ସୁନ୍ଦରଗଡ଼ : ସୁନ୍ଦରଗଡ଼ ଚାଷୀଙ୍କୁ ଏ ପର୍ଯ୍ୟନ୍ତ ମିଳିନି ପ୍ରଧାନମନ୍ତ୍ରୀ ଫସଲବୀମା। ଆଜିକାଲି କହି ୨ ମାସ ଗଡ଼ିଗଲାଣି। ଏ ସମ୍ପର୍କରେ କୃଷିବିଭାଗ କିଛି କହିପାରୁ ନାହିଁ। ବୀମା ଟଙ୍କା ମିଳିଲେ ଚଳିତ ଖରିଫ୍ଚାଷ ଆରମ୍ଭ କରିବେ ଭାବି ଅପେକ୍ଷା କରିଥିବା ଅନେକ ଚାଷୀ ଶେଷକୁ ବିହନ, ସାର, ହଳ ପାଇଁ ଧାରକରଜ କରିବାକୁ ବାଧ୍ୟ ହୋଇଛନ୍ତି। ଧାରକରଜରେ ବୁଡ଼ିଲେଣି ଚାଷୀ। ବୀମାକମ୍ପାନି, ବ୍ୟାଙ୍କ, ଅଧିକାରୀଙ୍କ ମନମାନୀ ଓ ଉଦାସୀନତା ଯୋଗୁ କୃଷକ ବୀମାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲାରେ ୨୦୨୨ ଖରିଫ୍ଋତୁରେ ଧାନ ଓ ଅଣଧାନ ପାଇଁ ୫୯୪ କୋଟି ୮୮ ଲକ୍ଷ ଟଙ୍କାର ପ୍ରଧାନମନ୍ତ୍ରୀ ଫସଲବୀମା ପାଇଁ ୬ ଲକ୍ଷ ୬୬ ହଜାର ୪୦ ଜଣ ଚାଷୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ କେତେଟଙ୍କାର ବୀମା ମିଳିବ, ତାର କୌଣସି ଠିକଣା ନାହିଁ। କ୍ଷୟକ୍ଷତିର ହିସାବ ଅନୁସାରେ ବୀମା ମିଳିବ। ୨୦୨୨ ଖରିଫ୍ ଋତୁରେ ଜିଲ୍ଲାର ୪୪ଟି ଲ୍ୟାମ୍ପସ୍ ବା ସମବାୟ ସମିତି ଜରିଆରେ ଋଣ ନେଇଥିବା ୪ ଲକ୍ଷ ୨୩ ହଜାର ୯୩୬ ଚାଷୀ ନିୟମାନୁସାରେ ସିଧାସଳଖ ପ୍ରଧାନମନ୍ତ୍ରୀ ଫସଲ ବୀମାଭୁକ୍ତ ହୋଇଛନ୍ତି। ସେଥିମଧ୍ୟରୁ ଧାନ ଫସଲରେ ବୀମାଭୁକ୍ତ ଚାଷୀ ୪ ଲକ୍ଷ ୨୩ ହଜାର ୯୧୨, ମକାରେ ୧୭ ଓ ଚିନାବାଦାମରେ ୭ ଜଣ ଚାଷୀ ରହିଛନ୍ତି। ସେହିପରି ଅଣଋଣୀ ବା ସିଧାସଳଖ ପ୍ରିମିୟମ୍ ଦେଇ ବୀମାଭୁକ୍ତ ହୋଇଥିବା ଚାଷୀଙ୍କ ସଂଖ୍ୟା ହେଲା ୨ ଲକ୍ଷ ୪୨ ହଜାର ୧୦୪। ସେଥିମଧ୍ୟରୁ ଧାନରେ ୨ ଲକ୍ଷ ୩୯ ହଜାର ୭୫୭, ମକାରେ ୧୪୧୭, ଚିନାବାଦାମରେ ୭୫୨ ଓ ହରଡ଼ରେ ୧୭୮ ଚାଷୀ ବୀମାଭୁକ୍ତ ହୋଇଛନ୍ତି। ୬ ଲକ୍ଷ ୬୬ ହଜାର ୪୦ ଜଣ ଚାଷୀ ୮୭ ହଜାର ୧୭୫.୬୪ ହେକ୍ଟର ଜମି ପାଇଁ ୧ କୋଟି ୧୮ ଲକ୍ଷ ୭୯ ହଜାର ୨୮୫ ଟଙ୍କା ପ୍ରିମିୟମ୍ ଦେଇଛନ୍ତି।