ରାୟଗଡ଼ା: ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ଭଙ୍ଗା ଦଦରା ଘରେ ବିତୁଛି ଦୃଷ୍ଟିହୀନ ମହିଳାଙ୍କ ଜୀବନ। ଜିଲ୍ଲାର ବିଷମକଟକ ସଦର ଅଂଚଳରେ ବାସ କରୁଥିବା ମନ୍ଦ କୌଶଳ୍ୟାଙ୍କୁ ସରକାରୀ ଯୋଜନା ଅପହଞ୍ଚ ହୋଇ ରହିଛି। ନିଜର ବୋଲି କେହି ନଥିବା ବେଳେ ତାଂକୁ ଅଧିକା ଦୁଃଖ ଦେଇଛି ଦୃଷ୍ଟିହୀନତା। ଭଙ୍ଗା କୁଡିଆରେ ବର୍ଷା, ଖରା ଓ ଶୀତରେ ଅତି ଦୟନୀୟ ଭାବେ ନିଜର ଜୀବନ କାଟୁଛନ୍ତି ମନ୍ଦ କୌଶଲ୍ୟା। ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରୁଥିଲେ ମଧ୍ୟ ତାଂକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇପାରୁ ନାହିଁ। ପୁଣି ପିଡିଏସ ଚାଉଳ ପାଇଁ ମଧ୍ୟ ସେ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ସୁଫଳ ନମିଳିବାରୁ ସେ ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଥିଲେ।

Advertisment

publive-image

ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ତାଂକୁ କିଛି ଦିନ ୧୦ କିଲୋ ଲେଖାଏଁ ଚାଉଳ ପ୍ରଦାନ କରାଗଲା। ପରେ କିନ୍ତୁ ସେହି ଚାଉଳ ଆଉଆସୁନଥିବା କହି ତାଂକୁ ଫେରାଇ ଦିଆଗଲା।ଆଖି ଦିଶୁନଥିବାରୁ ସେ କାମ କରିପାରୁନାହାନ୍ତି। ଯଦି ଆଖି ଦିଶୁଥାନ୍ତା ତେବେ ସେ ସରକାରୀ ସୁବିଧାକୁ ଅନେଇ ବସିନଥାନ୍ତେ ବୋଲି କହିଛନ୍ତି। କିଏ ଦେଲେ ସେହି ଦିନ ତାଂକର ପେଟକୁ ଦିମୁଠା ଦାନା ଯାଏ, ନଚେତ ସେ ଭୋକ ଉପାସରେ ହିଁ ଦିନ କାଟୁଥିବା କହନ୍ତି। ଏବେ ପୁଣି ନୂତନ ଜିଲ୍ଲାପାଳଙ୍କୁ ଭେଟି ନିଜର ଗୁହାରି କରିଛନ୍ତି। ଜିଲ୍ଲାପାଳ ମଧ୍ୟ ସହଯୋଗର ହାତ ବଢାଇବେ ବୋଲି ପ୍ରତିଶ୍ରୁତି ଦେଇଥିବା ମନ୍ଦ କହନ୍ତି। ଗୋଟିଏ ବୋଲି ପୁଅ ରହିଥିବା ସେ କହନ୍ତି। କିନ୍ତୁ ସେ ଅନ୍ୟତ୍ର ନିଜ ପରିବାର ସହ ରହୁଛି।ଏକାକୀ ମନ୍ଦ କୁଡିଆ ଘରେ ଭଗବାନଙ୍କୁ ସ୍ମରଣ କରି ବସି ରହନ୍ତି। ରାସନ କାର୍ଡ ପ୍ରଦାନ କଲେ ସେ ପ୍ରତି ମାସରେ ଅନ୍ତତଃ ୫ କିଲୋ ଚାଉଳ ପାଇପାରନ୍ତେ। ସେତିକିରେ ମଧ୍ୟ ସେ ଯେଣତେଣ ଚଳିଯାନ୍ତେ ବୋଲି କହିଛନ୍ତି। କିନ୍ତୁ ସରକାରୀ ବାବୁଙ୍କ ଦୃଷ୍ଟି ତାଂକ ଉପରେ ପଡୁନାହିଁ। ମନ୍ଦ ଅଭିଶପ୍ତ ଜୀବନ କାଟୁଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ।ନିଜେ ଅଣ୍ଡାଳି ଅଣ୍ଡାଳି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା କରନ୍ତି। ଆହା ବୋଲି ପଚାରିବାକୁ କେହି ନାହାନ୍ତି। ଗ୍ରାମବାସୀ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ରହୁଥିବାରୁ ମନ୍ଦଙ୍କ ନିକଟକୁ ସେଭଳି ସହଯୋଗ କରିପାରୁନଥିବା ଦେଖିବାକୁ ମିଳିଛି। ତେବେ ସରକାରୀ ସହାୟତା ମନ୍ଦଙ୍କୁ କେବେ ମିଳୁଛି ଦେଖିବାକୁ ବାକି ରହିଲା।