ଇଣ୍ଟରନେଟ୍‌ ନାହିଁ, ଜଙ୍ଗଲ ଭିତରେ ଟିକାଦାନ

କେନ୍ଦୁଝର : ଗାଁରେ ଇଣ୍ଟରନେଟ୍‌ ନଥିବାରୁ ବର୍ଷବର୍ଷ ଧରି ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏବେ ଏହି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଖୋଦ୍‌ ସରକାରୀ ଅଧିକାରୀମାନେ। ଗାଁରେ ଇଣ୍ଟର‌ନେଟ୍‌ ନଥିବାରୁ କୋଭିଡ ଟିକାକରଣରେ ସମସ୍ୟା ହୋଇଛି। ଜଙ୍ଗଲ ଭିତରେ ଟିକାକରଣ କରିବାକୁ ଅଧିକାରୀମାନେ ବାଧ୍ୟ ହୋଇଛନ୍ତି। ଯାହା ଡିଜିଟାଲ ଇଣ୍ଡିଆର ସ୍ବପ୍ନ ପ୍ରତି ଶକ୍ତ ଚାପୁଡ଼ା ସଦୃଶ ହୋଇଛି।

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ବଡ଼କାଳିମାଟି ପଞ୍ଚାୟତର ପିଢ଼ପୋଖରୀ ଗାଁ। ଏହି ଅନୁନ୍ନତ ଗ୍ରାମବାସୀ ଟେଲି ଯୋଗାଯୋଗ ସେବାରୁ ବଞ୍ଚିତ ହୋଇଛନ୍ତି। ଏଠାରେ ଇଣ୍ଟରନେଟ୍‌ ସୁବିଧା ନ ଥିବାରୁ ବର୍ଷବର୍ଷ ଧରି ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କରୋନା ପାଇଁ ଦୁଇବର୍ଷ ହେଲା ସରକାର ଅନ୍‌ଲାଇନ୍‌ ପାଠପଢ଼ା ଆରମ୍ଭ କରିଛନ୍ତି। କିନ୍ତୁ ଇଣ୍ଟରନେଟ୍‌ ନଥିବାରୁ ଏହି ଗାଁର ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ ପାଠପଢ଼ାରେ ସାମିଲ ହୋଇପାରୁ ନାହାନ୍ତି। ଗତକାଲି ଏହି ଗାଁରେ କୋଭିଡ ଟିକାକରଣ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ନିର୍ଦ୍ଧାରିତ ସମୟରେ ଗାଁରେ ପହଞ୍ଚିଥିଲେ। ମାତ୍ର ଗାଁରେ ଇଣ୍ଟରନେଟ୍‌ ସୁବିଧା ନଥିବାରୁ ଲୋକଙ୍କ ନାମ ପଞ୍ଜୀକରଣ ହୋଇପାରି ନଥିଲା।

ଶେଷରେ ବାଧ୍ୟ ହୋଇ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀମାନେ ଜଙ୍ଗଲ ଭିତରେ ଘୂରି ବୁଲିଲେ। ଖୋଜିଖୋଜି ଯେଉଁଠି ନେଟୱର୍କ ଅସିଲା ସେଇଠି ଲୋକଙ୍କ ପଞ୍ଜୀକରଣ କରାଗଲା। ପଞ୍ଜୀକରଣ ସରିବା ପରେ ଶେଷରେ ଡେବରାଡିହି ପାହାଡ଼ ଉପରେ ଲୋକଙ୍କୁ କୋଭିଡ ଟିକା ଦିଆଯାଇଥିଲା। ଟିକାକରଣ ପାଇଁ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ଏଠାରେ ଯୋଡ଼ା ବ୍ଲକ୍‌ର ପିଢ଼ପୋଖରୀ, ବାଂଶପାଳ ବ୍ଲକ୍‌ର ଉପରକାଦକଳା, ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍‌ ମିଶିସା, ସିମିରଦା, କଦଳିଆ ଓ କିଆକୁଦର ଗାଁର ୩୦୦ ଲୋକ ଟିକା ‌ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର