ଭୁବନେଶ୍ବର : ଆଉ ୫୫ଦିନ ପରେ ବନ୍ଦ ହୋଇଯିବ ମାଗଣା ପ୍ରିକସନ୍ ବା ବୁଷ୍ଟର ଡୋଜ୍। ଦେଶର ୭୫ତମ ସ୍ବାଧୀନତା ଦିବସ ଅବସରରେ କେନ୍ଦ୍ର ସରକାର ୭୫ଦିନ ପର୍ଯ୍ୟନ୍ତ ୧୮ବର୍ଷରୁ ଅଧିକ ଲୋକଙ୍କ ପାଇଁ ପ୍ରିକସନ୍ ଡୋଜ୍ ମାଗଣା ଘୋଷଣା କରିଥିଲେ। ଏହା ଭିତରେ ୨୦ଦିନ ବିତି ଗଲାଣି। ରାଜ୍ୟରେ ବୁଷ୍ଟର ଡୋଜ୍କୁ ନେଇ ଲୋକଙ୍କ ଭିତରେ ସେତେଟା ଆଗ୍ରହ ପ୍ରକାଶ ପାଉ ନ ଥିବାରୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଉଦ୍ବେଗ ପ୍ରକାଶ କରିଛି। ତେଣୁ ଯେଉଁମାନେ ପ୍ରିକସନ୍ ଡୋଜ୍ ନେଇ ନାହାନ୍ତି ସେମାନେ ଯଥାଶୀଘ୍ର ଟିକା ନେବାକୁ ବିଭାଗ ପକ୍ଷରୁ ନିବେଦନ କରାଯାଇଛି।
ପୂର୍ବରୁ କେବଳ ଘରୋଇ ହସ୍ପିଟାଲରେ ୧୮-୫୯ବର୍ଗର ଲୋକଙ୍କୁ ପ୍ରିକସନ୍ ଡୋଜ୍ ଦିଆଯାଉଥିଲା। ପରବର୍ତୀ ସମୟରେ କେନ୍ଦ୍ର ସରକାର ଏହାକୁ ମାଗଣା ଘୋଷଣା କରିଥିଲେ। ଜୁଲାଇ ୧୫ତାରିଖରୁ ୧୮ବର୍ଷରୁ ଅଧିକ ବର୍ଗର ଲୋକଙ୍କୁ ମାଗଣାରେ ପ୍ରିକସନ୍ ଡୋଜ୍ ଟିକାକରଣ ଆରମ୍ଭ ହୋଇଛି। ଏହାସହ ରାଜ୍ୟରେ ଏବେ କରୋନାର ଚତୁର୍ଥ ଲହର ଜାରି ରହିଛି। କୋଭିଡ୍ର ସୁରକ୍ଷା ପାଇବାର ଏକ ପ୍ରମୁଖ ଅସ୍ତ୍ର ହେଉଛି ଟିକା। ଏହାସତ୍ତ୍ବେ ଲୋକମାନଙ୍କଠାରେ ପ୍ରିକସନ୍ ଡୋଜ୍ ନେଇ ସେତେଟା ଆଗ୍ରହ ଦେଖିବାକୁ ମିଳୁନାହିଁ। ଗୋଟିଏ ପଟେ କେନ୍ଦ୍ର ସରକାର ପ୍ରିକସନ୍ ଡୋଜ୍ ପାଇଁ ଘୋଷଣା କରିଥିବା ଦିନ ସରି ଆସୁଥିବା ବେଳେ ଏବେ ବି କୋଟି କୋଟି ଲୋକ ଟିକା ନେଇ ନାହାନ୍ତି।
୬ ଜିଲ୍ଲାରେ ୧୨ବର୍ଷରୁ ଊର୍ଧ୍ବ ଟିକାକରଣ ହାର ୯୦%ରୁ କମ୍
ରାଜ୍ୟ କରୋନା ଟିକାକରଣ ନୋଡାଲ ଅଧିକାରୀ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ରାଜ୍ୟରେ ବର୍ତମାନ ସୁଦ୍ଧା ମାତ୍ର ୧୩ ପ୍ରତିଶତ ବା ୪୨,୭୦,୪୮୭ ଜଣ ଲୋକ ବୁଷ୍ଟର ଡୋଜ୍ ନେଇଛନ୍ତି। ଆହୁରି ୮୭ ପ୍ରତିଶତ ବା ୨.୮୪ କୋଟି ଲୋକ ଏହି ଟିକା ନେଇ ନାହାନ୍ତି। ଏହାସହ ରାଜ୍ୟରେ ୨୫ଲକ୍ଷ ଲୋକ ନିଜର ଦ୍ବିତୀୟ ଡୋଜ୍ ମଧ୍ୟ ନେଇ ନାହାନ୍ତି। ରାଜ୍ୟର ୬ଟି ଜିଲ୍ଲାରେ ୧୨ବର୍ଷରୁ ଅଧିକ ଲୋକଙ୍କ ଟିକାକରଣ ହାର ୯୦ ପ୍ରତିଶତରୁ କମ୍ ରହିଛି। କଟକ, ଖୋର୍ଧା, ଜଗତସିଂହପୁର, ସୁନ୍ଦରଗଡ଼, ପୁରୀ ଓ ଅନୁଗୁଳ ଏହି ତାଲିକାରେ ସାମିଲ ରହିଛି। ରାଜ୍ୟରେ କୋଭିସିଲ୍ଡ ଟିକା ଅପେକ୍ଷାକୃତ କମ୍ ରହିଛି। ତେଣୁ କୋଭିସିଲ୍ଡ ଟିକା ଯୋଗାଇଦେବା ଲାଗି କେନ୍ଦ୍ରକୁ ଚିଠି ଦିଆଯାଇଛି। ମାଗଣା ଟିକାକରଣ ଶେଷ ହେବାକୁ ଆଉ କମ୍ ଦିନ ବାକି ରହିଛି। ଏହି ଟିକାକରଣ ଆଗକୁ ଜାରି ରହିବ କି ନାହିଁ ତାହା ସଂପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ଯାଏ କୌଣସି ସୂଚନା ଆସିନାହିଁ। ଯେଉଁମାନେ ପ୍ରିକସନ୍ ଡୋଜ୍ ନେଇ ନାହାନ୍ତି ସେମାନେ ତୁରନ୍ତ ଟିକା ନେଇ ଯାଆନ୍ତୁ।
ଅପରପକ୍ଷରେ ସ୍ପୁଟ୍ନିକ୍-ଭି ଟିକାକୁ ମଧ୍ୟ ପ୍ରିକସନ୍ ଡୋଜ୍ରେ ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ନିକଟରେ ରାଜ୍ୟମାନଙ୍କୁ ଚିଠି ଲେଖିଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ସିଡିଏମ୍ଓ, ମ୍ୟୁନିସିପାଲ କମିସନର ଓ ପରିବାର କଲ୍ୟାଣ ନିର୍ଦେଶକଙ୍କୁ ଚିଠି ଦିଆଯାଇଛି। ସ୍ପୁଟ୍ନିକ-ଭି ଟିକା ସରକାରୀ କ୍ଷେତ୍ରରେ ଉପଲବ୍ଧ ହେଉନାହିଁ। ପୂର୍ବରୁ ରାଜଧାନୀର କିଛି ଘରୋଇ ଡାକ୍ତରଖାନାରେ ଏହି ଟିକା ଉପଲବ୍ଧ ହେଉଥିଲା। ମାତ୍ର ଏବେ ତାହା ଉପଲବ୍ଧ ନ ଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/vaccine1.jpg)