ସଙ୍ଗରୋଧ ପାଇଁ ଘର ନାହିଁ, ପୋଲ ତଳ ଆଶ୍ରା

କୋଭିଡ୍‌ ପଜିଟିଭ୍‌ ପୁଅର ପାଖ ଛାଡ଼ିଲେନି ବୃଦ୍ଧାମା’, ଉଦ୍ଧାର କରି କ୍ଲବ୍‌ ଘରେ ରଖିଲା ପ୍ରଶାସନ

ଚିତ୍ରଡ଼ା : ଘରେ ସଙ୍ଗରୋଧ ପାଇଁ ଜାଗା ନାହିଁ! ହସ୍ପିଟାଲର ଆମ୍ବୁଲାନ୍ସ ଘରକୁ ନେବା ବାଟରେ ଓହ୍ଲାଇପଡ଼ି ପୋଲତଳେ ଆଶ୍ରୟ ନେଲେ ଜଣେ ରୋଗୀ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, କୋଭିଡ୍‌ ପଜିଟିଭ୍‌ ଜାଣି ବି ବୃଦ୍ଧାମା’ ତାଙ୍କ ପାଖ ଛାଡ଼ିନଥିଲେ। ପୁଅ ସହ ସେହି ପୋଲତଳେ ଆଶ୍ରୟ ନେଇଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗ୍ରାମବାସୀମାନେ ଦୁହିଁଙ୍କୁ ଉଦ୍ଧାର କରି ଏକ କ୍ଳବ୍‌ଘରେ ସଙ୍ଗରୋଧରେ ରଖିଥିବା ଜଣାପଡ଼ିଛି।

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍‌ ନୂଆଗାଁ ଗ୍ରାମର ଏହି ଦୃଶ୍ୟ କରୋନାର ଆଉ ଏକ କରୁଣ ଚିତ୍ରକୁ ସାମ୍‌ନାକୁ ଆଛିଛି।

ଏହି ରୋଗୀ ଜଣକ ହେଲେ, ଭୂପତି ମହାନ୍ତ(୪୫)। ଭୂପତି ଗତ ବୁଧବାର ରାତିରେ ଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସହ ଦେଖାଶୁଣା କରିବାକୁ ଯାଇଥିଲେ ବୃଦ୍ଧ ମା’ ସମ୍ପତି (୭୨)। ତେବେ ଗୁରୁବାର ସକାଳେ ଭୂପତିଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ ବାରିପଦା ପିଆର୍‌ଏମ୍‌ର କୋଭିଡ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଗତ ରବିବାର ଦିନ ଭୂପତି ଏବଂ ତାଙ୍କ ମା’ଙ୍କୁ ପିଆର୍‌ଏମ୍‌ର ଏକ ଆମ୍ବୁଲାନ୍ସ ଘରକୁ ଛାଡିବାକୁ ଆଣିଥିଲା କିନ୍ତୁ ନୂଆଗାଁ-ଫୁଲଝର ରାସ୍ତାରେ ଓହ୍ଲାଇ ଦେଇ ପଳାଇଥିଲା। ତେବେ ଭୂପତିଙ୍କ ଘରେ ସଙ୍ଗରୋଧରେ ରହିବା ପାଇଁ ଉପଯୁକ୍ତ ସୁବିଧା ନଥିବାରୁ ସେ ଓ ତାଙ୍କ ମା’ ଗାଁ ପାଖରେ ନିର୍ମିତ ସୁବର୍ଣ୍ଣରେଖା ପ୍ରକଳ୍ପର ଏକ ପୋଲ ତଳେ ଆଶ୍ରୟ ନେଇଥିଲେ। ଗତକାଲି ରାତିରେ ପ୍ରବଳ ଝାଡ଼ତୋଫାନରେ ମଧ୍ୟ ସେମାନେ ଉକ୍ତ ପୋଲତଳେ ସେମିତି ପଡ଼ି ରହିଥିଲେ। ଆଜି କିଛି ଗ୍ରାମବାସୀ ଏ ନେଇ ପଞ୍ଚାୟତ କର୍ତ୍ତୃପକ୍ଷ ଓ ପ୍ରଶାସନକୁ ଅବଗତ କରାଇବା ପରେ ମା ପୁଅଙ୍କୁ ଗାଁ କ୍ଲବ୍‌ ଘରେ ରହିବାର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର