ଆବାସ ସାତସପନ, ଭଙ୍ଗା କୁଡ଼ିଆରେ ମାଧବୀଙ୍କ ପରିବାର

ବନ୍ତ: ଭଙ୍ଗା ଦଦରା ଘରେ ମାଧବୀଲତାଙ୍କ ପରିବାର। ଘରର ଚାଳ ଉପରେ ଗଛ ଉଠିଗଲାଣି। କାନ୍ଥରୁ ମାଟି ଖସିଲାଣି। ତଥାପି ତାଙ୍କୁ ମିଳୁନି ଆବାସ ଯୋଜନାରେ ଘର। ବନ୍ତ ବ୍ଲକ୍ ରାମଚନ୍ଦ୍ରପୁର ପଞ୍ଚାୟତ ୮ନଂ ୱାର୍ଡ ନିମାପଡା ପାଟଣା ଗ୍ରାମର ମାଧବୀଲତା ବାରିକଙ୍କ ପରିବାର ପାଇଁ ଆବାସ ଯୋଜନା ସାତସପନ। ସ୍ବାମୀ ଶୁକଦେବ ଓ ଏକମାତ୍ର ପୁଅ ଆଲୋକଙ୍କୁ ନେଇ ମାଧବୀଲତାଙ୍କ ପରିବାର। ଏହି ପରିବାର ଦୀର୍ଘ ବର୍ଷ ଧରି ଗ୍ରାମ ନିକଟ କପାଳୀ ନଦୀ କୂଳରେ ନିଜର ପୈତୃକ ସମ୍ପତ୍ତିରେ ଏକ ଚାଳଛପର କୁଡିଆ ଘର କରି ପରିବାର ସହ ବସବାସ କରି ଆସୁଛନ୍ତି। ଘର ଡିହ ଖଣ୍ତିଏ ଛାଡିଦେଲେ ଜମିଜମା ନାହିଁ। ଚାଷଜମି ନଥିବାରୁ ସ୍ବାମୀ ଶୁକଦେବ ପର ଘରେ ମୂଲ ଲାଗି ଯାହା କିଛି ରୋଜଗାର କରନ୍ତି ସେଥିରେ କୌଣସି ପ୍ରକାରେ ଦୁଃଖେ କଷ୍ଟେ ଚଳିଯାଆନ୍ତି। ବେଳ ଅବେଳରେ କାହା ଦେହ ଖରାପ ହେଲେ ଧାର ଉଧାର କରି ଔଷଧ ଖର୍ଚ୍ଚ ତୁଲାଇଥାନ୍ତି।

ଭଙ୍ଗା କୁଡ଼ିଆରେ ରହୁଥିବା ଉକ୍ତ ଗରିବ ପରିବାର ଦୁଃଖ କହିଲେ ନ ସରେ। ବର୍ଷକୁ ବର୍ଷ ଘର ଛାଇବାକୁ ସମ୍ବଳ ନାହିଁ। ଭଙ୍ଗା ଘରେ ଚାରିଆଡେ ଜଳ ଜଳ ଦେଖାଯାଉଛି। ବର୍ଷାଦିନ ହେଲେ ଘର ସାରା ପାଣି ଗଳେ। ମାତ୍ର ଉକ୍ତ ପରିବାର କର୍ମକୁ ଆଦରି କୌଣସି ପ୍ରକାରେ ଦିନ କାଟିଥାନ୍ତି। ଉକ୍ତ ପରିବାରକୁ ଏବେ ବି ପକ୍କାଘରଟିଏ ମିଳିପାରିନି। ଗ୍ରାମୀଣ ଗୃହ ଯୋଜନାରେ ଉକ୍ତ ପରିବାର ଯୋଗ୍ୟ ହିତାଧିକାରୀ ଭାବେ ଘର ପାଇବା ପାଇଁ ହକଦାର୍ ହୋଇଥିଲେ ମଧ୍ୟ ପ୍ରଶାସନିକ ଅବହେଳା ଯୋଗୁ ଏହି ଭଙ୍ଗାଘରେ ଦିନ କାଟିବାକୁ ବାଧ୍ୟ ହେଉଛନ୍ତି। ଆର୍ଥିକ ଅବସ୍ଥା ଏତେ ଖରାପ ଯେ ମାସିକ ବିଦ୍ୟୁତ୍ ବିଲ୍ ଦେବା ଉକ୍ତ ପରିବାର ପାଇଁ କଷ୍ଟକର।

ନିୟମିତ ବିଦ୍ୟୁତ୍ ଦେୟ ଦାଖଲ କରିନପାରିବାରୁ ବିଦ୍ୟୁତ୍ ବିଭାଗ ୩ବର୍ଷ ତଳେ ଏହି ଘରକୁ ବିଦ୍ୟୁତ୍ ସଂଯୋଗ ଚ୍ଛିନ୍ନ କରି ଦେଇଥିବା ଦୁଃଖର ସହ ମାଧବୀ ପ୍ରକାଶ କରିଛନ୍ତି। ବିଦ୍ୟୁତ ନ ଥିବାରୁ ଡିବିରି ଆଲୁଅରେ ପରିବାର ରାତି କଟାନ୍ତି। ଏପରିକି ପୁଅ ଅଲୋକ ମଧ୍ୟ ଡିବିରି ଆଲୁଅରେ ପାଠ ପଢୁଥିବା କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ନଦୀକୂଳରେ ଘର ଥିବାରୁ ବର୍ଷାଦିନେ ସରୀସୃପ ଭୟ ଘାରିଥାଏ। ଉକ୍ତ ପରିବାରକୁ ତୁରନ୍ତ ପକ୍କାଗୃହ ସହ ବିଦ୍ୟୁତ୍ ସଂଯୋଗ କରିବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର