ଯାତାୟତ ଉପରେ ଲାଗିଲା କଟକଣା: ସୋମବାରଠାରୁ ବାହାର ରାଜ୍ୟକୁ ଗଡିବନି ବସ୍, ଅଟୋରିକ୍ସା ଓ ଟ୍ୟାକ୍ସିରେ ଡ୍ରାଇଭର ସହ ଯାଇପାରିବେ ୨ ଯାତ୍ରୀ

ଭୁବନେଶ୍ବର: କରୋନା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ରାଜ୍ୟ ସରକାର କୋଭିଡ କଟକଣାକୁ ଆହୁରି କଡାକଡି କରିଛନ୍ତି । ବି‌‌ଶେଷ କରି ରାଜ୍ୟ ବାହାରକୁ ଯାଉଥିବା ବସର ଗମନାଗମନ ଉପରେ କଡା କଟକଣା ଲଗାଇଛନ୍ତି । ପୂର୍ବରୁ ଛତିଶଗଡ ଯାଉଥିବା ବସଗୁଡିକର ଯାତାୟତ ଉପରେ ସରକାର ରୋକ ଲଗାଇଥିବା ବେଳେ ଆସନ୍ତା ୧୯ରୁ  ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ରାଜ୍ୟ ଭିତରେ ପୂର୍ବଭଳି ବସ ଚଳାଚଳ ଚାଲୁ ରହିବ । ତେବେ ରାଜ୍ୟରେ ବସ ଗଡିବ କିନ୍ତୁ ଯେତିକି ସିଟ୍ ସେତିକି ଯାତ୍ରୀ ଯାଇପାରିବେ । ସିଟ୍ ଠାରୁ ଅଧିକ ଯାତ୍ରୀଙ୍କୁ ଛିଡା କରି ଆଣିପାରିବନି ବସ୍ । ଏପରି କଲେ ବସଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେହିଭଳି ଅଟୋରିକ୍ସା ଓ ଟ୍ୟାକ୍ସି ଯାତାୟତ ଉପରେ ମଧ୍ୟ କିଛି କଟକଣା ଲଗାଯାଇଛି । ଏଥିରେ ସର୍ବାଧିକ ୨ ଜଣ ଯାତ୍ରୀ ଯାଇପାରିବେ । ଡ୍ରାଇଭରଙ୍କୁ ଛାଡି ଆଉ ମାତ୍ର ଦୁଇ ଜଣ ଯାତ୍ରୀ ଯାଇପାରିବେ । ତେବେ ମାଲବାହୀ ଗାଡ଼ି ଉପରେ କୌଣସି କଟକଣା ଲଗାଯାଇ ନଥିବା ବେଳେ ଛତିଶଗଡ଼ ଯାଉଥିବା ବସର ଲାଇସେନ୍ସ ରଦ୍ଦ କରାଯାଇଥିବା ଜଣାପଡ଼ିଛି। ସେହିଭଳି ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଚାଲିବ । ୫୦ ପ୍ରତିଶତ ସିଟରୁ ଅଧିକ ଲୋକଙ୍କୁ ସିନେମା ହଲ ଭିତରକୁ ଅନୁମତି ମିଳିବନି । ମୀନାବଜାରରେ ୨୦୦ ଲୋକ, ଯାତ୍ରା ଓ ଥିଏଟରରେ ମାତ୍ର ୧୦୦୦ ଲୋକଙ୍କୁ ଅନୁମତି ମିଳିବ । ଆଉ ଯାତ୍ରା ଟେଣ୍ଟ ଭିତରେ ପ୍ରତି ଦର୍ଶକ ୬ ଫୁଟ ଦୂରତା ବଜାୟ ରଖିବେ ।

ସମ୍ବନ୍ଧିତ ଖବର