ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପିଲାଙ୍କୁ ହୋମୱାର୍କ ମନା
ଗଣଶିକ୍ଷା ବିଭାଗ ନିଦ ଭାଙ୍ଗିଲା, ଏପ୍ରିଲ୍ରୁ କମିବ ସ୍କୁଲ ବ୍ୟାଗ୍ ବୋଝ, ଏସ୍ସିଇଆର୍ଟି ଅନୁମୋଦିତ ବହି ବ୍ୟବହାର କରିବାକୁ ନିର୍ଦେଶ
ଭୁବନେଶ୍ବର : ସ୍କୁଲ ବ୍ୟାଗ୍ ବୋଝରୁ ମୁକ୍ତି ପାଇବେ ଛାତ୍ରଛାତ୍ରୀ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ବାରମ୍ବାର ଚିଠି, ତାଗିଦ୍ ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି। ୨୦୧୯-୨୦ ଶିକ୍ଷାବର୍ଷରୁ ସ୍କୁଲ ବ୍ୟାଗ୍ ଓଜନ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ସ୍କୁଲଗୁଡ଼ିକୁ ନିର୍ଦେଶ ଦିଆଯାଇଛି। କେଉଁ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍ ଓଜନ କେତେ ରହିବ ତାହା ସ୍ପଷ୍ଟ କରାଯାଇଛି। ଏଥିସହ ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା, ନିୟମିତ ଭାବେ ଛାତ୍ରଛାତ୍ରୀଙ୍କ ବ୍ୟାଗ୍ର ଓଜନ ଯାଞ୍ଚ, ଛାତ୍ରଛାତ୍ରୀ ବ୍ୟାଗ୍ ପକାଇବା ସମୟରେ ଯେପରି ଦୁଇ କାନ୍ଧକୁ ବ୍ୟବହାର କରିବେ ସେଥିପ୍ରତି ସ୍କୁଲ ଦୃଷ୍ଟି ଦେବାକୁ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗାଇଡ୍ଲାଇନ୍ରେ କୁହାଯାଇଛି ଯେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବ୍ୟାଗ୍ର ଓଜନ ୧.୫ କେଜିରୁ ଅଧିକ ହେବ ନାହିଁ। ବିଦ୍ୟାଳୟରେ ସେମାନଙ୍କୁ ମାତ୍ର ଦୁଇଟି ବିଷୟ ଯଥା ମାତୃଭାଷା ଓ ଗଣିତ ବିଷୟରେ ଶିକ୍ଷା ଦିଆଯିବ। ୩ୟରୁ ୫ମ ଶ୍ରେଣୀ ପିଲାଙ୍କ ବ୍ୟାଗ୍ର ଓଜନ ୨ରୁ ୩ କିଲୋ ମଧ୍ୟରେ ରହିବ। ଏହି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଗଣିତ, ପରିବେଶ ବିଜ୍ଞାନ, ଇଂରାଜୀ ଓ ମାତୃଭାଷା ବିଷୟରେ ଶିକ୍ଷା ପ୍ରଦାନ କରାଯିବ। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ହୋମ୍ୱାର୍କ ଦିଆଯିବ ନାହିଁ। ସ୍କୁଲରେ ପାନୀୟ ଜଳ ସୁବିଧା କରାଯିବ। ଫଳରେ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଘରୁ ପାଣି ବୋତଲ ଆଣିବାକୁ ପଡ଼ିବନି। ପୁସ୍ତକରେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ସମାଧାନ ପାଇଁ ସ୍ବତନ୍ତ୍ର ପିରିୟଡ୍ ରଖାଯିବ।
ସେହିପରି ଷଷ୍ଠ ଓ ସପ୍ତମ ପିଲାଙ୍କ ବ୍ୟାଗ୍ର ଓଜନ ୪ କେଜି, ୮ମ ଓ ୯ମ ପିଲାଙ୍କ ବ୍ୟାଗ୍ର ଓଜନ ସାଢ଼େ ୪ କେଜି ଓ ଦଶମ ଶ୍ରେଣୀ ପିଲାଙ୍କ ବ୍ୟାଗ୍ର ଓଜନ ୫ କେଜିରୁ ଅଧିକ ହେବ ନାହିଁ। ଏଥିସହ ପିଲାଙ୍କୁ ହୋମ୍ୱାର୍କ ଦିଆଯିବା ଉପରେ କଟକଣା ଲଗାଯାଇଛି। ଷଷ୍ଠରୁ ଦଶମ ଶ୍ରେଣୀ ପିଲାଙ୍କ ହୋମ୍ଓ୍ବାର୍କକୁ ନେଇ ସ୍କୁଲଗୁଡ଼ିକ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରିବେ। ପିଲାଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ବ ଦେବେ। ବାରମ୍ବାର ଅଭ୍ୟାସ ଉପରେ ପ୍ରାଥମିକତା ଦିଆଯିବ। ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି ସହ ପ୍ରକଳ୍ପ ପ୍ରସ୍ତୁତ, ବିଭିନ୍ନ ସ୍ଥାନ ଭ୍ରମଣ, ସାମ୍ପ୍ରତିକ ବିଷୟ ଉପରେ ବିତର୍କ ଲାଗି ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରାଯିବ। ଗାଇଡ୍ ଓ ଅନ୍ୟାନ୍ୟ ବହି ବ୍ୟବହାରକୁ ନିଷେଧ କରାଯାଇଛି। ସ୍କୁଲଗୁଡ଼ିକ ଷ୍ଟେଟ୍ କାଉନ୍ସିଲ ଅଫ୍ ଏଜୁକେସନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ(ଏସ୍ସିଇଆର୍ଟି) ଦ୍ୱାରା ଅନୁମୋଦିତ ବହି ହିଁ ବ୍ୟବହାର କରିବାକୁ କୁହାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଅଣ-ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଏହି ନିୟମ ଲାଗୁ ହେବ।
ସୂଚନାଯୋଗ୍ୟ ଯେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଗତ ୩ ବର୍ଷ ହେଲା ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବାରମ୍ବାର କୁହାଯାଉଥିଲେ ମଧ୍ୟ ରାଜ୍ୟରେ ତାହାକୁ ପାଳନ କରା ଯାଉ ନ ଥିଲା। ଯେଉଁଥିପାଇଁ ଗତ ନଭେମ୍ବର ୨୦ ତାରିଖରେ ମନ୍ତ୍ରଣାଳୟ ପକ୍ଷରୁ ପୁଣିଥରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦେଶ ଦିଆଯାଇଥିଲା। ଚିଠି ପାଇବା ପରେ ଓଡ଼ିଶା ସରକାର ତାହାକୁ ପାଳନ କରିବା ପାଇଁ ସ୍କୁଲଗୁଡ଼ିକୁ କହିଥିଲେ। ହେଲେ କୌଣସି ବି ବିଦ୍ୟାଳୟ ନିୟମକୁ ପାଳନ କରୁ ନାହାନ୍ତି। ଏବେ ପୁଣିଥରେ ଚିଠି ଲେଖାଯାଇଛି।