୫ ଦିନ ଯାଏ ବଡ଼ ବର୍ଷା ନାହିଁ

ଭୁବନେଶ୍ବର : ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବ ଓଡ଼ିଶା‌ ଉପରେ ସେତେଟା ପଡ଼ି ନାହିଁ। ଯେଉଁଥିପାଇଁ ଗତ ଦୁଇ ଦିନ ‌ହେଲା ଦକ୍ଷିଣ କିମ୍ବା ଉପକୂଳ ଓଡ଼ିଶାରେ ଆଶା ଅନୁଯାୟୀ ବର୍ଷା ହୋଇନାହିଁ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବି ସେଭଳି ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ନ ହେଲେ ପାଗ ମୁଖ୍ୟତଃ ଶୁଖିଲା ରହିବ।

ପାଣିପାଗ କେନ୍ଦ୍ରର ନିର୍ଦେଶକ ଏଚ୍‌ ଆର ବିଶ୍ବାସଙ୍କ କହିବାନୁଯାୟୀ ଲଘୁଚାପ ପ୍ରଭାବରେ ଯେଉଁଭଳି ବର୍ଷା ଆଶା କରାଯାଉଥିଲା, ତାହା ହୋଇ ନାହିଁ। ଜୁନ୍‌ ପହିଲାରୁ ଆଜି ପର୍ଯ୍ୟନ୍ତ ସ୍ବାଭାବିକ ଭାବେ ୩୩୫.୮ ମିମି ବର୍ଷା ହେବା କଥା। ମାତ୍ର ଏଯାଏ କେବଳ ୨୬୫.୩ ମିମି ହୋଇଛି। ଅର୍ଥାତ ପାଖାପାଖି ୨୧% କମ୍‌ ବର୍ଷା ହୋଇଛି। ୧୬ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଭଦ୍ରକରେ ସବୁଠାରୁ ଅଧିକ ନିଅଣ୍ଟିଆ ୬୦%ରୁ ଅଧିକ ଥିବା ବେଳେ କେନ୍ଦୁଝର, ଯାଜପୁର, ଗଜପତିରେ ୪୦%ରୁ ଅଧିକ କମ୍‌ ବର୍ଷା ରେକର୍ଡ କରାଯାଇଛି। ମଙ୍ଗଳବାର ପୂର୍ବାହ୍ନ ସୁଦ୍ଧା ମାଲକାନଗିରି, କୋରାପୁଟ ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବରର ନୀଳଗିରିରେ ସର୍ବାଧିକ ୪ ସେମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର