ତଥ୍ୟ ମିଳିଲାନି, ଅସନ୍ତୋଷ ଝାଡ଼ିଲେ କେନ୍ଦ୍ରମନ୍ତ୍ରୀ

ନବରଙ୍ଗପୁର: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ ନବରଙ୍ଗପୁର ଜିଲ୍ଲାରେ କେତେ ଚାଷୀ ଉପକୃତ ହେଉଛନ୍ତି? ଏହାର ତଥ୍ୟ ଜିଲ୍ଲା ପ୍ରଶାସନ କିମ୍ବା କୃଷି ବିଭାଗ ନିକଟରେ ନାହିଁ। ଏଭଳି ଉତ୍ତର ମିଳିବା ପରେ ଅସନ୍ତୋଷ ଝାଡ଼ିଛନ୍ତି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ। ତୁରନ୍ତ କୃଷି ବିଭାଗ କର୍ମଚାରୀ ଗାଁ ଗାଁ ବୁଲି ଚାଷୀଙ୍କ ଠାରୁ ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଦୁଇ ଦିନିଆ ନବରଙ୍ଗପୁର ଗସ୍ତରେ ଆସିଥିବା କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ ଆଜି ସମୀକ୍ଷା ବୈଠକ କରିଥିଲେ। ବୈଠକରେ କେନ୍ଦ୍ରମନ୍ତ୍ରୀ ‘ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା’ ରେ ସାମିଲ ଚାଷୀଙ୍କ ସଂଖ୍ୟା ଜାଣିବାକୁ ଚାହିଁଥିଲେ। ମାତ୍ର, କୃଷି ବିଭାଗ ପକ୍ଷରୁ ତଥ୍ୟ ଦିଆଯାଇ ପାରି ନଥିଲା। ଫଳରେ ସେ ଅସ‌ନ୍ତୋଷ ପ୍ରକାଶ କରିଥିଲେ। ସେହିଭଳି, ବହୁ ହିତାଧିକାରୀ ମାସ ମାସ ଧରି ଭତ୍ତା ପାଉ ନଥିବା ଅଭିଯୋଗ ଶୁଣିବାକୁ ପାଇଛନ୍ତି। ତେଣୁ ବ୍ୟାଙ୍କ ସହ ଲିଙ୍କ୍‌ ହେବା ପୂର୍ବରୁ କେତେ ଜଣ ଭତ୍ତା ପାଉଥିଲେ ଏବଂ ବର୍ତ୍ତମାନ କେତେ ପାଉଛନ୍ତି, କେତେ ଜଣ ଭତ୍ତାରୁ ବଞ୍ଚିତ ହୋଇଛନ୍ତି ତାହାର ସର୍ଭେ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ୩ ଜଣ ଅଧିକାରୀଙ୍କୁ ନେଇ ଶ୍ରମ ବିଭାଗ କାର୍ଯ୍ୟ କରୁଥିବାରୁ ଶ୍ରମିକ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ପଦବି ପୂରଣ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ଖାଦ୍ୟ ସୁରକ୍ଷା ଯୋଜନା ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଡାଲି କାହିଁକି ଦିଆଯାଉନି ବୋଲି ବି ପ୍ରଶ୍ନ କରିଥିଲେ।

ଅନ୍ୟପକ୍ଷରେ; ମନରେଗା, ପ୍ରଧାନମନ୍ତ୍ରୀ ଆବାସ ଓ ସ୍ବଚ୍ଛଭାରତ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିଲେ ସୁଦ୍ଧା ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଓ ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଉଠାଇଥିଲେ। ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ହୋଇଥିବା ସୂଚନା ଦେଇଥିଲେ ମଧ୍ୟ ବିଧାୟକ ଏଥିରେ ସନ୍ତୁଷ୍ଟ ହୋଇ ନଥିଲେ। ଏହାପରେ ବିଧାୟକ କ୍ଷୋଭ ପ୍ରକାଶ କରି କହିଥିଲେ, ତାଙ୍କ ଘର ନିକଟରେ ଉମରକୋଟ ପୌରପାଳିକା ପକ୍ଷରୁ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି। ବାରମ୍ବାର ଦାବି ସତ୍ତ୍ବେ ଦୁଇ ବର୍ଷ ହେଲା ତାହା କାର୍ଯ୍ୟକ୍ଷମ ହୋଇନାହିଁ। ପୌରପାଳିକା ଦାୟିତ୍ବରେ ଥିବା ଅଧିକାରୀ ପୁଣି ଦୁଇ ମାସ ସମୟ ମାଗିବାରୁ କେନ୍ଦ୍ରମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରି ସପ୍ତାହକ ମଧ୍ୟରେ ଆରମ୍ଭ କରିବାକୁ କହିଥିଲେ। ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଭାରତମାଳା ପରିଯୋଜନା, ସାମାଜିକ ମଙ୍ଗଳ, ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗରେ କାର୍ଯ୍ୟକାରୀ ହେଉଥିବା ଯୋଜନାର ସମୀକ୍ଷା ହୋଇଥିଲା।

ସମ୍ବନ୍ଧିତ ଖବର