ଭୁବନେଶ୍ୱର : ଚାଷୀ ଓ ଚାଷ ପ୍ରତି ସରକାର କେତେ ସମ୍ବେଦନଶୀଳ, କେତେ ଦରଦି ତାହା ସାମ୍ନାକୁ ଆସିଛି। ମରୁ଼ଡ଼଼ି ଆଦି କାରଣରୁ କ୍ଷତିଗ୍ରସ୍ତ ୧୫ଟି ଜିଲ୍ଲାର ଚାଷୀଙ୍କ ମଧ୍ୟରୁ ୧୪ ଜିଲ୍ଲାର ଚାଷୀଙ୍କୁ ସରକାର ଶେଷରେ ନିରାଶ କରିଛନ୍ତି। ଜିଲ୍ଲାପାଳମାନଙ୍କର ଦାୟିତ୍ୱହୀନତା ଲାଗି ଏସବୁ ଜିଲ୍ଲାର ଚାଷୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଫସଲ ବୀମା ସହାୟତା ମିଳିବ ନାହିଁ।
ଆଜି ଫସଲ ବୀମା ଉପରେ ରାଜ୍ୟସ୍ତରୀୟ ଅନୁଧ୍ୟାନ କମିଟି ବୈଠକ ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। କେବଳ ଅନୁଗୁଳ ଜିଲ୍ଲା ପ୍ରଶାସନର ରିପୋର୍ଟକୁ ଭିତ୍ତି କରି ସେ ଜିଲ୍ଲାର ଚାଷୀଙ୍କୁ ୭ କୋଟି ୭ଲକ୍ଷ ଟଙ୍କାର ମଧ୍ୟବର୍ତ୍ତୀକାଳୀନ ସହାୟତା ଦେବାକୁ ନିଷ୍ପତ୍ତି ନିଆଯାଇଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ ୧୪ ଜିଲ୍ଲାପାଳଙ୍କ ଦାୟିତ୍ୱହୀନତା ଲାଗି ଚାଷୀ କ୍ଷତି ସହିଲା, ଆର୍ଥିକ ଦୁଃସ୍ଥିତିରୁ ତତ୍କାଳ ମୁକୁଳିପାରିଲା ନାହିଁ, ସେମାନଙ୍କ ବିରୋଧରେ କିନ୍ତୁ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସରକାର ଆନ୍ତରିକତା ଦେଖାଇ ନାହାନ୍ତି। କାହିଁକି ସେମାନେ ରିପୋର୍ଟ ଦେଇପାରିଲେ ନାହିଁ, ସେ ନେଇ ତନାଘନା ହେଲାନି କି ସେମାନଙ୍କ ଉପରେ ଉତ୍ତରଦାୟିତ୍ୱ ଧାର୍ଯ୍ୟ ଲାଗି ସରକାର ସାହସ ଦେଖାଇନାହାନ୍ତି। ବରଂ ସେମାନଙ୍କ ପିଠି ଥାପୁଡାଇବା ଢଙ୍ଗରେ ପରାମର୍ଶ ଦିଆଯାଇଛି ଯେ ଆସନ୍ତା ବର୍ଷ ପାଇଁ ସଚେତନ ରୁହ।
ଆଜି କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗଙ୍କ ଅଧ୍ୟକ୍ଷତାରେ ଫସଲ ବୀମା ଉପରେ ରାଜ୍ୟସ୍ତରୀୟ ଅନୁଧ୍ୟାନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମବାୟ ବିଭାଗ ସଚିବ ରଂଜନା ଚୋପ୍ରା, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି, ନାବାର୍ଡ, କୃଷି ନିର୍ଦେଶାଳୟ, ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦେଶାଳୟ, ଓର୍ସାକ୍, ଆଦି ସଂସ୍ଥାର ପଦାଧିକାରୀ ଯୋଗ ଦେଇଥିଲେ। ସ୍ଥିତି ସମୀକ୍ଷା ପରେ ବୈଠକରେ ଅନୁଗୁଳ ଜିଲ୍ଲା ଦେଇଥିବା ରିପୋର୍ଟ ଆଧାରରେ ମଧ୍ୟବର୍ତ୍ତର୍ୀକାଳୀନ ବୀମା ଦାବି ଅର୍ଥ ବାବଦକୁ ୭.୦୭ କୋଟି ଟଙ୍କା ୭ ଦିନ ଭିତରେ ପ୍ରଦାନ କରିବାକୁ ସଂପୃକ୍ତ ବୀମା କମ୍ପାନି ଟାଟା-ଏଆଇଜିକୁ ନିର୍ଦେଶ ଦିଆଯାଇଥିଲା। ଅନ୍ୟଜିଲ୍ଲା ଅର୍ଥାତ୍ ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଯାଜପୁର, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ଖୋର୍ଧା, ନୟାଗଡ଼, ନୂଆପଡ଼ା, ସମ୍ବଲପୁର ଓ ସୋନପୁର ଜିଲ୍ଲାର ଚାଷୀ ଏଥିରୁ ବାଦ୍ ପଡିଥିଲେ। ଚଳିତବର୍ଷ ମରୁଡି କାରଣରୁ ରାଜ୍ୟର ୧୫ଜିଲ୍ଲା ଅନ୍ତର୍ଗତ ୩ଲକ୍ଷ ୧୫ ହଜାର ୪୩୬ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିଲା।
ଜିଲ୍ଲାର ଗୋଟିଏ ପଞ୍ଚାୟତରେ ଯଦି ୫୦ ପ୍ରତିଶତରୁ କମ୍ ଅମଳ ହେବାର ଆନୁମାନିକ ବା ଆଖିଦେଖା ରିପୋର୍ଟ ମିଳେ, ସେ କ୍ଷେତ୍ରରେ ସଂପୃକ୍ତ ପଞ୍ଚାୟତର ପଞ୍ଜୀକୃତ ଚାଷୀଙ୍କୁ ମଧ୍ୟବର୍ତ୍ତର୍ୀ ବୀମା ସହାୟତା ମିଳିପାରିବ। ଏହି ମାର୍ଗଦର୍ଶିକା ଅନୁଯାୟୀ ଅନୁଗୁଳ ଜିଲ୍ଲା ପ୍ରଶାସନ ମଧ୍ୟବର୍ତ୍ତୀ ବୀମା ସହାୟତା ନିମନ୍ତେ ରିପୋର୍ଟ ଦାଖଲ କରିଥିଲା। ଅନ୍ୟ କୌଣସି ଜିଲ୍ଲାପାଳ ନିର୍ଦିଷ୍ଟ ସମୟ ଅବଧି ମଧ୍ୟରେ ରିପୋର୍ଟ ଦେଇପାରିନଥିଲେ। ସେହିପରି କଟକ ଜିଲ୍ଲାରେ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ୬୮ଜଣ ଚାଷୀଙ୍କୁ ୬.୩୭ ଲକ୍ଷ ଟଙ୍କାର ବୀମା ସହାୟତା ପ୍ରଦାନ କରିବାକୁ ବୀମା କମ୍ପାନି ଚୋଲ ଏମ୍ଏସ୍କୁ ନିର୍ଦେଶ ଦିଆଯାଇଛି।
ସୂଚନାନୁସାରେ, ଇତିମଧ୍ୟରେ ଉପକୂଳ ଜିଲ୍ଲାମାନକୁ ଛାଡ଼ିଦେଲେ, ଅନ୍ୟ ସମସ୍ତ ଜିଲ୍ଲାରୁ ଫସଲକଟା ରିପୋର୍ଟ ଆସିସାରିଛି। ଫେବ୍ରୁଆରି ୧୫ ତାରିଖ ସୁଦ୍ଧା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦେଶାଳୟ ଫସଲକଟା ରିପୋର୍ଟ ପ୍ରଦାନ କରିବା ପରେ ବୀମା ସହାୟତା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହେବ। ଏହାବ୍ୟତୀତ ବ୍ୟାଙ୍କଗୁଡ଼ିକ ବୀମା କମ୍ପାନି ସହିତ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଫଳରେ ନିର୍ଦିଷ୍ଟ ସମୟସୀମା ସୁଦ୍ଧା ଚାଷୀମାନଙ୍କୁ ବୀମା ସହାୟତା ପ୍ରଦାନ କରାଯାଇପାରିବ।
ଚଳିତ ଖରିଫ ଋତୁରେ ୬୮୦୧ ଗ୍ରାମପଞ୍ଚାୟତର ୧୮ଲକ୍ଷ ୩୬,୩୫୨ ଚାଷୀଙ୍କୁ ବୀମାଭୁକ୍ତ କରାଯାଇଛି। ସେମାନେ ବୀମା ପ୍ରିମିୟମ୍ ବାବଦରେ ୧୪୪.୨୪ କୋଟି ଜମା କରିଛନ୍ତି। ଚାଷୀଙ୍କ ପ୍ରିମିୟମ ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମାନ ଅଂଶଧନ(୫୦:୫୦ ଅନୁପାତରେ) ମିଶାଇ ମୋଟ ଜମା ରାଶି ହେଉଛି ୮୩୯.୬୮ କୋଟି। ଏଥର ଟାଟା ଏଆଇଜି, ଏଆଇସି ଅଫ୍ ଇଣ୍ଡିଆ, ନ୍ୟାସନାଲ୍ ଇନ୍ସ୍ୟୁରାନ୍ସ କମ୍ପାନି, ଚୋଳ ଏମ୍ଏସ୍ ଭଳି ୪ଟି ବୀମା କମ୍ପାନି ନିୟୋଜିତ ହୋଇଛନ୍ତି। ମୋଟ ୭୨୪୦ କୋଟି ୬୪ ଲକ୍ଷ ଟଙ୍କାର ବୀମା ବାବଦରେ ସେମାନେ ପ୍ରଦାନ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/paddy.jpeg)