ଭୁବନେଶ୍ବର/ସୋନପୁର: ପାତାଳି ଶ୍ରୀକ୍ଷେତ୍ର ନୂଆ ରୂପ ପାଇବ। ଛଲିଆ ପାହାଡ଼ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭବ୍ୟ ମନ୍ଦିର ନିର୍ମାଣ ହେବ। ପାହାଡ଼ ଉପରେ ଥିବା ଗୁମ୍ପାଗୁଡ଼ିକର ମରାମତି କାମ କରାଯିବ। ପର୍ଯ୍ୟଟକମାନଙ୍କ ପାଇଁ ବଜାର ପରିସର ଖୋଲାଯିବ। ପର୍ଯ୍ୟଟକଙ୍କ ଲାଗି ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ, ସିମେଣ୍ଟର ଚୌକି ନିର୍ମାଣ କରାଯିବ। କିଛି ବର୍ଷ ହେଲା ଏମିତି ଅନେକ ଆଶା କରାଯାଉଥିଲା। ୨୦୨୦ ନଭେମ୍ବର ୧୩ ତାରିଖରେ ତତ୍‌କାଳୀନ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା ବୀରମହାରାଜପୁରର ବିଧାୟକ ପଦ୍ମନାଭ ବେହେରା ଭୁବନେଶ୍ୱରରେ ଭିଡିଓ କନଫରେନ୍‌ସରେ ଥାଇ ପାତାଳି ଶ୍ରୀକ୍ଷେତ୍ର ଉନ୍ନତିମୂଳକ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ତତ୍‌କାଳୀନ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ସୁବର୍ଣ୍ଣପୁର ଜିଲ୍ଲାପାଳ ମନୀଷା ବାନାର୍ଜୀ ଉପସ୍ଥିତିରେ ପାତାଳି ଶ୍ରୀକ୍ଷେତ୍ରରୁ ବହୁମୁଖୀ ବିକାଶ ନେଇ ବିଧାୟକ ଶ୍ରୀ ବେହେରା ପ୍ରତିଶ୍ରୁତି ଦେଲା ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଅନେକ ଆଶାବାଦୀ ହୋଇଥିଲେ। ମାତ୍ର କ୍ଷୋଭର ବିଷୟ ଯେ, ବିଧାୟକଙ୍କ ପ୍ରତିଶ୍ରୁତି ଏଯାଏଁ ପୂରଣ ହୋଇପାରିଲା ନାହିଁ।

Advertisment

ବିଗତ କିଛି ବର୍ଷ ହେଲା ରାଜ୍ୟ ସରକାର ଐତିହାସିକ ଗୁରୁତ୍ବପୂର୍ଣ୍ଣ ରଖୁଥିବା ମନ୍ଦିରଗୁଡ଼ିକର ସୌନ୍ଦର୍ଯ୍ୟକରଣ, ରୂପାନ୍ତରୀକରଣ, ମରାମତି ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କଲା ଭଳି କାମ ଆରମ୍ଭ କରିଛନ୍ତି। ସରକାର ଶ୍ରୀମନ୍ଦିରରୁ ଏହି କାମ ଆରମ୍ଭ କରିଥିଲେ। ଏହା ପରେ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ କାମ କଲେ। ପରେପରେ କଟକର ଚଣ୍ଡୀମନ୍ଦିର, ସମ୍ବଲପୁରର ସମଲେଶ୍ବରୀ, ବଲାଙ୍ଗୀରର ହରିଶଙ୍କର ମନ୍ଦିରରେ ବିକାଶମୂଳକ କାମ ଜାରି ରହିଛି। ସେହିପରି ଗଂଜାମ ଜିଲ୍ଲାର ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ନୂଆ ରୂପ ପାଇଛି। ଓଡ଼ିଶା ସାଂସ୍କୃତିକ ଇତିହାସର ଅନ୍ୟତମ ସାକ୍ଷୀ ପାତାଳି ଶ୍ରୀକ୍ଷେତ୍ରରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଅଞ୍ଚଳବାସୀ ଅନେକ ବର୍ଷ ହେଲା ଅପେକ୍ଷା କରିଥିବା ବେଳେ ସରକାର ଓ ପ୍ରଶାସନର ଆନ୍ତରିକତା ଅଭାବ କାରଣରୁ ଏହି ଆଶା ପୂରା ହୋଇପାରୁ ନାହିଁ।

publive-image

ରାଜ୍ୟ ସରକାର କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାର ଗୁପ୍ତେଶ୍ବର ଓ ଗଂଜାମ ଜିଲ୍ଲା ତାରାତାରିଣୀ ମନ୍ଦିରରେ ପର୍ଯ୍ୟଟକ ସୁବିଧା ପାଇଁ ଉନ୍ନୟନମୂଳକ କାମ କରିଛନ୍ତି। ଉଭୟ ଗୁପ୍ତେଶ୍ବର ଓ ତାରାତାରିଣୀ ପୀଠ ପାହାଡ଼ ଉ‌ପରେ ଥିବାରୁ ପର୍ଯ୍ୟଟକମାନେ ଯେମିତି ସୁବିଧାରେ ଯିବେ, ସେଥି ପାଇଁ ଟାଇଲ ପାହାଚ ନିର୍ମାଣ କରିଛନ୍ତି। ଏହା ପ୍ରଶଂସାଯୋଗ୍ୟ। କିନ୍ତୁ ପାତାଳି ଶ୍ରୀକ୍ଷେତ୍ର ମହାପ୍ରଭୁ ଜଗନ୍ନାଥଙ୍କ ଧାମ ହୋଇଥିଲେ ବି ଏଠାରେ ସେହିଭଳି ବ୍ୟବସ୍ଥା କରାଯାଇ ପାରିନାହିଁ। ଯେଉଁ ଐତିହାସିକ ଗୁମ୍ଫାରେ ମହାପ୍ରଭୁ ଶହେରୁ ଅଧିକ ବର୍ଷ ରହିଥିଲେ, ଭକ୍ତମାନେ ସେଠାକୁ ଅସୁରକ୍ଷିତ ଭାବେ ଯାଉଛନ୍ତି। ଛୋଟପିଲା ଓ ବୟସ୍କମାନେ ପବିତ୍ର ଗୁମ୍ଫାକୁ ଯାଇ ପ୍ରଭୁଙ୍କୁ ଦର୍ଶନ କରିପାରୁ ନାହାନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ ଗତ ଜୁଲାଇ ୪ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ପ୍ରଥମେ କୋଟସମଲେଇର ଛଲିଆ ପାହାଡ଼ସ୍ଥିତ ପାତାଳି ଶ୍ରୀକ୍ଷେତ୍ରକୁ ପରିଦର୍ଶନରେ ଯାଇଥିଲେ। ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଏବଂ କୀର୍ତ୍ତିରାଜି ବୁଲି ଦେଖିଥିଲେ। ସେହି ସମୟରେ ଆଶା କରାଯାଉଥିଲା, ଜିଲ୍ଲାର ସମସ୍ତ ପର୍ଯ୍ୟଟନ କ୍ଷେତ୍ରକୁ ଆଶାଜନକ ଅନୁଦାନ ମିଳିବ। କିନ୍ତୁ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ପାତାଳି ଶ୍ରୀକ୍ଷେତ୍ରରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଅନୁଦାନ ଆସି ନାହିଁ। ଜିଲ୍ଲାର ଚାରିଟି ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୧ କୋଟି ୩୧ ଲକ୍ଷ ୪୨ ହଜାର ଟଙ୍କା ମଞ୍ଜୁର କରିଛନ୍ତି। ବିନିକା‌ ପାପକ୍ଷୟ ଘାଟର ଉନ୍ନତି ପାଇଁ ୪୫ ଲକ୍ଷ ଟଙ୍କା, ‌ସୁବର୍ଣ୍ଣମେରୁ ପୀଠର ଉନ୍ନତି ପାଇଁ ୩୦ ଲକ୍ଷ ୫୭ ହଜାର ଟଙ୍କା, ଉଲୁଣ୍ଡା ବ୍ଲକ୍ ମା’ ମେଟାକାନୀ ମନ୍ଦିରର ବିକାଶ ପାଇଁ ୨୬ ଲକ୍ଷ ୯୬ ହଜାର ଟଙ୍କା ଏବଂ ତରଭା ବ୍ଲକ୍ ମେଣ୍ଡା ନିକଟସ୍ଥ ବାରପାହାଡ଼ ପୀଠର ଉନ୍ନତି ପାଇଁ ୨୮ ଲକ୍ଷ ୮୯ ହଜାର ଟଙ୍କା ମଞ୍ଜୁର ହୋଇଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ଅନୁଦାନ ପର୍ଯ୍ୟଟନ କ୍ଷେତ୍ରର ପାରିପାର୍ଶ୍ବିକ ବିକାଶ, ପର୍ଯ୍ୟଟକଙ୍କ ପାଇଁ ସୁବିଧା, ପାନୀୟ ଜଳର ବ୍ୟବସ୍ଥା ଏବଂ ସୌନ୍ଦର୍ଯ୍ୟକରଣରେ ଖର୍ଚ୍ଚ ହେବ। ବିନିଯୋଗ ପ୍ରମାଣପତ୍ର ପ୍ରଦାନ ପରେ ଅଧିକ ଅନୁଦାନ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

publive-image

ଛଲିଆ ପାହଡ଼ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ୧୪୪ ବର୍ଷ ପାତାଳି ହୋଇଥିବା ଇତିହାସରୁ ଜଣାଯାଏ। ଏଠାକାର ଭିତ୍ତିଭୂମିର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି ଏକଥା ସତ। କିନ୍ତୁ ଇତିହାସ ଓ ଗୁରୁତ୍ବକୁ ଦେଖିଲେ ଉନ୍ନୟନମୂଳକ କାମ଼ ହୋଇପାରିନାହିଁ। ବିଭିନ୍ନ ସମୟରେ ନେତା ଓ ପ୍ରଶାସନିକ ଅଧିକାରୀମାନେ ଏଠାରେ ପହଞ୍ଚି ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ମାତ୍ର ପ୍ରତିଶ୍ରୁତି ପୂରା ହୋଇପାରୁନି। ଏହି ପବିତ୍ର ତୀର୍ଥସ୍ଥଳୀର ଭିତ୍ତିଭୂମି ସୁଦୃଢ଼ ହୋଇପାରିବ। ଏହା ନିସନ୍ଦେହରେ କୁହାଯାଇପାରିବ। 

publive-image

ପାତାଳି ଶ୍ରୀକ୍ଷେତ୍ରର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ୮ ବର୍ଷ ପୂର୍ବରୁ ୪ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇ ଥିଲା। ଏହାକୁ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦନ କରିଥିଲା। ୮ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ଅର୍ଥ ମଞ୍ଜୁର ହୋଇନାହିଁ। ସେହିପରି ପାତାଳି ଶ୍ରୀକ୍ଷେତ୍ରରେ ରୋପ୍ ୱେ’ ନିର୍ମାଣ କାମ ‘ପଶ୍ଚିମ ଓଡ଼ିଶା ବିକାଶ ପରିଷଦ’ ହାତକୁ ନେଇଥିଲା। ୩୧ ଅକ୍ଟୋବର ୨୦୧୮ରେ ଏହା ଡବ୍ଲୁଓଡିସି ପ୍ରଶାସନିକ ଅନୁମୋଦନ ଲାଭ କଲା। ଏଥିପାଇଁ ୧୦ କୋଟି ୭୫ ଲକ୍ଷ ୫ ହଜାର ଟଙ୍କା ମଞ୍ଜୁର ହୋଇ ନିର୍ମାଣ ଦାୟିତ୍ବ ଓସିସିଏଲକୁ ଦିଆଗଲା। ଅଗ୍ରିମ ୨ କୋଟି ୪୭ ଲକ୍ଷ ୪୩ ହଜାର ୫ ଶହ ଟଙ୍କା ମଧ୍ୟ ଓସିସିଏଲକୁ ଦିଆଯାଇ ଥିଲା। ୧୧ ଫେବ୍ରୁଆରି ୨୦୧୯ରେ ଶିଳାନ୍ୟାସ ହେଲା। ଠିକାସଂସ୍ଥା ୩ ବର୍ଷ ଧରି ନିର୍ମାଣ କାର୍ଯ୍ୟ ଆରମ୍ଭ ନ କରିବାରୁ ଗତ ୧୫ ଡିସେମ୍ବର ୨୦୨୨ରେ ଠିକାସଂସ୍ଥାକୁ ଦେଇଥିବା ପ୍ରଶାସନିକ ଅନୁମୋଦନକୁ ଡବ୍ଲୁଓଡିସି ବାତିଲ କରିଦେଲା। ଏହାପରେ ଏଠାରେ ରୋପ୍ ୱେ’ ନିର୍ମାଣ ନେଇ ଅନିଶ୍ଚିତତା ବଢ଼ିଥିଲା। କିନ୍ତୁ ଗତ ୪ ଜୁଲାଇରେ ୫-ଟି ସଚିବ ପାତାଳି ଶ୍ରୀକ୍ଷେତ୍ର ପରିଦର୍ଶନ କରିବା ପରେ ଏଠାରେ ଭବ୍ୟ ମନ୍ଦିର ଏବଂ ରୋପ୍ ୱେ’ ନିର୍ମାଣ ହେବା ନେଇ ଲୋକଙ୍କ ମନରେ ଆଶାସଞ୍ଚାର ହୋଇଥିଲା। ତେବେ ପ୍ରଥମ ପର୍ଯ୍ୟାୟରେ ପାତାଳି ଶ୍ରୀକ୍ଷେତ୍ର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ନ ହେବା ଏବଂ ରୋପ୍ ୱେ’ ନିର୍ମାଣ ଅନିଶ୍ଚିତତା ଦୂର ନ ହେବା ଲୋକଙ୍କୁ ପୁଣିଥରେ ନିରାଶ କରିଛି।