବାଲେଶ୍ବର, ମୟୁରଭଞ୍ଜ, ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାର ହଜାର ହଜାର ଚାଷୀ ପ୍ରଭାବିତ ହୋଇଛନ୍ତି। ଏଥିରେ ପ୍ରାୟ ୧୫ ଶହ କୋଟିର କ୍ଷତି ହୋଇଥିବା ନେଇ ଆକଳନ ରିପୋର୍ଟ ଦେଇଛି ଆକ୍ବା କନେକ୍ଟ। ମାତ୍ର ସେମାନଙ୍କ ପାଇଁ ଉଭୟ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ ବୀମା ବ୍ୟବସ୍ଥା ନାହିଁ। ଇନପୁଟ୍‌ ସବସିଡି ଅନ୍ତର୍ଗତରେ ଚାଷୀମାନଙ୍କୁ ଯେଉଁ ୮ ହଜାରରୁ ୧୨ ହଜାର ଟଙ୍କାର ସହାୟତା ରାଶି ଦିଆଯାଉଛି, ତାହା କେବଳ ଉପହାସ ବୋଲି ଅଭିଯୋଗ ହୋଇଛି।

ୟାସ୍‌ ଆସି ନ ଥିଲେ ଚଳିତ ମାସରୁ ୧୦ କ୍ବିଣ୍ଟାଲ ମାଛ ଏବଂ ଚିଙ୍ଗୁଡ଼ି ବିକ୍ରି କରିଥାଆନ୍ତେ ମୟୂରଭଞ୍ଜ ଜିଲ୍ଲା ପୁରୁଣିଆ ଗାଁର ମୃତ୍ୟୁଞ୍ଜୟ ପଣ୍ଡା। ଅଚାନକ ବାତ୍ୟା କେବଳ ଘର ନୁହେଁ, ତାଙ୍କର ୪ ଲକ୍ଷ ଟଙ୍କାର ଚିଙ୍ଗୁଡ଼ି ଚାଷ ମଧ୍ୟ ବରବାଦ କରିଦେଲା। ସ୍ଥିତି ଏଭଳି ଯେ ପୋଖରୀ ମରାମତି କରି ପୁନର୍ବାର ଚିଙ୍ଗୁଡି ଚାଷ ଆରମ୍ଭ ପାଇଁ ତାଙ୍କ ପାଖରେ ସମ୍ବଳ ନାହିଁ। ସେହିପରି ୪୦ କ୍ବିଣ୍ଟାଲ ଚିଙ୍ଗୁଡ଼ି ବିକ୍ରି ପାଇଁ ପ୍ରସ୍ତୁତ ହେଉଥିବା ବାଲେଶ୍ବର ଜିଲ୍ଲା ପରଖି ପଞ୍ଚାୟତର ଶିବ ପ୍ରସାଦ ସିଂଙ୍କ ଚିଙ୍ଗୁଡ଼ି ପୋଖରୀ ମଧ୍ୟ ସଂପୂର୍ଣ୍ଣ ଉଜୁଡ଼ି ଯାଇଛି। ବାତ୍ୟା ଜନିତ ସମୁଦ୍ର ଜୁଆର ମାଡ଼ି ଆସି ଚିଙ୍ଗୁଡ଼ି ଚାଷକୁ ‌ସମ୍ପୂର୍ଣ୍ଣ ଧୋଇ ‌ନେବାରୁ ଏମିତି ଦେବାଳିଆ ହୋଇଯାଇଛନ୍ତି ହଜାର ହଜାର ଚିଙ୍ଗୁଡ଼ି ଚାଷୀ। ଆଜି ପର୍ଯ୍ୟନ୍ତ ଚିଙ୍ଗୁଡ଼ି ଚାଷୀମାନେ ଯେଉଁ କ୍ଷତି କେବେ ଦେଖିନଥିଲେ, ଆଜି ସେମାନଙ୍କୁ ତାର ସାମ୍ନା କରିବାକୁ ପଡ଼ୁଛି ।

ବାତ୍ୟା ଭଳି ବିଭିନ୍ନ ପ୍ରାକୃତିକ ଦୁର୍ବିପାକ କିମ୍ବା ରୋଗପୋକରେ କ୍ଷତିଗ୍ରସ୍ତ ଚିଙ୍ଗୁଡ଼ି ଚାଷୀଙ୍କ ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ କୌଣସି ନୀତି ନଥିବାରୁ ରାଜ୍ୟର ପ୍ରାୟ ୫୦ ହଜାର ଚିଙ୍ଗୁଡ଼ି ଚାଷୀ ଅନିଶ୍ଚିତତା ଘେରରେ ଅଛନ୍ତି। ଆକ୍ବା କନେକ୍ଟର ଆଞ୍ଚଳିକ ଅଧିକାରୀ ଅଭିଷେକ ଦ୍ବିବେଦୀ କହିଛନ୍ତି, ଚିଙ୍ଗୁଡ଼ିର ବିଦେଶ ରପ୍ତାନି ଜରିଆରେ ପ୍ରତିବର୍ଷ ୧ ଲକ୍ଷ କୋଟିରୁ ଅଧିକ ରାଜସ୍ବ ସଂଗ୍ରହ ହେଉଛି। ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶାରେ ଦ୍ବିତୀୟ ସର୍ବାଧିକ ଅର୍ଥାତ ୯୦ ହଜାରରୁ ୧ ଲକ୍ଷ ମେଟ୍ରିକ ଟନ ଚିଙ୍ଗୁଡ଼ି ଉତ୍ପାଦିତ ହେଉଛି। ଏହା ସତ୍ତ୍ବେ ଚିଙ୍ଗୁଡ଼ି ଚାଷୀଙ୍କ ପ୍ରତି ସରକାରଙ୍କ ପକ୍ଷରୁ ସାବତ ସନ୍ତାନ ଭଳି ବ୍ୟବହାର ଆଶ୍ଚର୍ଯ୍ୟଜନକ। ସେ ଆହୁାି କହିଛନ୍ତି ଯେ ଗୋଟିଏ ଏକର ଚିଙ୍ଗୁଡ଼ି ଚାଷ ପିଛା ୯ରୁ୧୦ ଲକ୍ଷ ଟଙ୍କା ଖର୍ଚ ହୁଏ।। ଏଥିରେ ଚିଙ୍ଗୁଡ଼ି ଜାଆଁଳ, ଖାଇବା ପାଇଁ ଦାନା, ଔଷଧ, ଉପକରଣ ଆଦି ରହିଛି। ୟାସ୍‌ରେ ୪ ହଜାର ହେକ୍ଟରର ପୋଖରୀ ଓ ଘେରି ଭାଙ୍ଗି ଯାଇଛି। ମାତ୍ର ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ଇନପୁଟ୍‌ ସବ୍‌ସିଡି ବାବଦରେ ହେକ୍ଟର ପିଛା ୧୨ ହଜାର ୫୦୦ ଟଙ୍କା ଦିଆଗଲେ ପ୍ରକୃତରେ ଏହା ସେମାନଙ୍କ ପାଇଁ କେତେ ନ୍ୟାୟପୂର୍ଣ୍ଣ ହୋଇ ପାରିବ ସେ ପ୍ରଶ୍ନ କରିଛନ୍ତି। ଏତିକି ଅର୍ଥ ମଧ୍ୟ ଚାଷୀ ପାଇବେ ନାହିଁ। ଏହାର କାରଣ ହେଲା ଅଧିକାଂଶ ଚାଷୀଙ୍କ ପାଖରେ କୋଷ୍ଟାଲ ଆକ୍ବାକଲଚର ଅଥରିଟି ଅଫ ଇଣ୍ଡିଆ ଏବଂ ମାରାଇନ ପ୍ରଡକ୍ଟ ଏକ୍ଟପୋର୍ଟ ଡେଭଲପମେଣ୍ଟ ଅଥରିଟି ପକ୍ଷରୁ ପ୍ରାୟ ୪୫ରୁ ୪୬ ହଜାର ଚାଷୀଙ୍କ ପାଖରେ ଆବଶ୍ୟକ ଲାଇସେନ୍ସ ଏବଂ ପରିଚୟପତ୍ର ନାହିଁ।

ତେଣୁ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ବୀମା ବ୍ୟବସ୍ଥା ସହିତ ଚାଷ, ଚାଷୀ ପ୍ରଣାଳୀ, ପୋଖରୀ ପଞ୍ଜୀକରଣ, ବେଆଇନ ଘେରି କାରବାର କାର୍ଯ୍ୟାନୁଷ୍ଠାନ ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଗଲେ ୫୦ ହଜାର ଚିଙ୍ଗୁଡ଼ି ଚାଷୀ ନୁହେଁ; ଦେଶ ଓ ରାଜ୍ୟ ମଧ୍ୟ ଲାଭାନ୍ବିତ ହେବ ବୋଲି କୁହାଯାଉଛି। ଏ ନେଇ ରାଜ୍ୟ ମତ୍ସ୍ୟ ବିଭାଗ ଉପନିର୍ଦେଶକ ବସନ୍ତ ଦାସ କହିଛନ୍ତି, କ୍ଷତିଗ୍ରସ୍ତ ଚିଙ୍ଗୁଡ଼ି ଚାଷୀଙ୍କ ପାଇଁ ୮ ହଜାରରୁ ୧୨ ହଜାର ଟଙ୍କା ଦିଆଯାଉଛି। ସରକାରଙ୍କ ପକ୍ଷରୁ ଏହି ଚାଷୀଙ୍କ ପାଇଁ ବୀମାର ସୁବିଧା ଦିଆଯାଉଛି। କମ୍ପାନିଗୁଡ଼ିକ ପକ୍ଷରୁ ଚାଷୀଙ୍କ ପାଇଁ ବୀମା ବ୍ୟବସ୍ଥା ରହିଛି। ଏହାର ପ୍ରିମିୟମ ଅନେକ ଅଧିକ ଥିବାରୁ ଚାଷୀ ପ୍ରିମିୟମ ଦେଇ ପାରୁ ନାହାନ୍ତି କି ଏହାର ଲାଭ ପାଉ ନାହାନ୍ତି। ଚିଙ୍ଗୁଡ଼ି ଚାଷୀ ପଞ୍ଜୀକରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ଚାଷୀ ଏଥିପ୍ରତି ଆଗ୍ରହ ଦେଖାଉ ନାହାନ୍ତି।

ସମ୍ବନ୍ଧିତ ଖବର