ସୁନ୍ଦରଗଡ଼: ବ୍ୟୟ ଅଟକଳ କେତେ, ନିର୍ମାଣକାରୀ ସଂସ୍ଥା କିଏ, କେବେ ସରିବ ନିର୍ମାଣ। କାର୍ଯ୍ୟସ୍ଥଳରେ ସେ ସମ୍ପର୍କିତ କୌଣସି ସୂଚନା ନାହିଁ। କେବଳ କୁହାଯାଇଛି, ବାଲା ମୋଡେଲରେ ଅଙ୍ଗନବାଡ଼ି କେନ୍ଦ୍ରର ନବୀକରଣ କରାଯିବ। ହେଲେ ୬ ମାସ ହେଲା କେନ୍ଦ୍ର କୋଠାକୁ ନିର୍ମାଣ ନାମରେ ଭଙ୍ଗାଦଦରା ଅବସ୍ଥାରେ ଛାଡ଼ି ଦିଆଯାଇଛି। ଯାହାର ଫଳ ଭୋଗୁଛନ୍ତି ଅଙ୍ଗନବାଡ଼ି କେନ୍ଦ୍ରର ନିରୀହ ଶିଶୁ। ତାଲା ବନ୍ଦ କୋହଳ ହେବା ପରେ ଖୋଲିଥିବା କେନ୍ଦ୍ରକୁ ଆସୁଥିବା ଏ ପିଲାମାନେ ଏବେ ଖୋଲା ଆକାଶ ତଳେ ବସି ପଢ଼ୁଛନ୍ତି। ଏ ବିକଳ ଚିତ୍ର କୌଣସି ଅପହଞ୍ଚ ଗାଁ ଅଙ୍ଗନବାଡ଼ି ନୁହେଁ, ସୁନ୍ଦରଗଡ଼ ପୌରାଞ୍ଚଳ ୱାର୍ଡନମ୍ବର ୬ ସୁନାରିପଡ଼ାସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ଏପରି ଅଭାବନୀୟସ୍ଥିତିର ସମ୍ମୁଖୀନ ହୋଇଛି।
ସୁନାରିପଡ଼ା ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରାୟ ୩୦ ଶିଶୁ ପଢ଼ୁଛନ୍ତି। ୬ ମାସ ତଳେ ବାଲା ମୋଡେଲରେ ଏହାର ନବୀକରଣ ହେବ ବୋଲି କହି ଜଣେ ଠିକାଦାର ଅଙ୍ଗନବାଡ଼ିକର୍ମୀଙ୍କୁ କେନ୍ଦ୍ର ଖାଲି କରିବାକୁ କହିଲେ। ଘର ତିଆରି ହେବ ଭାବି କର୍ମୀ ଜଣକ କେନ୍ଦ୍ରର ସମସ୍ତ ଆସବାବପତ୍ର ଅନ୍ୟତ୍ର ସ୍ଥାନାନ୍ତର କରି ଦେଲେ। ଠିକାଦାର କେନ୍ଦ୍ର କୋଠାକୁ ମରାମତି ନାମରେ ଦଦରା କରି ଅଧାପନ୍ତରିଆ ଅବସ୍ଥାରେ ଛାଡ଼ି ଦେଇଛି। ତାର ନିର୍ମାଣ ନେଇ ତତ୍ପରତା ପ୍ରକାଶ କରୁ ନଥିବା ବେଳେ ପିଲାମାନଙ୍କ ପାଠ ପଢ଼ା, ଓଜନ ମାପ ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ପ୍ରକାର ଯାଞ୍ଚ, ଟିକାକରଣ କାର୍ଯ୍ୟ ସବୁ ଖୋଲା ଆକାଶ ତଳେ କରାଯାଉଛି। ଏ ସମ୍ପର୍କରେ ଅଙ୍ଗନବାଡ଼ିକର୍ମୀ ଓ ଅଭିଭାବକମାନେ ଅନେକବାର ସମନ୍ନିତ ଶିଶୁ ବିକାଶ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ତାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। କିନ୍ତୁ କେନ୍ଦ୍ର କୋଠା କାମ ସେମିତି ଅଧାରେ ଅଟକି ରହିଛି। ଆଉ ଖୋଲା ଆକାଶତଳେ କୋମଳମତି ପିଲାଙ୍କ ଭବିଷ୍ୟତ ଗଠନ ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/c7c3d8ce-3d23-4419-8a1b-a62a4da219b9.jpg)