ବୁର୍ଲା: ଦୀର୍ଘ ୧୦ ଦିନ ପ୍ରତୀକ୍ଷା ଶେଷରେ ବେକାର ଗଲା। ଜୀବନ ଚାଲିଗଲା, କିନ୍ତୁ ଆଇସିୟୁ ଶଯ୍ୟା ମିଳିପାରିଲାନି। ଉତ୍ତମ ଚିକିତ୍ସା ପାଇଁ ଭିମ୍ସାର୍କୁ ଆସିଥିବା ବରଗଡ଼ ଜିଲ୍ଲା ତାଲପଦର ଗ୍ରାମର ହେମନ୍ତ ସାହୁ (୪୪) ଆଜି ପ୍ରାଣ ହରାଇଛନ୍ତି।
ପ୍ରାପ୍ତ ଅଭିଯୋଗ ଅନୁଯାୟୀ, ବରଗଡ଼ ଜିଲ୍ଲା ତାଲପଦର ଗ୍ରାମର ହେମନ୍ତ କୁମାର ସାହୁଙ୍କୁ ଗତ ୮ ତାରିଖ ଦିନ ଭିମ୍ସାର୍ରେ ମେଡ଼ିସିନ୍ ବିଭାଗର ତୃତୀୟ ୟୁନିଟ୍( ଶଯ୍ୟା ସଂଖ୍ୟା ୬୩)ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ, ଭର୍ତ୍ତି ଦିନଠାରୁ ଡାକ୍ତର ତାଙ୍କୁ ଆଇସିୟୁ ଶଯ୍ୟା ପାଇଁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକେ ବାରମ୍ବାର ଆଇସିୟୁ ବିଭାଗକୁ ଯାଇ ରିପୋର୍ଟ କରିଥିଲେ ମଧ୍ୟ ବିଭାଗ ପକ୍ଷରୁ ଶଯ୍ୟା ଖାଲି ନଥିବା ଦର୍ଶାଇ ଫେରାଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରିଶେଷରେ ଆଇସିୟୁ ଶଯ୍ୟା ଅପେକ୍ଷାରେ ଆଜି ସକାଳ ୯ଟାରେ ହେମନ୍ତ ପ୍ରାଣ ହରାଇଥିଲେ।
ଉଲ୍ଲେଖଯୋଗ୍ୟ ଯେ ଗତ ୧୦ ତାରିଖରୁ ଭିମ୍ସାର୍ ଆଇସିୟୁ ବିଭାଗକୁ ବର୍ଣ୍ଣ ୟୁନିଟ୍ ତଥା ଅନ୍ୟ କିଛି ବିଭାଗରୁ ଗୁରୁତର ରୋଗୀ ସ୍ଥାନାନ୍ତର କରାଯାଇଥିବାରୁ ସଂକ୍ରମିତ ହୋଇଯାଇଥିଲା। ବିଭାଗରେ ଥିବା ଦୁଇଟି ୟୁନିଟ୍ ମଧ୍ୟରୁ ଗୋଟିଏ ୟୁନିଟ୍ର ବିଶୋଧନ(ସାନିଟାଇଜେସନ)କରାଯାଇ ୧୨ଟି ଶଯ୍ୟା କାର୍ଯ୍ୟକ୍ଷମ କରାଯାଇଥିଲା। ଅନ୍ୟ ୟୁନିଟ୍ ବିଶୋଧନ ଇତିମଧ୍ୟରେ ଶେଷ ହୋଇଛି। ମାତ୍ର, ଏହି ୟୁନିଟ୍ ସଂପୂର୍ଣ୍ଣ ବିଶୋଧିତ ହୋଇପାରିନାହିଁ। ଫଳରେ ଏହି ୟୁନିଟ୍କୁ ଆଉ ଥରେ ବିଶୋଧନ କରାଯିବ ବୋଲି ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ବିଶୋଧନ କାର୍ଯ୍ୟରେ ଅବହେଳା ଯୋଗୁ ହେମନ୍ତଙ୍କୁ ଆଇସିୟୁ ଶଯ୍ୟା ମିଳିପାରିଲା ନାହିଁ। ଡାକ୍ତରଖାନା କର୍ତ୍ତୃପକ୍ଷ ତତ୍ପରତା ଦେଖାଇଥିଲେ ହେମନ୍ତଙ୍କୁ ଉତ୍ତମ ଚିକିତ୍ସା ସେବା ମିଳିବା ସହିତ ତାଙ୍କ ଜୀବନ ବଞ୍ଚି ଯାଇପାରିଥାନ୍ତା ବୋଲି କହାଯାଇଛି।