ବଢ଼ିବନି ବିଦ୍ୟୁତ୍‌ ଶୁଳ୍କ

ଠିକଣା ସମୟରେ ପୈଠ କଲେ ଶେଷ ମାସରେ ଡବଲ୍‌ ରିବେଟ୍‌
ବଣ୍ଟନ କ୍ଷତି ୨୧.୩୨% , ବୈଷୟିକ ଓ ବାଣିଜ୍ୟିକ କ୍ଷତି ୨୨.୧୧ % ଧାର୍ଯ୍ୟ

ଭୁବନେଶ୍ୱ : ସାଧାରଣ ଉପଭୋକ୍ତା ଆଶ୍ୱସ୍ତ। ଚାଷୀ, ବାଣିଜ୍ୟିକ ଓ ଶିଳ୍ପ ପ୍ରତିଷ୍ଠାନ ବି। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି) ଆଜି ତାଙ୍କ ରାୟ ଶୁଣାଇଛନ୍ତି ଯେ ଆସନ୍ତାବର୍ଷ କୌଣସି ବର୍ଗର ଉପଭୋକ୍ତାଙ୍କ ଲାଗି ବିଦ୍ୟୁତ ଶୁଳ୍‌କ ବୃଦ୍ଧି କରାଯିବ ନାହିଁ, ଅର୍ଥାତ୍‌ ଗତବର୍ଷର ଧାର୍ଯ୍ୟ ଶୁଳ୍‌କ ଆଧାରରେ ଆସନ୍ତାବର୍ଷ ବିଦ୍ୟୁତ ଦେୟ ଦେବେ ଉପଭୋକ୍ତା। ମିଟର ଭଡାରେ ମଧ୍ୟ ପରିବର୍ତ୍ତନ ନାହିଁ। କିନ୍ତୁ ଏଥିରେ ଜିଏସ୍‌ଟି ଲାଗୁ ହେବ।

ଉଲ୍ଲେଖଯୋଗ୍ୟ, ୨୦୧୭-୧୮ ବର୍ଷ ପାଇଁ ଓଇଆର୍‌ସି ଆଜି ବିଦ୍ୟୁତ ଦର ଘୋଷଣା କରିଛନ୍ତି। ଆସନ୍ତା ଏପ୍ରିଲ୍‌ ପହିଲାରୁ ଆୟୋଗଙ୍କ ଏହି ନିର୍ଦେଶନାମା କାର୍ଯ୍ୟକାରୀ ହେବ। ବିଦ୍ୟୁତ ଦେୟ ବଢିନାହିଁ କାରଣ, ଏଣିକି ଜାତୀୟ ତାପଜ ବିଦ୍ୟୁତ କେନ୍ଦ୍ର ଓ ଜାତୀୟ ଜଳ ବିଦ୍ୟୁତ କେନ୍ଦ୍ର ଫର୍‌କା ଓ ତେହେଗାଁରୁ ଉଚ୍ଚ ଦରରେ ଆଉ ବିଦ୍ୟୁତ କିଣାଯିବ ନାହିଁ। ତା ବଦଳରେ ଓଡ଼ିଶାର ବିଦ୍ୟୁତ ଉତ୍ପାଦନ କରୁଥିବା ଘରୋଇ ସଂସ୍ଥା ଯଥା ବେଦାନ୍ତ, ଜିଏମ୍‌ଆର୍‌, ଜିନ୍ଦଲ ଥର୍ମାଲ ପାଓ୍ଵାରର ରାଜ୍ୟ ଅଂଶ କିଣାଯିବ। ପାଖାପାଖି ୫୦୦ ମେଗାଓ୍ଵାଟ୍‌ ଏହି ସୂତ୍ରରୁ ମିଳିବ।

ଏଣୁ ପୂର୍ବଭଳି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ରାୟ ଅନୁସାରେ, ସାଧାରଣ ଉପଭୋକ୍ତା ୫୦ ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ ବ୍ୟବହାର କଲେ ୨ଟଙ୍କା ୫୦ ପଇସା ଦେବେ। ୫୦ରୁ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବ୍ୟବହାର କଲେ ୪ ଟଙ୍କା ୩୦, ୨ଶହ ୟୁନିଟ୍‌ରୁ ଅଧିକ ୪ଶହ ୟୁନିଟ୍‌ରୁ କମ୍‌ ବ୍ୟବହାର କଲେ ୫ ଟଙ୍କା ୩୦ ଓ ୪ଶହ ୟୁନିଟ୍‌ରୁ ଅଧିକ ବ୍ୟବହାର କଲେ ୟୁନିଟ୍‌ ପିଛା ୫ଟଙ୍କା ୭୦ ପଇସା ଦେବାକୁ ପଡିବ।

ହାରାହାରି ହିସାବରେ ପ୍ରତି ୧୦୦ ୟୁନିଟ୍‌ ପାଇଁ ୩ଟଙ୍କା ୪୦ ପଇସା, ୨୦୦ ୟୁନିଟ୍‌ ପାଇଁ ୩ଟଙ୍କା ୮୫ ପଇସା, ୩୦୦ ୟୁନିଟ୍‌ ପାଇଁ ୪ଟଙ୍କା ୩୩ ପଇସା, ୪ଶହ ୟୁନିଟ୍‌ ପାଇଁ ୪ଟଙ୍କା ୫୮ ପଇସା, ୫୦୦ ୟୁନିଟ୍‌ ପାଇଁ ୪ଟଙ୍କା ୮୦ ପଇସା, ୬୦୦ ୟୁନିଟ୍‌ ପାଇଁ ୪ଟଙ୍କା ୯୫ ପଇସା ଓ ୭୦୦ ୟୁନିଟ୍‌ ପାଇଁ ୫ଟଙ୍କା ୦୬ ପଇସା ଦରରେ ଦେୟ ପୈଠ କରିବେ।

ଆୟୋଗ ଦର୍ଶାଇଛନ୍ତି ଯେ ବଣ୍ଟନ କଂପାନିମାନେ ବଣ୍ଟନ ଜନିତ କ୍ଷତି ୨୬.୩୨% କରିବା ଲାଗି ଦାବି ରଖିଥିଲେ। ଏହାକୁ ଆୟୋଗ ୨୧.୩୨% ଧାର୍ଯ୍ୟ କରିଛନ୍ତି। ସେହିଭଳି ବୈଷୟିକ ଓ ବାଣିଜ୍ୟିକ କ୍ଷତି ୨୨.୧୧ % ଧାର୍ଯ୍ୟ କରାଯାଇଛି। କଂପାନିମାନେ ୨୮.୧୩% କରିବା ଲାଗି ପ୍ରସ୍ତାବ ଦେଇଥିଲେ।

ଯଦିଓ ଗ୍ରୀଡ୍‌କୋ ବଣ୍ଟନ କଂପାନିଙ୍କ ଲାଗି ବଲ୍‌କ ସପ୍ଲାଇ ପ୍ରାଇସ୍‌ ବା ବିଏସ୍‌ପି ବୃଦ୍ଧି କରି ୩ ଟଙ୍କା ୫୩ ପଇସା କରିବା ଲାଗି ପ୍ରସ୍‌ବ ଦେଇଥିଲା, ଆୟୋଗ କିନ୍ତୁ ଏହାକୁ ବଢାଇବା ବଦଳରେ କମାଇ ଦେଇଛନ୍ତି। ୟୁନିଟ୍‌ ପିଛା ୨ଟଙ୍କା ୭୭ ପଇସା ଧାର୍ଯ୍ୟ ହୋଇଥିଲା, ତାହାକୁ କମାଇ ୨ଟଙ୍କା ୭୬ ପଇସା କରାଯାଇଛି। ଅନ୍ୟପକ୍ଷରେ ବିଦ୍ୟୁତ କିଣା କ୍ଷେତ୍ରରେ ଗ୍ରୀଡ୍‌କୋ ପାଇଁ ଏଥର ବଲ୍‌କ ସପ୍ଲାଇ ପ୍ରାଇସ୍‌ ବା ବିଏସ୍‌ପି ୟୁନିଟ୍‌ ପିଛା ପାଖାପାଖି ୧୩ ପଇସା ବୃଦ୍ଧି କରିଛନ୍ତି। ୟୁନିଟ୍‌ ପିଛା ୨ଟଙ୍କା ୪୬ରୁ ୨ଟଙ୍କା ୫୯ ପଇସାକୁ ବୃଦ୍ଧି କରାଯାଇଛି। ଏହି ଦରରେ ଗ୍ରୀଡ୍‌କୋ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାଠାରୁ ବିଜୁଳି କିଣିବ। ଏଣୁ ଗ୍ରୀଡ୍‌କୋ ଉପରେ ଗତବର୍ଷ ତୁଳନାରେ ୟୁନିଟ୍‌ ପିଛା ଅଧିକ ୧୩ ପଇସାର ଚାପ ବଢିବ। ଏହି କ୍ରମରେ ଆସନ୍ତାବର୍ଷ ସେସୁ ୟୁନିଟ୍‌ ପିଛା ୨ଟଙ୍କା ୭୬, ନେସ୍କୋ ୩ଟଙ୍କା ୧ ପଇସା, େଓ୍ଵସ୍କୋ ୩ଟଙ୍କା ଓ ସାଉଥ୍‌କୋ ୧ଟଙ୍କା ୯୭ ପଇସାରେ ଗ୍ରୀଡ୍‌କୋ ଠାରୁ ବିଦ୍ୟୁତ କିଣିବେ।

୨୦୧୮-୧୯ ବର୍ଷ ପାଇଁ ଓଡ଼ିଶା ବିଦ୍ୟୁତ ପରିବହନ ନିଗମ ଲିମିଟେଡ୍‌ ବା ଓପିଟିସିଏଲ୍‌ ପାଉଥିବା ବିଦ୍ୟୁତ ପରିବହନ ଶୁଳ୍‌କରେ କୌଣସି ପରିବର୍ତନ କରାଯାଇନାହିଁ। ପୂର୍ବଭଳି ଓପିଟିସିଏଲ୍‌ ପରିବହନ ବାବଦରେ ୟୁନିଟ୍‌ ପିଛା ୨୫ପଇସା ପାଇବ। କିନ୍ତୁ ସଂସ୍ଥା ପାଇଁ ପରିବହନ ଜନିତ କ୍ଷତି ଏଣିକି ୩.୫% ବଦଳରେ ୩% ଧାର୍ଯ୍ୟ କରାଯାଇଛି।
ବଣ୍ଟନ କଂପାନିମାନେ ସେମାନଙ୍କ ସଂସ୍ଥା ଚଳାଇବା ଲାଗି ୧୧ ହଜାର ୨୬୫ କୋଟି ଟଙ୍କା ଦାବି କରିଥିଲେ। ଆୟୋଗ ଏହାକୁ ୯ହଜାର ୫୬୨କୋଟି ଟଙ୍କାରେ ସୀମିତ ରଖିଛନ୍ତି। ଆୟୋଗ କହିଛନ୍ତି, ମିଟର ଭଡା ମଧ୍ୟ ବୃଦ୍ଧି କରାଯିବ ନାହିଁ।

ଆୟୋଗ କହିଛନ୍ତି, ଏଲ୍‌ଟି ଉପଭୋକ୍ତାମାନେ କ୍ୟାସଲେସ୍‌ ବା ଡିଜିଟାଲ ବ୍ୟବସ୍ଥାରେ ଦେୟ ପୈଠ କଲେ ଆହୁରି ୧% ରିବେଟ୍‌ ମିଳିବ। କେବଳ ସେତିକି ନୁହେଁ, ୧୧ମାସ ପର୍ଯ୍ୟନ୍ତ ଧାର୍ଯ୍ୟ ତାରିଖ ପୂର୍ବରୁ ଯେଉଁ ଉପଭୋକ୍ତା ବିଦ୍ୟୁତ ମାସିକ ବିଲ୍‌ ପୈଠ କରୁଥିବେ, ୧୨ମାସ ବେଳକୁ ଦୁଇଗୁଣା ରିବେଟ୍‌ ପାଇବେ। ସେହିଭଳି ଅଧିକରୁ ଅଧିକ ନୂଆ ଉପଭୋକ୍ତାକୁ ବିଜୁଳି ସଂଯୋଗ ଦେବା ପାଇଁ ଆୟୋଗ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। କହିଛନ୍ତି, କୌଣସି ସଂସ୍ଥା ଏ କ୍ଷେତ୍ରରେ ବାହାନା କଲେ, ଏହାକୁ କଠୋର ଦୃଷ୍ଟିରେ ଗ୍ରହଣ କରାଯିବ। ସେହିଭଳି ୫ କିଲୋଓ୍ଵାଟ୍‌ ପର୍ଯ୍ୟନ୍ତ ବିଜୁଳି ବ୍ୟବହାରକୁ ସ୍ୱତନ୍ତ୍ର ସଂଯୋଗ ଦେବା ଲାଗି ରାୟରେ କୁହାଯାଇଛି। ସେହିଭଳି ସୋଲାର ବିଦ୍ୟୁତକୁ ପ୍ରୋତ୍ସାହିତ କରିବା ଲାଗି ବାଟ ଖୋଲାଯାଇଛି।

ଉଲ୍ଲେଖଥାଉକି, ୨୦୧୮-୧୯ ବର୍ଷ ଲାଗି ୨୬ ମିଲିୟନ୍‌ ୟୁନିଟ୍‌ ବିଦ୍ୟୁତର ଆବଶ୍ୟକ ରହିଛି। ବିଦ୍ୟୁତ ଆୟୋଗ ପକ୍ଷରୁ ନିର୍ଦେଶକ (ନିୟାମକ ବ୍ୟାପାର) ପ୍ରିୟବତ ପଟ୍ଟନାୟକ ଗଣମାଧ୍ୟମକୁ ତଥ୍ୟ ଦେଇଥିଲେ।

ସମ୍ବନ୍ଧିତ ଖବର