ଭୁବନେଶ୍ବର: ଚିକିଟି ମଦମୃତ୍ୟୁ ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହେଲା। ବିଧାନସଭା ଉଠିଲା, ପଡ଼ିଲା। ରାଜସ୍ବ ପର୍ଷଦ ସଦସ୍ୟ ତଦନ୍ତ କରିବେ ବୋଲି ସରକାର ନିର୍ଦ୍ଦେଶ ଦେଲେ। ତଦନ୍ତ ରିପୋର୍ଟ ଦୁଇ ମାସରେ ଆସିବ ବୋଲି କୁହାଗଲା। ବାସ୍ତବତା ହେଲା, ଯେଉଁ ଦୁଇ ମାସ ତଦନ୍ତ ସାରିବାକୁ କଣ୍ଟ ଦିଆଯାଇଥିଲା, ସେହି ଦୁଇ ମାସରେ ତଦନ୍ତ ଆରମ୍ଭ ହେଲା ନାହିଁ। ବର୍ତ୍ତମାନର ସ୍ଥିତି ହେଲା, ରାଜ୍ୟରେ ରାଜସ୍ବ ପର୍ଷଦ ସଦସ୍ୟ ପଦବି ଖାଲି ପଡ଼ିଛି। ତେଣୁ ତଦନ୍ତ ଏବେ ହେବାର ନାହିଁ। କେବଳ ଜନଅସନ୍ତୋଷକୁ ସାମୟିକ ଟାଳି ଦେବା ପାଇଁ ସରକାରଙ୍କର ଏହା ଏକ ଯୋଜନାବଦ୍ଧ ଉଦ୍ୟମ ଥିଲା ବୋଲି ଚର୍ଚ୍ଚା ହେଲାଣି।

Advertisment

ରାଜସ୍ବ ପର୍ଷଦ ସଦସ୍ୟ ଘଟଣାସ୍ଥଳକୁ ଗଲେନି
ଅବସର ନେଇଗଲେଣି, ପଦବି ଖାଲି ପଡ଼ିଛି

ଗତ ଅଗଷ୍ଟ ମାସରେ ଗଞ୍ଜାମ ଚିକିଟିରେ ବିଷାକ୍ତ ମଦ ପିଇ ଲୋକ ମୃତ୍ୟୁମୁଖରେ ପଡ଼ିଥିଲେ। ଏହି ଘଟଣାରେ ୨୩ ଜଣ ଅସୁସ୍ଥ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ନୂଆ ସରକାର ଦାୟିତ୍ବ ନେବାର କିଛି ମାସ ପରେ ଏହି ଘଟଣାଟି ଘଟିଥିବାରୁ ସରକାର ଅଡ଼ୁଆରେ ପଡ଼ିଯାଇଥିଲେ। ସେତେବେଳେ ବିଧାନସଭା ଅଧିବେଶନ ଚାଲିଥିବାରୁ ବିରୋଧୀମାନେ ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ଏହି ପ୍ରସଙ୍ଗରେ ୩/୪ ଦିନ ବିଧାନସଭା ଅଚଳ ହୋଇଗଲା। ମଦମୃତ୍ୟୁ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ମନ୍ତ୍ରୀ କହିଥିଲେ। ନିଜେ ମନ୍ତ୍ରୀ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଯାଇ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ। ଏହି ଘଟଣାର ଆର୍‌ଡିସି ତଦନ୍ତ ପାଇଁ ସରକାର ଅଗଷ୍ଟ ମାସ ୨୨ ତାରିଖରେ ନିର୍ଦ୍ଦେଶ ଦେଇଦେଲେ। ଦୁଇ ମାସ ଭିତରେ ତଦନ୍ତ ସରିବ ବୋଲି ବିଧାନସଭାରେ ପ୍ରତିଶ୍ରୁତି ଦେଲେ। ବିରୋଧୀ ଶାନ୍ତ ହୋଇଗଲେ। ଘଟଣା ବିଷୟରେ ସାଧାରଣରେ ଚର୍ଚ୍ଚା ବି ଥମିଗଲା। ଏହା ପରେ ‌ଯେମିତି ସରକାରଙ୍କ ଦାୟିତ୍ବ ସରିଗଲା। ଆର୍‌ଡିସି ତଦନ୍ତ ନିର୍ଦ୍ଦେଶ ଦେବାର ମାସକ ପରେ ସରକାର ନିଷ୍ପତ୍ତି ବଦଳାଇଲେ। ସେପ୍ଟେମ୍ବର ୨୮ ତାରିଖରେ ରାଜସ୍ବ ପର୍ଷଦ ସଦସ୍ୟଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ। ଏଥର ବି କୁହାଗଲା ଦୁଇ ମାସ ଭିତରେ ତଦନ୍ତ ସରିବ ଓ ସେହି ଅନୁଯାୟୀ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ। ଏହା ମଧ୍ୟରେ ଦୁଇ ମାସ ଯାଇ ଚାରି ମାସ ସରିଲାଣି। ତଦନ୍ତ ସରିବା ତ ଦୂର କଥା, ଆରମ୍ଭ ମଧ୍ୟ ହୋଇ ପାରିନାହିଁ। ୨୦୨୪ ନଭେମ୍ବର ୨୮ ତାରିଖରେ ସରକାରଙ୍କ କଣ୍ଟ ଶେଷ ହେଲା। ସେହି ସମୟରେ ରାଜସ୍ବ ପର୍ଷଦ ସଦସ୍ୟ ଥିଲେ ସି.ଜେ.ବେଣୁଗୋପାଳ। ସେ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରି ନଥିଲେ। ନଭେମ୍ବର ୩୦ ତାରିଖରେ ସେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ତାଙ୍କ ପରେ ସରକାର ଏ ଯାଏଁ କାହାରିକୁ ରାଜସ୍ବ ପର୍ଷଦ ସଭ୍ୟ ଭାବେ ନିଯୁକ୍ତି ଦେଇନାହାନ୍ତି। ତେଣୁ ସରକାରଙ୍କ ତଦନ୍ତ ନିର୍ଦ୍ଦେଶ ଫାଇଲ୍ ତଳେ ରହିଯାଇଛି। 

ବିଷାକ୍ତ ଓ ଚୋରା ମଦ କାରବାରକୁ ରୋକିବା ପାଇଁ ସରକାର କଡ଼ା ପଦକ୍ଷେପ ନେଉଥିବା ବାରମ୍ବାର କୁହାଯାଉଛି। ଅବକାରୀ ମନ୍ତ୍ରୀ ବି ଗଣମାଧ୍ୟମରେ ବେଶ୍‌ ଗର୍ଜନ ତର୍ଜନ କରୁଛନ୍ତି। କିନ୍ତୁ କେଉଁ ପରିସ୍ଥିତିରେ ବିଷାକ୍ତ ମଦ ପିଇ ଲୋକ ପ୍ରାଣ ହରାଇଲେ, ତାହାର କାରଣ ଖୋଜିବାକୁ ମନ୍ତ୍ରୀ ଚାହୁନାହାନ୍ତି। କେବଳ ବିରୋଧୀଙ୍କ ସମାଲୋଚନାରୁ ବର୍ତ୍ତିବା ପାଇଁ ଉପର ଠାଉରିଆ ତଦନ୍ତ ନିର୍ଦ୍ଦେଶ ଦେଇ ଦାୟିତ୍ବ ସାରିଦେବା ଆଦୌ ଗ୍ରହଣୀୟ ହୋଇ ପାରୁନାହିଁ। ତଦନ୍ତ ହେଉ ନଥିବାରୁ ମୃତକଙ୍କ ପରିବାର ନ୍ୟାୟ ଓ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଆଉ ଏକ ଚିନ୍ତାଜନକ ବିଷୟ ହେଲା, ବିରୋଧୀ ଦଳ ଏହି ପ୍ରସଙ୍ଗ ଏକରକମ ଭୁଲିଗଲେ। ବିଧାନସଭାର ପରବର୍ତ୍ତୀ ଅଧିବେଶନରେ ଆଉ ସରକାରଙ୍କୁ ଜବାବ ମାଗିଲେ ନାହିଁ। ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଦେବାକୁ ସରକାରଙ୍କ ନିକଟରେ ଦାବି କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସରକାର କାହିଁକି ତଦନ୍ତ କରାଇଲେନି, ସେଥି ପାଇଁ ଦଳ ପକ୍ଷରୁ କେବେ ବି ପ୍ରଶ୍ନ ପଚରାଯାଇନି।