ହରିଚନ୍ଦନପୁର: ନିର୍ବାଚନ ସରିବା ପରେ ଷ୍ଟ୍ରଙ୍ଗରୁମକୁ ଗଲା ଭୋଟବାକ୍ସ। ସୁରକ୍ଷା ପାଇଁ ଷ୍ଟ୍ରଙ୍ଗରୁମ ଆଗରେ ଜଗିଛନ୍ତି ପୁଲିସ ବାହିନୀ। ତଥାପି ବିରୋଧୀ ବିଜେପିକୁ ଘାରିଛି ଭୟ। କାଳେ ଭୋଟ୍‌ବାକ୍ସ ଖୋଲି ହେରଫେର ‌କରିଦେବେ ସେହି ଡରରେ ଦଳୀୟ କର୍ମୀମାନେ ରାତି ଉଜାଗର ହୋଇ ଷ୍ଟ୍ରଙ୍ଗରୁମ ଆଗରେ ପହରା ଦେଉଥିଲେ। ଦୁଇମହଲା ଉପରେ ଥିବା ଷ୍ଟ୍ରଙ୍ଗରୁମ୍‌ ଭଲରେ ଦିଶୁ ନଥିବା ତଥା କାହା ଉପରେ ଭରସା ନଥିବାରୁ ଆଜି ମଞ୍ଚା କରି ତା’ ଉପରେ ବସିଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ରେ।

Advertisment

ହରିଚନ୍ଦନପୁର ବ୍ଲକ୍‌ରେ ଦ୍ୱିତୀୟ ପର୍ଯ୍ୟାୟରେ ଗତ ୧୮ ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗ୍ରହଣ ସରିଛି। ଭୋଟବାକ୍ସଗୁଡ଼ିକୁ ବ୍ଲକ୍‌ ପ୍ରଶାସନ ପକ୍ଷରୁ ହରିଚନ୍ଦନପୁର ହାଇସ୍କୁଲ୍‌ର ଉପର ମହଲାର ୩ଟି ଶ୍ରେଣୀଗୃହରେ ଷ୍ଟ୍ରଙ୍ଗରୁମ୍‌ କରି ରଖାଯାଇଛି। ଷ୍ଟ୍ରଙ୍ଗରୁମ୍‌ ସିଲ୍‌ କରାଯିବା ସହ ବାହାରେ ପୁଲିସ ମୁତୟନ ହୋଇଛନ୍ତି। ଏହାସତ୍ତ୍ୱେ ଷ୍ଟ୍ରଙ୍ଗରୁମ୍‌ର ସୁରକ୍ଷା ନେଇ ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀ, ଦଳୀୟ ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀମାନେ ସନ୍ଦେହ ପ୍ରକାଶ କରୁଛନ୍ତି। ଷ୍ଟ୍ରଙ୍ଗରୁମ୍‌ ସିଲ୍ ହେବା ପରେ ବିଜେପି କର୍ମୀମାନେ ବାହାରେ ଦୁଇଦିନ ଧରି ଜଗି ରହିଛନ୍ତି। ଖେଳପଡ଼ିଆରୁ ଷ୍ଟ୍ରଙ୍ଗରୁମ୍‌ ଭଲରେ ଦେଖାଯାଉ ନଥିବାରୁ ଆଜି ବିଜେପି କର୍ମୀମାନେ ଷ୍ଟ୍ରଙ୍ଗରୁମର ସମାନ ଉଚ୍ଚାତର ଏକ ମଞ୍ଚା ତିଆରି କରି ଉପରେ ବସିଛନ୍ତି। ଭୋଟଗଣତି ସରିବା ପର୍ଯ୍ୟନ୍ତ ସେମାନେ ଷ୍ଟ୍ରଙ୍ଗରୁମ୍‌ ବାହାରେ ଜଗିବେ ବୋଲି ବିଜେପି କର୍ମୀମାନେ କହିଛନ୍ତି।